ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ୟୁରୋ କପ୍ ୨୦୨୪: ୟୁକ୍ରେନକୁ ୩-୦ ଗୋଲ୍‌ରେ ହରାଇଲ ରୋମନିଆ, ଦ୍ବିତୀୟ ମ୍ୟାଚ୍‌ରେ ଫ୍ରାନ୍ସର ବିଜୟ

ମ୍ୟୁନିକ୍‌,୧୮/୦୬: ୟୁରୋପ ଫୁଟବଲ୍‌ରେ ଦୁର୍ବଳ  ଦଳ ଭାବେ ପରିଗଣିତ ରୋମାନିଆ ଚଳିତ ୟୁରୋ  ଚାମ୍ପିଅନ୍‌ସିପ୍‌ରେ ଏକ ମ୍ୟାଚ୍‌ ଜିତି ଇତିହାସ ରଚିଛି ।  ଗ୍ରୁପ୍‌-ଇ’ ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ରୋମାନିଆ  ୩-୦ ଗୋଲ୍‌ରେ ୟୁକ୍ରେନ୍‌କୁ ପରାସ୍ତ କରିଛି । ୟୁରୋ  ଚାମ୍ପିଅନ୍‌ସିପ୍‌ ଇତିହାସରେ ଏହା ରୋମାନିଆର  ଦ୍ୱିତୀୟ ବିଜୟ । ବିଶ୍ୱକପ୍‌ ଓ ୟୁରୋକୁ ମିଶାଇ  ରୋମାନିଆ ମୋଟ୍‌ ୧୭ଟି ମ୍ୟାଚ୍‌ ଖେଳିଛି  ଓ ଏଥିରୁ ୫ଟି ମ୍ୟାଚ୍‌ ଡ୍ର’ କରିଥିବାବେଳେ  ୧୦ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଶେଷ  ଥର ପାଇଁ ରୋମାନିଆ ୨୦୦୦ ୟୁରୋ ଚାମ୍ପିଅନ୍‌ସିପ୍‌ର ଏକ  ମ୍ୟାଚ୍‌ରେ ଇଂଲଣ୍ଡକୁ ୩-୨ ଗୋଲ୍‌ରେ ପରାଜିତ କରିଥିଲା ।  

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୟୁକ୍ରେନ୍‌ ପ୍ରଭାବ  ବିସ୍ତାର କରି ଖେଳିଥିଲା । ୭୨ପ୍ରତିଶତ ସମୟ ୟୁକ୍ରେନ  ଖେଳାଳିଙ୍କ ନିକଟରେ ବଲ୍‌ ରହିଥିଲା । ମାତ୍ର ରୋମାନିଆ  ସୀମିତ ସୁଯୋଗର ସଦୁପଯୋଗ କରି ବିଜୟୀ ହୋଇଥିଲା ।  ୯୦ମିନିଟ୍‌ ମଧ୍ୟରେ ରୋମାନିଆ ମାତ୍ର ୯ଟି ସୁଯୋଗ ସୃଷ୍ଟି  କରିଥିଲା ଓ ଏଥିରୁ ୩ଟି ଗୋଲ୍‌ ହୋଇଥିଲା । ଅନ୍ୟ  ପଟରେ ୟୁକ୍ରେନ ୧୩ଟି ସୁଯୋଗ ହାତଛଡ଼ା କରିଥିଲା ।  

ମ୍ୟାଚ୍‌ ଆରମ୍ଭରୁ ୟୁକ୍ରେନ୍‌ର ପଲା ଭାରି ରହିଥିଲା ।  ରୋମାନିଆ ନିକଟରେ ସେଭଳି କୌଣସି ତାରକା  ଖେଳାଳି ନଥିଲେ । ୨୯ତମ ମିନିଟ୍‌ରେ ନିକୋଲାଇ  ଷ୍ଟାନସିୟୁ ଏକ ଗୋଲ୍‌ କରିବା ପରେ ମ୍ୟାଚ୍‌ର ରୂପରେଖ  ବଦଳି ଯାଇଥିଲା । ୟୁକ୍ରେନ୍‌ ଲୟ ହରାଇ ବସିଥିଲା ।  ଦ୍ୱିତୀୟାର୍ଦ୍ଧରେ ରୋମାନିଆ ଆଉ ୨ଟି ଗୋଲ୍‌ କରିଥିଲା।  ୫୩ତମ ମିନିଟ୍‌ରେ ରଜଭାନ ମାରିନ ଓ ୫୭ତମ ମିନିଟ୍‌ରେ  ଡେନିସ ଡ୍ରାଗସ ଏହି ଗୋଲ୍‌ କରିଥିଲେ । ମିଡ୍‌ ଫିଲ୍ଡର  ଡେନିସ ମାନ୍‌ ୨ଟି ଗୋଲ୍‌ରେ ସହାୟତା କରିଥିଲେ ।

ତାରକା ଖଚିତ ଫ୍ରାନ୍ସ  ଚଳିତ ୟୁରୋ ଚାମ୍ପିଅନସିପ୍‌ରେ ସହଜ ବିଜୟ ସହ  ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‌-ଡି’ରେ ଫ୍ରାନ୍ସ  ଅଷ୍ଟ୍ରୀୟାକୁ ଭେଟିଥିଲା । କେବଳ ମାକ୍ସିମିଲାନ ଓବରଙ୍କ ଏକ  ତ୍ରୁଟିକୁ ଛାଡ଼ିଦେଲେ ଅଷ୍ଟ୍ରୀୟା ସମ୍ପୂର୍ଣ୍ଣ ୯୦ମିନିଟ୍‌ ଯାକ କଡ଼ା  ଟକ୍କର ଦେଇଥିଲା । ୨୦୨୨ ବିଶ୍ୱକପ୍‌ ରନର୍ସ ଅପ୍‌ ଫ୍ରାନ୍ସ  ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ଅନେକ ସୁଯୋଗ ହାତଛଡ଼ା କରିଥିଲା ଫ୍ରାନ୍ସ । ଅବଶ୍ୟ  ଅଷ୍ଟ୍ରୀୟା ଅଧିକ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା ।  ୩୮ତମ ମିନିଟ୍‌ରେ ଓବର ଫ୍ରାନ୍ସ ଫରୱାର୍ଡ କିଲିଆନ ଏମ୍‌ବାପେଙ୍କୁ ଅଟକାଇବାକୁ ପ୍ରୟାସ କରି ତ୍ରୁଟି କରିଥିଲେ ।  

ବଲ୍‌କୁ ନିୟନ୍ତ୍ରଣ କରିନପାରି ଓବର ନିଜ ଗୋଲ୍‌ ପୋଷ୍ଟରେ  ବଲ୍‌ ପହଞ୍ଚାଇ ଦେଇଥିଲେ । ଫ୍ରାନ୍ସ ଅଗ୍ରଣୀ ହାସଲ କରିଥିଲା ।  ଏହାପରେ ଅଷ୍ଟ୍ରୀୟା ମ୍ୟାଚ୍‌କୁ ଫେରିବା ପାଇଁ  ସବୁ ଶକ୍ତି ଲଗାଇ ଦେଇଥିଲା । ଫ୍ରାନ୍ସକୁ ମଧ୍ୟ  ଆକ୍ରମଣରୁ ଅଟକାଇବାରେ ସଫଳ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ (୫୫ତମ ମିନିଟ୍‌) ଏମ୍‌ବାପେ ଏକ  ନିଶ୍ଚିତ ସୁଯୋଗ ହାତଛଡ଼ା କରିଥିଲେ । ସେ ଅଷ୍ଟ୍ରୀୟାର ସବୁ  ଖେଳାଳିଙ୍କୁୂ ପଛରେ ପକାଇ ସାରିଥିଲେ । କେବଳ ସମ୍ମୁଖରେ  ଥିଲେ ଗୋଲକିପର । ତଥାପି ଏମବାପେ ଗୋଲ୍‌ କରିପାରି  ନଥିଲେ । ଏହାପରେ ମଧ୍ୟ ଆକ୍ରମଣ ଓ ପ୍ରତି ଆକ୍ରମଣ  ଜାରି ରହିଥିଲା । ହେଲେ ଗୋଲ୍‌ ସମ୍ଭବ ହୋଇ ନଥିଲା ।

  • PrameyaOdia
  • prameya
  • Euro Cup 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.