ତେଲ୍ ଆଭିଭ୍,୧୨/୧୧: ଇସ୍ରାଏଲ୍ ସେନା ସିରିୟାରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି । ଏଥିରେ ଲେବାନନ୍ର ଆତଙ୍କୀ ସଙ୍ଗଠନ ହିଜ୍ବୁଲ୍ଲାର କମାଣ୍ଡର ସଲିମ ଜମିଲ ଅୟାଶ ନିପାତ ହୋଇଛି । ସଲିମ ସିରିୟାରେ ହିଜ୍ବୁଲ୍ଲାର ଘାଟି ଅଲ୍-କୌସୈରରେ ଲୁଚିଥିଲା । ଇସ୍ରାଏଲ୍ ସେନା ଆକ୍ରମଣ କରିବା ଯୋଗୁ ସଲିମ ସମେତ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ୍ର ବିଦେଶ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ସମାଲୋଚନା କରିଛି । ଇସ୍ରାଏଲ୍କୁ ଜାତିସଂଘରୁ ବାହାର କରିବା ପାଇଁ ଏହା ଦାବି କରିଛି ।
ଖବର ମୁତାବକ, ଆତଙ୍କୀ ସଲିମ ହିଜ୍ବୁଲ୍ଲାର ୧୫୧ ୟୁନିଟ୍ର ସଦସ୍ୟ ଥିଲା । ଆମେରିକା ତା’ ଉପରେ ୧୦ ନିୟୁତ ଡଲାର (୮୪ କୋଟି ଟଙ୍କା)ର ପୁରସ୍କାର ରଖିଥିଲା । ୨୦୦୫ରେ ସଲିମ ଲେବାନନ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ରଫିକ୍ ହରିରିଙ୍କ ହତ୍ୟା ପାଇଁ ଦାୟୀ ଥିଲା । ହରିରି ଲେବାନନ୍ର ସବୁଠୁ ଲୋକପ୍ରିୟ ସୁନ୍ନି ମୁସ୍ଲିମ୍ ନେତା ଥିଲେ । ସେ ୫ ଥର ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ୨୦୦୫ ଫେବ୍ରୁଆରୀ ୧୪ରେ ବେରୁଟରେ ହରିରିଙ୍କ କାଫିଲା (ଏକାଧିକ ଗାଡ଼ି)କୁ ୩ ହଜାର କିଲୋଗ୍ରାମ ବିସ୍ଫୋରକ ବୋଝେଇ ଟ୍ରକ୍ ଦ୍ୱାରା ଧକ୍କା କରାଯାଇଥିଲା । ଏଥିରେ ଭୟଙ୍କର ବିସ୍ଫୋରଣ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣରେ ତାଙ୍କ ସହ ୨୧ ଲୋକ ପ୍ରାଣ ହରାଇଥିଲେ । ନେଦରଲାଣ୍ଡସର ଦ ହେଗ୍ରେ ଥିବା ଜାତିସଂଘ କାର୍ଯ୍ୟାଳୟ ହରିରିଙ୍କ ମୃତ୍ୟୁ ପରେ ସ୍ପେସାଲ ଟ୍ରିବ୍ୟୁନାଲ ଫର୍ ଲେବାନନ୍ (ଏସ୍ଟିଏଲ୍) ଗଠନ କରିଥିଲା । ଏସ୍ଟିଏଲ୍ ୨୦୨୨ରେ ସଲିମ ସମେତ ୩ ଲୋକଙ୍କୁ ରଫିକ୍ ହରିରିଙ୍କ ହତ୍ୟା ପାଇଁ ଦାୟୀ କରିଥିଲା । ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।
ଟ୍ରିବ୍ୟୁନାଲ୍ କହିଥିଲେ କି ସଲିମ ହିଁ ପ୍ରଧାନମନ୍ତ୍ରୀ ହରିରିଙ୍କ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ଥିଲା । ଏଥିରେ ତା’ ସହ ଅଉ ୨ ଜଣ ଲୋକ ହସନ୍ ହବିବ୍ ମେରହୀ ଓ ହୁସେନ ହସନ୍ ଔନୈସି ସାମିଲ ଥିଲେ । ହତ୍ୟାକାଣ୍ଡ ଘଟାଇ ଏହି ୩ ଜଣ ଫେରାର ହୋଇଯାଇଥିଲେ । ତତ୍କାଳୀନ ହିଜ୍ବୁଲ୍ଲା ମୁଖ୍ୟ ହସନ୍ ନସ୍ରଲ୍ଲାହ ଏହି ୩ ଜଣଙ୍କୁ ଟ୍ରିବ୍ୟୁନାଲ୍କୁ ସମର୍ପଣ ଲାଗି ମନା କରିଦେଇଥିଲା । ନସ୍ରଲ୍ଲାହ କହିଥିଲା ଯେ, ଇସ୍ରାଏଲ୍ର ଗୁଇନ୍ଦା ସଂସ୍ଥା ‘ମୋସାଦ’ ଲେବାନନ୍ରୁ ସିରିୟା ସେନାକୁ ବିଦା କରିବା ପାଇଁ ହରିରିଙ୍କୁ ହତ୍ୟା କରାଇଛି । ଲେବାନନ୍ରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ସିରିୟା ଏହାର ପୂର୍ବ-ଉତ୍ତର ଅଞ୍ଚଳ ଉପରେ କବ୍ଜା କରିଥିଲା । ହରିରି ସିରିୟାରୁ ଏହି ଅଞ୍ଚଳକୁ ଖାଲି କରିବା ନେଇ ଚାପ ପକାଉଥିଲେ । କିନ୍ତୁ ତାଙ୍କ ଉଦ୍ୟମ ବିଫଳ ହୋଇଥିଲା । ଏଭଳି ସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଥିଲା ।