ଜାତୀୟ ସୁରକ୍ଷା ପାଇଁ ଇସ୍ରୋ ନିରନ୍ତର କାମ କରୁଛି । ‘ଅପରେସନ ସିନ୍ଦୂର’ର ପ୍ରତିଟି ପର୍ଯ୍ୟାୟରେ ଏହାର ଭୂମିକା ଥିଲା । ଜାତୀୟ ସୁରକ୍ଷାରେ ଅନେକ ସାଟେଲାଇଟ ନିୟୋଜିତ ହୋଇଛି । ଖୁବ ଶୀଘ୍ର ଆଉ ୩ଟି ସାଟେଲାଇଟ ପଠାଯିବ । ନିକଟରେ ପିଏସଏଲଭି ସି-୬୧ ମିଶନ ବିଫଳ ହୋଇଥିଲା ସତ, କିନ୍ତୁ ଇସ୍ରୋ ଭବିଷ୍ୟତକୁ ନେଇ ଆଶାବାଦୀ । ମହାକାଶ ମିଶନରେ ବିଫଳତା ବୋଲି କିଛି ଶବ୍ଦ ନାହିଁ । ବିଫଳତାରୁ ସଫଳତାର ସିଡ଼ି ଚଢ଼ିବାରେ ଇସ୍ରୋ ଧୂରନ୍ଧର । ୨୦୪୦ ବେଳକୁ ଭାରତ ମହାକାଶ ଗବେଷଣାରେ ଆମେରିକା, ଋଷିଆ ଓ ଚୀନ୍ ସହ ସମକକ୍ଷ ହେବ । ମଙ୍ଗଳଯାନ-୨, ଚନ୍ଦ୍ରାୟନ-୫ ଓ ନିଜସ୍ୱ ସ୍ପେଶ୍ ଷ୍ଟେସନ ସ୍ଥାପନ ଭାରତକୁ ନୂଆ ଶିଖରରେ ପହଞ୍ଚାଇବ । ଯଦି ତୁମ ହୃଦୟ ବଡ଼ ତେବେ ତୁମ ସଫଳତା ନିଶ୍ଚୟ ବଡ଼ ହେବ... ନିକଟରେ ଭୁବନେଶ୍ୱର ଗସ୍ତ ଅବସରରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ ‘ପ୍ରମେୟ’ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ସାକ୍ଷାତକାରରେ ଇସ୍ରୋର ସଫଳତାର କାହାଣୀ ବଖାଣିଥିଲେ । ଛାତ୍ରଛାତ୍ରୀ ଓ ମହାକାଶ ବିଜ୍ଞାନରେ ରୁଚି ରଖୁଥିବା ଯୁବ ଗୋଷ୍ଠୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି ।
ପ୍ରଶ୍ନ: ‘ଅପରେସନ ସିନ୍ଦୂର’ ସଫଳ ହେବା ପଛରେ ଇସ୍ରୋର ବଡ଼ ଭୂମିକା ରହିଛି । ଏହା ଆକାଶରୁ ଶତ୍ରୁ ଉପରେ ନଜର ରଖିଥିଲା । ଭାରତୀୟ ସେନାକୁ ଠିକଣା ସମୟରେ ଶତ୍ରୁପକ୍ଷର ତଥ୍ୟ ଓ କୋର୍ଡିନେଟସ୍ ଦେଇଥିଲା । ଅନେକ ଡ୍ରୋନ୍ ଓ ମିସାଇଲ ଆକ୍ରମଣ ଫେଲ୍ ମାରିଥିଲା । ଇସ୍ରୋ କିଭଳି ଏହା କରୁଥିଲା?
ଉତ୍ତର: ବିକ୍ରମ ସରାଭାଇ ଭାରତୀୟ ମହାକାଶ ମିଶନ ଆରମ୍ଭ କରିଥିଲେ । ଦେଶର ସାଧାରଣ ଲୋକଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଏହା କରାଯାଇଥିଲା । ଲୋକଙ୍କ ହିତସାଧନ କଥା ଆସିଲେ ବିଭିନ୍ନ କ୍ଷେତ୍ରକୁ ବୁଝାଏ । ଖାଦ୍ୟ ନିରାପତ୍ତା, ବିପର୍ଯ୍ୟୟ ସତର୍କତା ଓ ପରିଚାଳନା, ସମ୍ବଳ ପରିଚାଳନା, ଟେଲି ଯୋଗାଯୋଗ, ନାଭିଗେସନ ପର୍ଯ୍ୟନ୍ତ, ସବୁଥିରେ ଇସ୍ରୋ କାମ କରୁଛି । ଭାରତର ବିସ୍ତୀର୍ଣ୍ଣ ବେଳାଭୂମି ରହିଛି । ୧୧ହଜାର ୫୦୦ କିମି ଦୈର୍ଘ୍ୟର ବେଳାଭୂମି ରହିଛି । ଦେଶକୁ ଅନେକ ଦେଶର ସୀମା ଲାଗିଛି । ଏହାର ସୁରକ୍ଷା ଦାୟିତ୍ୱରେ ବହୁ ସାଟେଲାଇଟ ନିୟୋଜିତ ହୋଇଛି । ଜାତୀୟ ସୁରକ୍ଷା ପାଇଁ ଇସ୍ରୋ ନିରନ୍ତର କାମ କରୁଛି । ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଜଗୁଛି । ଜରୁରୀ ପରିସ୍ଥିତିରେ ଦେଶର ଆବଶ୍ୟକତା ପୂରଣ ପାଇଁ ଆମେ କାମ କରୁଛୁ ।
ପ୍ରଶ୍ନ: ରିଜିଓନାଲ ନାଭିଗେସନ ସିଷ୍ଟମ କ୍ଷେତ୍ରରେ ଆମେ କେତେ ଆଗେଇଛୁ?
ଉତ୍ତର: ବର୍ତ୍ତମାନ ପାଇଁ ଅରବିଟ୍ ବା କକ୍ଷପଥରେ ଆମେ ଅନେକ ସାଟେଲାଇଟ୍ ସ୍ଥାନିତ କରିଛୁ । ଆଗକୁ ଆଉ କିଛି ସାଟେଲାଇଟ୍ ଛଡ଼ାଯିବ । ଖୁବଶୀଘ୍ର ୩ଟି ସାଟେଲାଇଟ ଛାଡ଼ିବାକୁ ଆମକୁ ଅନୁମତି ମିଳିସାରିଛି । ଆଗକୁ ପର୍ଯ୍ୟାୟକ୍ରମେ ନାଭିକ୍-୦୩, ନାଭିକ୍-୦୪ ଓ ନାଭିକ୍-୦୪ ଲଞ୍ଚ୍ ହେବ । ଅକ୍ଟୋବର ମାସରେ ନାଭିକ୍-୦୩ ସାଟେଲାଇଟ୍ ଲଞ୍ଚ କରିବାକୁ ଆପାତତଃ ଚୂଡ଼ାନ୍ତ ହୋଇଛି । ପ୍ରତି ୪ ମାସରେ ନାଭିକ୍ ସାଟେଲାଇଟ୍ ଲଞ୍ଚ କରାଯିବ । ଏସବୁ ନାଭିଗେସନ ସିଷ୍ଟମର ଫେଜ୍-୨ ସାଟେଲାଇଟ୍ ବର୍ଗରେ ଆସୁଛି । ଆଗକୁ ଫେଜ୍-୩ରେ ୩ଟି ସାଟେଲାଇଟ୍ ଛଡ଼ାଯିବ । ଏହା ଅନୁମତି ଅପେକ୍ଷାରେ ରହିଛି । ନାଭିଗେସନ ସିଷ୍ଟମରେ ଆଟମିକ୍ କ୍ଲକ୍ ବ୍ୟବହାର ହୁଏ । ପୂର୍ବରୁ ବାହାର ଦେଶରୁ ଆଣୁଥିଲୁ । କିନ୍ତୁ ଏବେ ସ୍ୱଦେଶୀ ଟେକ୍ନୋଲୋଜିରେ ଆଟମିକ୍ କ୍ଲକ୍ ବିକଶିତ ହେଉଛି । ନାଭିକ୍-୦୨ ସାଟେଲାଇଟ୍ରେ ଦୁଇଟି ସ୍ୱଦେଶୀ ଆଟମିକ୍ କ୍ଲକ୍ ଖଞ୍ଜାଯାଇଛି ଓ ଏହା ଉନ୍ନତ ପ୍ରଦର୍ଶନ କରୁଛି । ଆଗକୁ ଯେଉଁ ସାଟେଲାଇଟ୍ ଛଡ଼ାଯିବ ସେଥିରେ କେବଳ ସ୍ୱଦେଶୀ ଆଟମିକ୍ କ୍ଲକ୍ ବ୍ୟବହାର ହେବ । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଅଧିକ ସଂଖ୍ୟାରେ ସ୍ୱଦେଶୀ ଆଟମିକ୍ କ୍ଲକ୍ ତିଆରି ପାଇଁ ଆମେ ଧ୍ୟାନ ଦେଉଛୁ ।
ପ୍ରଶ୍ନ: ଭାରତର ସ୍ୱଦେଶୀ ସାଟେଲାଇଟ୍ ନାଭିଗେସନ ସିଷ୍ଟମ୍(ନାଭିକ୍) ଆମେରିକାର ଜିପିଏସ୍ ଓ ଋଷିଆର ଗ୍ଲୋନାସ୍ ସିଷ୍ଟମ ସହ କେତେ ଦୂର ସମକକ୍ଷ?
ଉତ୍ତର: ଆମେ ନିଜସ୍ୱ ଟେକ୍ନୋଲୋଜିରେ ସ୍ୱଦେଶୀ ସାଟେଲାଇଟ୍ ନାଭିଗେସନ ସିଷ୍ଟମ୍(ନାଭିକ୍) ବିକଶିତ କରିଛୁ । ଏହା ଅତି ଉନ୍ନତ ନାଭିଗେସନ ସିଷ୍ଟମ୍ । ନାଭିଗେସନ ପାଇଁ ଆମେ ଅନ୍ୟ ଉପରେ ନିର୍ଭର କରିବା କମାଇଛୁ । ଭାରତ ଏବେ ବିକଶିତ ଦେଶ ପାଲଟିଛି । ଦେଶ ପାଇଁ ଯେବେ ଯାହା ଆବଶ୍ୟକ ପଡୁଛି ତାକୁ ପୂରା କରିବାକୁ ଇସ୍ରୋ ଟିମ୍ ନିରନ୍ତର କାମ କରୁଛି । ସବୁ କ୍ଷେତ୍ରରେ ଆମେ ସଫଳ ହେଉଛୁ ।
ପ୍ରଶ୍ନ: ଇସ୍ରୋ ଲଞ୍ଚ କରିଥିବା ପିଏସଏଲଭି ସି-୬୧ ମିଶନ ସଫଳ ହୋଇନଥିଲା । ଏଥିରେ ଇଓଏସ୍ ସାଟେଲାଇଟ୍ କ୍ଷତି ହୋଇଛି । ଏହି ବିଫଳତାକୁ କେମିତି ଦେଖୁଛନ୍ତି?
ଉତ୍ତର: ମିଶନର ବିଫଳତା ସାମାନ୍ୟ ଦୁଃଖ ଦେଇଥିଲା । କିନ୍ତୁ ମହାକାଶ ମିଶନରେ ବିଫଳତା ବୋଲି କିଛି ଶବ୍ଦ ନାହିଁ । ଆମେ ଏହାକୁ ବିଫଳତା ବୋଲି ମାନୁନା । ଯେବେ ବି କୌଣସି ମିଶନ ସଫଳ ହୁଏନି, ଆମେ ଏଥିରୁ ତ୍ରୁଟିବିଚ୍ୟୁତି ଖୋଜି ଏହାକୁ ପୂର୍ବାପେକ୍ଷା ଅଧିକ ସଶକ୍ତ କରିବାକୁ ଚେଷ୍ଟା କରୁ । ପୂର୍ବରୁ ଜିଏସଏଲ୍ଭି ସ୍ୱଦେଶୀ କ୍ରାୟୋଜେନିକ୍ ଷ୍ଟେଜ୍ର ପରୀକ୍ଷଣ ସମୟରେ ଏହା ବିଫଳ ହୋଇଥିଲା । ସେବେ ଡ. ରାଧାକ୍ରିଷ୍ଣନ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଥିଲେ । ସେହି ପରୀକ୍ଷଣରେ ମୁଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲି । ଯେବେ ମିଶନ ଫେଲ୍ ହେଲା ସମସ୍ତେ ଦୁଃଖୀ ହେଲେ । କିନ୍ତୁ ଡ. ରାଧାକ୍ରିଷ୍ଣନ ସମସ୍ତଙ୍କୁ ବଳ ଦେଇ କହିଥିଲେ, ଆମ ପିଲା ଚାଲିବା ଶିଖିଲେ ଆମେ ଖୁସି ହେଉ । ପିଲା ଯେବେ ତଳେ ପଡ଼ିଯାଏ ଆମେ ଯଦି କାନ୍ଦିବା ବା ଦୁଃଖୀ ହେବା ସେ କେମିତି ଆଗକୁ ବଢ଼ିବ? ପିଲା ପଡ଼ିଲେ ହିଁ ଆଗକୁ ବଢ଼ିବା ଶିଖିବ । ଯେ କୌଣସି ବିଫଳତାକୁ ବିଶ୍ଲେଷଣ କରି ଏଥିରୁ ସଫଳତା ଖୋଜିବାରେ ଇସ୍ରୋ ଟିମ୍ ଧୂରନ୍ଧର । ଇଓଏସ୍ ସାଟେଲାଇଟ୍ ପ୍ରତିରକ୍ଷା ଉଦ୍ଦେଶ୍ୟରେ ଛଡ଼ା ଯାଇନଥିଲା । ଏହା ଏକ ସିଭିଲିଆନ ସାଟେଲାଇଟ୍ ଥିଲା । ତଥାପି ଏହି ବିଫଳତାକୁ ଆମେ ସ୍ୱୀକାର କରୁଛୁ । ପିଏସଏଲଭି ଏକ ଅପରେସନାଲ ଭେହିକିଲ୍ । ଆମେ ଏଥିରୁ ଶତ ପ୍ରତିଶତ ପ୍ରଦର୍ଶନ ଆଶା କରୁଛୁ । ଏହା ୪ଟି ପର୍ଯ୍ୟାୟ ବିଶିଷ୍ଟ ଭେହିକିଲ୍ । ପ୍ରଥମ ପର୍ଯ୍ୟାୟ ହେଉଛି ସଲିଡ୍ ପ୍ରପଲସନ୍ ସିଷ୍ଟମ । ଦ୍ୱିତୀୟ ପର୍ଯ୍ୟାୟ ଲିକ୍ୟୁଡ୍ ପ୍ରପଲସନ୍ ସିଷ୍ଟମ । ତୃତୀୟରେ ସଲିଡ୍ ଓ ଚତୁର୍ଥରେ ଲିକ୍ୟୁଡ୍ ପ୍ରପଲସନ୍ ସିଷ୍ଟମ ରହିଛି । ପ୍ରଥମ ଓ ଦ୍ୱିତୀୟ ପ୍ରପଲସନ୍ ସିଷ୍ଟମ ଭଲ କାମ କରିଥିଲା । ତୃତୀୟ ପର୍ଯ୍ୟାୟରେ ଥିବା ସଲିଡ୍ ପ୍ରପଲସନ୍ ସିଷ୍ଟମ ମଧ୍ୟ ଆରମ୍ଭରୁ ଭଲ କରୁଥିଲା । କିନ୍ତୁ ପରେ ଚାମ୍ବର ପ୍ରେସର କମିଗଲା । ଏଥିରୁ କିଛି ତ୍ରୁଟି ଥିବା ଜଣାପଡ଼ିଥିଲା । ପ୍ରେସର କମିବା ପରେ ବି ଚତୁର୍ଥ ପର୍ଯ୍ୟାୟ ପ୍ରପଲସନ୍ ସିଷ୍ଟମ ଭଲ କରିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ପ୍ରେସର କମିବା ଯୋଗୁ ଲଞ୍ଚ୍ ଭେହିକିଲ୍ର ସନ୍ତୁଳନ ଠିକ୍ ରହିଲାନି ।
ପ୍ରଶ୍ନ: ଭାରତର ସ୍ପେଡେକ୍ସ ମିଶନ ଓ ଏହାର ସଫଳତା କିଭଳି ଗୁରୁତ୍ୱ ରଖୁଛି?
ଉତ୍ତର: ସ୍ପେଡେକ୍ସ ମିଶନ ହେଉଛି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ । ଯେବେ ଅଧିକ ସଂଖ୍ୟାରେ ସାଟେଲାଇଟ୍ ଲିଫ୍ଟ ହୁଏ ସେବେ ଡକିଂ ଦରକାର ପଡ଼େ । ଆମେ ଆଗକୁ ସ୍ପେଶ୍ ଷ୍ଟେସନ କରିବାକୁ ଯାଉଛୁ । ଏହାର ଓଜନ ୫୨ ଟନ୍ । ଏହି ପୂରା ଓଜନକୁ ଗୋଟିଏ ରକେଟ୍ରେ ନେବା ସମ୍ଭବ ନୁହେଁ । ଏହାକୁ ପର୍ଯ୍ୟାୟକ୍ରମେ ନେବାକୁ ହେବ । ଏଥିପାଇଁ ୫ଟି ମଡ୍ୟୁଲ କାର୍ଯ୍ୟକାରୀ ହେବ । ସବୁ ସାମଗ୍ରୀ ମହାକାଶକୁ ଯିବା ପରେ ସେଠାରେ ଆସେମ୍ବଲ ବା ଯୋଡ଼ାଯିବ । ଏହି ଯୋଡ଼ିବା କାମକୁ ଡକିଂ କୁହାଯାଏ । ଚନ୍ଦ୍ରାୟନ-୪ ମିଶନକୁ ସରକାର ମଞ୍ଜୁରି ଦେଇ ସାରିଛନ୍ତି । ଚନ୍ଦ୍ରାୟନ-୩ ମିଶନରେ ବ୍ୟବହୃତ ସାଟେଲାଇଟ୍ର ଓଜନ ୪ହଜାର କେଜି ଥିଲା । ଆମ ଲଞ୍ଚ ଭେହିକିଲ୍ ୪୨୦୦ କେଜିର ସାଟେଲାଇଟ୍ ନେବାର କ୍ଷମତା ରଖୁଛି । କିନ୍ତୁ ଚନ୍ଦ୍ରାୟନ-୪ ସାଟେଲାଇଟ୍ର ଓଜନ ୯୬୦୦ କେଜି । ଏତେ ଓଜନ ବିଶିଷ୍ଟ ସାଟେଲାଇଟ୍ ନେବାକୁ ରକେଟ୍ ନାହିଁ । ଏଥିପାଇଁ ବହୁତ ପେ ଲୋଡ୍ ଆବଶ୍ୟକ ପଡ଼ିବ । ଏଣୁ ଦୁଇଟି ଅଲଗା ଲଞ୍ଚ ଭେହିକିଲ୍ରେ ଏହାକୁ ନିଆଯିବ ଓ ମହାକାଶରେ ଡକିଂ କରାଯିବ । ଡକିଂ ପରେ ଏହା ଚନ୍ଦ୍ରର କକ୍ଷପଥକୁ ଯିବ । ଏଥିରେ କିଛି ଅଂଶକୁ ଅନ୍ ଡକିଂ କରି ପୁଣି ଥରେ ପୃଥିବୀପୃଷ୍ଠକୁ ଫେରାଇ ଅଣାଯିବ । ଏହି ପୂରା ମିଶନରେ ଦୁଇ ଥର ଡକିଂ ଓ ୩ ଥର ଅନ୍ ଡକିଂ କରାଯିବ । ଏହାକୁ ସ୍ୱତନ୍ତ୍ର ଟେକ୍ନୋଲୋଜିରେ କରାଯିବ । ତଥାପି ଡକିଂ ଓ ଅନ ଡକିଂ ଏକ ଜଟିଳ ପ୍ରକ୍ରିୟା । ପୂର୍ବରୁ ଡକିଂରେ ଆମେ ସଫଳ ହୋଇନଥିଲୁ । ଗତ ଜାନୁଆରୀରେ ଆମେ ଏଥିରେ ସଫଳ ହୋଇଛୁ । ଏହି ପରୀକ୍ଷଣରେ ସଫଳ ହେବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ।
ପ୍ରଶ୍ନ: ଗଗନଯାନ ଓ ଭାରତର ନିଜସ୍ୱ ସ୍ପେଶ୍ ଷ୍ଟେସନ ସ୍ୱପ୍ନ କେବେ ସତ ହେବ?
ଉତ୍ତର: ଗଗନଯାନ ମିଶନରେ ଆମ ଦେଶର ଗଗନଯାତ୍ରୀ ଯିବେ । ଏଥିରେ ରିଅଲ ଟାଇମ୍ ହେଲଥ୍ ମନିଟରିଂ ସିଷ୍ଟମ୍ ରହିବ । ଏନଭର୍ନମେଣ୍ଟାଲ କଣ୍ଟ୍ରୋଲ ଆଣ୍ଡ ସେଫ୍ଟି ସିଷ୍ଟମ୍ ମଧ୍ୟ ରହିବ । ୬୦୦ରୁ ୭୦୦ ଫ୍ଲୁଇଡ କଣ୍ଟ୍ରୋଲ କମ୍ପୋନେଣ୍ଟ ରହିବ । ରକେଟ୍ରେ କ୍ୱଚିତ୍ କୌଣସି ତ୍ରୁଟି ଦେଖା ଦେଲେ ସେଥିରୁ ଗଗନଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଏହାକୁ କ୍ରିଉ ଏସକେପ୍ ସିଷ୍ଟମ କୁହାଯାଏ । କୌଣସି ଅସୁବିଧା ହେଲେ ରକେଟ୍ରୁ ଗଗନଯାତ୍ରୀଙ୍କୁ ବାହାରକୁ ଅଣାଯିବ । ପାରାଚୁଟ୍ ଜରିଆରେ ସେମାନେ ସେଠାରେ ଲ୍ୟାଣ୍ଡିଂ କରିବେ । ଗଗନଯାତ୍ରୀଙ୍କ ଖାଦ୍ୟ ଓ ବର୍ଜ୍ୟ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦେବାକୁ ହେବ । କ୍ରିଉଙ୍କ ରିକଭରି ପାଇଁ ବାୟୁସେନା ଓ ନୌସେନାର ସହାୟତା ବି ନେବୁ । ଏହା ଏକ ଜାତୀୟ ପ୍ରକଳ୍ପ । ଏଥିପାଇଁ ଦିନରାତି କାମ ଚାଲିଛି । ପ୍ରଥମେ ଦୁଇଟି ଅନକ୍ରିଉଡ୍ ମିଶନ ହେବ । ଆଗକୁ ମଙ୍ଗଳଯାନ-୨, ଚନ୍ଦ୍ରାୟନ-୫ ଓ ଭାରତର ନିଜସ୍ୱ ସ୍ପେଶ୍ ଷ୍ଟେସନ ସ୍ଥାପନ ପାଇଁ ମିଶନ ହେବ । ଏହି ମିଶନ ଜରିଆରେ ଭାରତକୁ ବିକଶିତ ଦେଶ ଭାବେ ଗଢ଼ି ତୋଳିବାକୁ ଆମେ ପ୍ରୟାସ ଜାରି ରଖିଛୁ । ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଲକ୍ଷ୍ୟ ରହିଛି । ୨୦୪୦ ବେଳକୁ ମହାକାଶ କ୍ଷେତ୍ରରେ ଯେ କୌଣସି ବିକଶିତ ଦେଶ ସହ ଆମେ ସମକକ୍ଷ ହେବୁ । ମ୍ୟାନ୍ ଟୁ ମୁନ୍ ବା ଚନ୍ଦ୍ରକୁ ମହାକାଶଚାରୀ ପଠାଇ ତାଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ମଧ୍ୟ ମିଶନ କରିବୁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ଦେଖାଇଛନ୍ତି ଓ ଆମେ ଏହା ଉପରେ କାମ କରୁଛୁ ।
ପ୍ରଶ୍ନ: ମହାକାଶ ଅଭିଯାନରେ ଓଡ଼ିଶାର ଭୂମିକା କେମିତି ରହିଛି?
ଉତ୍ତର: ଭାରତର ବିଭିନ୍ନ ମହାକାଶ ଅଭିଯାନରେ ୪୫୦ଟି ଶିଳ୍ପ ଅନୁଷ୍ଠାନ ଆମକୁ ସହାୟତା କରୁଛନ୍ତି । ଏଥିରେ ଭୁବନେଶ୍ୱର ସିଟିଟିସିର ବଡ଼ ଭୂମିକା ରହିଛି । ଗତ ୩୦ ବର୍ଷ ହେବ ସେମାନେ ବିଭିନ୍ନ ସହାୟତା କରି ଆସୁଛନ୍ତି । ଜାତୀୟ ମହାକାଶ କାର୍ଯ୍ୟକ୍ରମ ସିଙ୍ଗଲ ମ୍ୟାନ ପ୍ରୋଗ୍ରାମ ନୁହେଁ । ଏହା ଏକ ଟିମ୍ ୱାର୍କ । ଏଥିରେ ଏକାଡେମିକ୍ରୁ ନେଇ ଶିଳ୍ପ ସଂସ୍ଥାର ସହାୟତା ରହିଛି । ଦୁଇ ମାସ ତଳେ ଇସ୍ରୋ ସହାୟତାରେ ଏନଆଇଟି ରାଉରକେଲାରେ ଏକ ଇନକ୍ୟୁବେସନ ସେଣ୍ଟର ଆରମ୍ଭ ହୋଇଛି । ଯେଉଁ ଷ୍ଟାର୍ଟଅପ୍ ହେଉ ବା ଘରୋଇ ସଂସ୍ଥା, ଯିଏ ବି ଏ କ୍ଷେତ୍ରରେ ଆଗକୁ ଆସିବେ ଆମେ ସେମାନଙ୍କୁ ପ୍ରୋତ୍ସାହନ ଦେବୁ ।
ପ୍ରଶ୍ନ: ମହାକାଶ ଗବେଷଣାକୁ ନେଇ ଛାତ୍ରଛାତ୍ରୀଙ୍କୁ କଣ ବାର୍ତ୍ତା ଦେବେ?
ଉତ୍ତର: ସ୍ପେଶ୍ ଓ କମନମ୍ୟାନ୍ଙ୍କ ଭିତରେ କୌଣସି ସ୍ପେଶ୍ ବା ପ୍ରତିବନ୍ଧକ ନ ରହୁ । ପ୍ରଧାନମନ୍ତ୍ରୀ ସବୁବେଳେ ଏହା କହି ଆସୁଛନ୍ତି । ମହାକାଶ କେବଳ ଏଲାଇଟ୍ ଗ୍ରୁପ୍ ବା ଧନିକ ବର୍ଗଙ୍କ ବିଷୟ ନୁହେଁ । ଏହି ଧାରଣାକୁ ବଦଳାଇବାକୁ ପଡ଼ିବ । ଟେଲି କମ୍ୟୁନିକେସନ କ୍ଷେତ୍ରକୁ ଅଧିକ ଉନ୍ନତ କରିବାକୁ ହେବ । ଏବେ ବିଜ୍ଞାନ ଓ ଟେକ୍ନୋଲୋଜିର ଯୁଗ । କେବଳ ମହାକାଶ ନୁହେଁ, ମିସାଇଲ୍ ବିକାଶ, ଆଣବିକ ଶକ୍ତି, ବାୟୋ ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହେଉଛି । ମହାକାଶ କ୍ଷେତ୍ରରେ ବହୁ ସୁଯୋଗ ରହିଛି । ଭାରତର ମହାକାଶ ଅଭିଯାନ ସଫଳ ହେବା ପଛରେ ଟିମ୍ ୱାର୍କ ରହିଛି । ଦେଶ ସବୁବେଳେ ସଂସ୍ଥା ଓ ବ୍ୟକ୍ତିର ଉଦ୍ଧ୍ୱର୍ରେ । ବ୍ୟକ୍ତି କେବେ ବି ଦେଶ ଉପରେ ନୁହେଁ । କେବଳ ଭଲ ପାଠ ପଢ଼ିଲେ ହେବନି, ମାନବୀୟ ଆଚରଣ ଓ ମୂଲ୍ୟବୋଧକୁ ଉତ୍ତମ କରିବାକୁ ହେବ । ବ୍ୟକ୍ତିର ବିକାଶଠାରୁ ଦେଶର ବିକାଶ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ତୁମ ହୃଦୟ ବଡ଼ ତେବେ ତୁମର ବିକାଶ ଓ ସଫଳତାର ଉଚ୍ଚତା ନିଶ୍ଚୟ ବଡ଼ ହେବ । ଭଲ ମଣିଷ ହୁଏ । ବ୍ୟକ୍ତିଗତ ଓ ପେସାଦାର ଜୀବନ ଭିତରେ ସନ୍ତୁଳନ ରଖ । ଭାରତକୁ ବିକଶିତ କରିବା ପାଇଁ ସବୁବେଳେ ଚେଷ୍ଟା କର ।