ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୁର ଗାଜର । କଞ୍ଚା ଗାଜରରେ ଭିଟାମିନ-ଏ, ଭିଟାମିନ-ସି,ଭିଟାମିନ-କେ, ପୋଟାସିୟମ, ଆଇରନ, କ୍ୟାଲେସିୟମ ଭଳି ଜରୁରୀ ପୋଷକ ତତ୍ତ୍ବ ରହିଥାଏ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି ଇମ୍ୟୁନିଟି ବଢାଇବା ଯାଏଁ କାମ କରେ । କୋଲେଷ୍ଟ୍ରଲ କମ୍ କରି ଆମର ହୃଦୟ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଗାଜର ଖାଇଲେ ଆମକୁ କଣ ସବୁ ଫାଇଦା ମିଳିଥାଏ।
ଦୃଷ୍ଟିଶକ୍ତି ବଢାଏ: ଗାଜର ଭିଟାମିନ-ଏର ଏକ ଭଲ ଉତ୍ସ । ଏହା ଆଖିର ରେଟିନା ମଜଭୁତ କରିବାରେ ସାହାଯ୍ୟ କରିବା ସହ ଦୃଷ୍ଟିଶକ୍ତି ବଢାଏ । ଗାଜରରେ ବିଟା-କେରୋଟିନ ଭଳି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଆଖିକୁ ଅକ୍ସିଡେଟିଭ ଚାପରୁ ସୁରକ୍ଷା ଦେଇଥାଏ।
ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରିବା: କଞ୍ଚା ଗାଜର ରସ ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ । ପ୍ରତିଦିନ ଗୋଟିଏ ଗାଜର ଖାଇବା ଦ୍ବାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ବ ମିଳେ, ଯାହା ରୋଗ ସହ ଲଢିବାର କ୍ଷମତା ବଢାଏ । ଏଥିରେ ଥିବା ଭିଟାମିନ ଇମ୍ୟୁନିଟି ସିଷ୍ଟମ ମଜଭୁତ କରି ଆମକୁ ସୁସ୍ଥ ରଖେ ।
କୋଲେଷ୍ଟ୍ରଲ କଣ୍ଟ୍ରୋଲ: ଗାଜର ଜୁସ୍ ପିଇଲେ କେବଳ ଓଜନ ହ୍ରାସରେ ସହାୟକ ହୁଏନି ଏଥିସହ ଆପଣଙ୍କ ହୃଦୟ ବି ସୁସ୍ଥ ରହେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ସ୍ତର କମ୍ କରି ହୃଦରୋଗ ଆଶଙ୍କା କମାଇଥାଏ । କଞ୍ଚା ଗାଜରରେ ଥିବା ପୋଟାସିୟମ ରକ୍ତଚାପ ବା ବ୍ଲଡପ୍ରେସର ହ୍ରାସ କରିବାରେ ସାହାଯ୍ୟ କରେ।
ଓଜନ ହ୍ରାସ: ଓଜନ କମାଇବାକୁ ଚାହୁଁଥିବା ଲୋକେ ଗାଜର ଜୁସ୍ ପିଇବା ଲାଭଦାୟକ । ଏହା କେବଳ ଓଜନ ହ୍ରାସରେ ସହାୟକ ହୁଏନି ସ୍ବାସ୍ଥ୍ୟ ମଧ୍ୟ ଭଲ ରଖେ । ଏଥିରେ ଫାଇବର ଥିବାରୁ ଭୋକ ନିୟନ୍ତ୍ରଣ କରେ । ଫଳରେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ । ସେହିପରି ଏଥିରେ କ୍ୟାଲୋରୀ ମାତ୍ରା ଖୁବ୍ କମ୍ ଥିବାରୁ ବିନା କିଛି ସମସ୍ୟାରେ ଓଜନ କମ୍ କରିପାରିବେ ।
ବ୍ଲଡପ୍ରେସର ନିୟନ୍ତ୍ରଣ: କଞ୍ଚା ଗାଜରରେ ପ୍ରଚୁର ପୋଟାସିୟମ ମିଳେ । ଏହା ଶରୀରରେ ସୋଡିୟମ ସ୍ତର ସନ୍ତୁଳିତ କରିବାରେ ସାହାଯ୍ୟ କରେ । ସୋଡିୟମ ବ୍ଲଡପ୍ରେସର କମ୍ କରିବାରେ କାମ କରେ । ଏହାବ୍ୟତୀତ କଞ୍ଚା ଗାଜରରେ ଅଧିକ ଫାଇବର ଥାଏ । ଏହା ପାଚନରେ ସୁଧାର ଆଣେ ଓ ଶରୀରରେ କୋଲେଷ୍ଟ୍ରଲ କମ୍ କରେ ।