ନୂଆଦିଲ୍ଲୀ: ବାଂଲାଦେଶରେ ଲଗାତାର ଭାବରେ ହିନ୍ଦୁ ମାନଙ୍କୁ ଟାର୍ଗେଟ କରାଯାଉଛି। ଏଠାରେ ସ୍ଥିତିରେ ସୁଧୁରିବାର ନା ଧରୁନି । ଏହି ସମୟରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଢାକା ଗସ୍ତରେ ଅଛନ୍ତି। ସୋମବାର ସକାଳେ ସେ ଏଠାରେ ପହଞ୍ଚି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି । ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଚଳିତ ବର୍ଷ ଅଗଷ୍ଟରେ ଶେଖ ହସିନା ସରକାରକୁ ହଟାଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି।
ଅଗଷ୍ଟରେ ଶେଖ ହସିନା ବାଂଲାଦେଶ ଛାଡି ଭାରତ ଆସିବା ସହିତ ନୂତନ କାର୍ଯ୍ୟନିର୍ବାହୀ ସରକାର ତଥା ଏହାର ମୁଖ୍ୟ ମୋହଦ୍ ୟୁନୁସ୍ ଭାରତକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଶେଖ ହସିନା ଦେଶ ଛାଡିବା ସହିତ ଆରମ୍ଭ ହୋଇଥିଲା। ଲୋକଙ୍କ ଘର ପୋଡି ଦିଆଯାଇଥିଲା, ହତ୍ୟାକାଣ୍ଡ ଘଟିଥିଲା ଏବଂ ମନ୍ଦିର ଗୁଡିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହି ସମୟରେ, ISKCON ମଧ୍ୟ ବାଂଲାଦେଶର ଟାର୍ଗେଟରେ ଆସିଥିଲା । କିଛି ସଂଗଠନ ISKCON କୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବାକୁ ଦାବି କରିଥିଲେ। କିଛି ଦିନ ପୂର୍ବରୁ ଜଣାଶୁଣା ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗିରଫ ପରଠାରୁ ଏଠାରେ କ୍ରମାଗତ ଉତ୍ତେଜନା ଲାଗି ରହିଛି।
ଆଉ ଏସବୁ ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଢାକାରେ ପହଞ୍ଚିଛନ୍ତି। ଦୁଇ ଦେଶର ବୈଦେଶିକ ସଚିବଙ୍କ ନେତୃତ୍ୱରେ ଏହି ପ୍ରତିନିଧୀ ଦଳ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।