ଜଗତସିଂହପୁର, ୧୭/୦୬ : ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ହଠାତ୍ ନିଆଁ ଲାଗିବାରୁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି । ଡାକ୍ତରଖାନାର ପୁରୁଣା କୋଠା ତଥା ପୂର୍ବରୁ ଡ୍ରେସିଂ ରୁମ୍ ଭାବେ ବ୍ୟବହାର ହେଉଥିବା ଘରେ ଆକସ୍ମିକ ନିଆଁ ଲାଗିଯାଇଥିଲା। ଉକ୍ତ ଘରେ ବିପୁଳ ପରିମାଣର ବ୍ଲିଚିଂ ମହଜୁଦ ଥିଲା। ମାର୍ବଲ ଟାଇଲ ଗୁଣ୍ଡ ରହିଥିଲା। ସମ୍ଭବତଃ ଗରମରୁ ବ୍ଲିଚିଂରେ ମନକୁ ମନ ନିଆଁ ଧରିଥିବା ସନ୍ଦେହ କରାଯାଉଛି। ଦମକଳ ଗାଡି ପହଞ୍ଚି ଥିଲେ ସୁଦ୍ଧା ମେଡିକାଲ ଫାଣ୍ଡି ପୁଲିସ ଓ ଘରୋଇ ସୁରକ୍ଷା କର୍ମୀ ପାଣି ପକାଇ ଓ ନିଆଁ ପ୍ରତିରୋଧକ ଗ୍ୟାସ୍ ସ୍ପ୍ରେ କରି ସ୍ଥିତିକୁ ଆୟତ୍ତ କରିଛନ୍ତି।
ଅଗ୍ନିକାଣ୍ଡ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ଚାରିଆଡ଼େ ଧୂଆଁ ବ୍ୟାପି ଯିବାରୁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି। ତେବେ ବ୍ଲିଚିଂରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ମେଡିକାଲର ପୁରୁଣା କୋଠାରେ ପରିତ୍ୟକ୍ତ ଜିନିଷ ପଡ଼ିରହିଛି।