ନୂଆଦିଲ୍ଲୀ,୪।୬: ସାରା ଦେଶରେ ଜନଗଣନା ୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହେବ। ଏଥର ଜନଗଣନାରେ ଜାତି ପାଇଁ ସ୍ବତନ୍ତ୍ର ଭାବରେ ଗୋଟିଏ କଲମ୍ ମଧ୍ୟ ରହିବ। ପ୍ରତି ଘରେ ଘରେ ପହଁଞ୍ଚି ଜନଗଣନାରେ ଥିବା କର୍ମଚାରୀ ସମସ୍ତଙ୍କୁ ଜାତି ପଚାରିବେ। ତେବେ ବରଫପାତ ହେଉଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ଜନଗଣନା ଆସନ୍ତା ବର୍ଷ ଅକ୍ଟୋବରରୁ ହିଁ ଆରମ୍ଭ ହୋଇଯିବ। ଏଥିରେ ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରହିଛି। ବାକି ରାଜ୍ୟରେ ୧ମାର୍ଚ୍ଚ ୨୦୨୭ରୁ ଏହା ଆରମ୍ଭ ହେବ।
ଏନ୍ଡିଟିଭି ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାର ଏଥର ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କରିବାକୁ ଯାଉଛନ୍ତି। ଏଥିରେ ପ୍ରଶ୍ନର ଏକ ଲମ୍ବା ଲିଷ୍ଟ ରହିବ। ଯେଉଁଥିରେ ଜାତି ଓ ଉପଜାତି ମଧ୍ୟ ସାମିଲ କରାଯାଇଛି। ୩୦ ଏପ୍ରିଲରେ ମୋଦି ସରକାର କ୍ୟାବିନେଟ୍ ବୈଠକରେ ଜାତି ଜନଗଣନା କରିବାର ନିଷ୍ପତ୍ତି ନେଇଥିଲେ। ସରକାର କହିଥିଲେ, ଜାତି ଜନଗଣନାକୁ ଏକ ଅଲଗା ସର୍ବେକ୍ଷଣ ରୂପରେ ଆୟୋଜିତ କରିବା ବଦଳରେ ମୁଖ୍ୟ ଜନଗଣନାରେ ସାମିଲ କରାଯିବା ଦରକାର।
ଦେଶରେ ସାଧାରଣତଃ ପ୍ରତି ୧୦ ବର୍ଷରେ ଜନଗଣନା ହୋଇଥାଏ। ଶେଷ ଥର ୨୦୧୧ ରେ ଜନଗଣନା କରାଯାଇଥିଲା। ଏହାପରେ ୨୦୨୧ରେ କରୋନା ମହାମାରୀ କାରଣରୁ ଜନଗଣନାକୁ ଘୁଞ୍ଚାଇ ଦିଆଯାଇଥିଲା। ବିରୋଧି ଲଗାତାର ଜାତି ଜନଗଣନା କରିବାର ଦାବି କରୁଛି। କ୍ୟାବିନେଟ୍ରେ ମୋହର ଲାଗିବା ପରେ ବିରୋଧି ଦଳ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।