ମାଲକାନଗିରି, ୧୫/୧୧: ପୋଟେରୁ ନଦୀରେ ଅଖା ବସ୍ତା ଭିତରେ ଏକ ମୁଣ୍ଡ ବିହୀନ ଶବ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି କୌଣସି ବ୍ୟକ୍ତିଙ୍କର ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ବ୍ୟକ୍ତିଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୭ ଗାଁ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଏମଭି-୫୭ ଗାଁ ନିକଟରେ ପ୍ରବାହିତ ପୋଟେରୁ ନଦୀରେ ଏକ ସନ୍ଦେହଜନକ ଅଖା ବସ୍ତା ଭାସୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କାଲିମେଳା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ତାଟିକୁ ଉଦ୍ଧାର କରିଥିଲେ । ପରେ ଅଖା ବସ୍ତାଟିକୁ ଖୋଲିବା ପରେ ଏହା ଭିତରୁ ଏକ ମୁଣ୍ଡ ବିହୀନ ଶବ ବାହାରି ଥିଲା । ଏହା କୌଣସି ବ୍ୟକ୍ତିଙ୍କ ମୃତଦେହ ବୋଲି ଜଣାପଡ଼ିଛି ।
ତେବେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ଅଖା ଭିତରେ ଶବ ରଖି ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଭସାଇ ଦେଇଥିବା ପୋଲିସ ସନ୍ଦେହ କରୁଛି । ଏହାର ଅଧିକ ତଦନ୍ତ କରିବା ପାଇଁ ଶବଟିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ଏହି ଦୃଶ୍ୟ ଦେଖି ଗାଁ ଲୋକେ ଭୟଭିତ ହୋଇ ପଡିଛନ୍ତି । ଶବଟିର ପରିଚୟ କେମିତି ମିଳିବ ସେନେଇ ତଦନ୍ତ କରୁଛି କାଲିମେଳା ପୋଲିସ ।