ନୂଆବର୍ଷ,୨୬/୦୩: ଆର୍ଥିକ କ୍ଷେତ୍ରରେ ସରକାର ଦ୍ରୁତ ଗତିରେ ଡିଜିଟାଲ ଆଡ଼କୁ ଗତି କରୁଛନ୍ତି। ୟୁପିଆଇ ଏହାର ଏକ ଜୀବନ୍ତ ଉଦାହରଣ। ଯାହା କେବଳ ଭାରତରେ ସଫଳ ହୋଇଛି ତାହା ନୁହେଁ, ବରଂ ବିଶ୍ବର ଅନେକ ଦେଶ ଏହାକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏହାକୁ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଯୋଜନା ଚାଲିଛି। ଏକ ଖବର ରହିଛି ଯେ ଆସନ୍ତା କିଛି ମାସ ମଧ୍ୟରେ ଆପଣ ୟୁପିଆଇ ମାଧ୍ୟମରେ ଇପିଏଫ୍ଓ ଟଙ୍କା ମଧ୍ୟ ଉଠାଇ ପାରିବେ। ଏହା ଉପରେ ଦ୍ରୁତ ଗତିରେ କାମ ଚାଲିଛି। ଅନୁମାନ କରାଯାଉଛି ଯେ ଏହି ବ୍ୟବସ୍ଥା ଜୁନ୍ ମାସରେ ଆରମ୍ଭ ହେବ। କେଉଁ ପ୍ରକାରର ଯୋଜନା ସାମ୍ନାକୁ ଆସିଛି ସେ ବିଶୟରେ ଆସନ୍ତୁ ଜାଣିବା।
ଡିଜିଟାଲ୍ ସେକ୍ଟରରେ ଏକ ପଦକ୍ଷେପ ନେଇ କର୍ମଚାରୀଙ୍କ ଭବିଷ୍ୟ ନିଧିପାଣ୍ଠି ସଂଗଠନ ବା ଇପିଏଫ୍ଓ, ୟୁପିଆଇ ଆଧାରିତ କ୍ଳେମ୍ ପ୍ରୋସେସ୍ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏଥି ସହିତ ଇପିଏଫ୍ଓ ସଦସ୍ୟମାନେ ତୁରନ୍ତ ସେମାନଙ୍କର ପ୍ରୋଭିଡେଣ୍ଟ ପାଣ୍ଠି ଉଠାଇବାକୁ ସମର୍ଥ ହେବେ। ସୂଚନା ପ୍ରଦାନ କରି ଶ୍ରମ ଏବଂ ନିଯୁକ୍ତି ସଚିବ ସୁମିତା ଡାଓ୍ବରା କହିଛନ୍ତି ଯେ ଦକ୍ଷତା ବୃଦ୍ଧି ଏବଂ କାରବାର ସମୟ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି। ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଡାୱ୍ରା ନିଶ୍ଚିତ କରିଛନ୍ତି ଯେ ଏହି ବୈଶିଷ୍ଟ୍ୟ ମେ କିମ୍ବା ଜୁନ୍ ଶେଷ ସୁଦ୍ଧା ଲାଇଭ୍ ହେବ, ଯାହା ମାଧ୍ୟମରେ ଇପିଏଫ୍ଓ ସଦସ୍ୟମାନେ ସେମାନଙ୍କ ସଞ୍ଚିତ ଅର୍ଥର ସମସ୍ତ ବିବରଣୀ ଚୁଟ୍କିରେ ପାଇପାରିବେ।
ଏକ ଲକ୍ଷ ପର୍ଯ୍ୟନ୍ତ ଉଠାଇପାରିବେ ଟଙ୍କା:
ସେ କହିଛନ୍ତି ଯେ ଆବଶ୍ୟକୀୟ ପରୀକ୍ଷଣ ପରେ ଆମେ ମେ ମାସ ଶେଷ ସୁଦ୍ଧା ଇପିଏଫଓ କ୍ଳେମ୍ ପାଇଁ ୟୁପିଆଇ ଫ୍ରଣ୍ଟେଣ୍ଡ ଲଞ୍ଚ କରିବାକୁ ଆଶା କରୁଛୁ। ଏହା ସମସ୍ତ ସଦସ୍ୟଙ୍କୁ ଉପକୃତ କରିବ କାରଣ ସେମାନେ ସେମାନଙ୍କର ଇପିଏଫ୍ଓ ଆକାଉଣ୍ଟକୁ ସିଧାସଳଖ ୟୁପିଆଇ ଇଣ୍ଟରଫେସରେ ଦେଖିପାରିବେ ଏବଂ ଅଟୋ-କ୍ଳେମ କରିପାରିବେ। ଯଦି ଗ୍ରାହକ ଯୋଗ୍ୟ ତେବେ ଅନୁମୋଦନ ପ୍ରକ୍ରିୟା ତତକ୍ଷଣାତ୍ ହେବ, ଯେଉଁଥିପାଇଁ ତୁରନ୍ତ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ। ଡାଓ୍ବରା ଏଏନ୍ଆଇକୁ କହିଛନ୍ତି ଯେ ସଦସ୍ୟମାନେ ଅଟୋ ସିଷ୍ଟମ ଜରିଆରେ ତୁରନ୍ତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ ଏବଂ ସ୍ଥାନାନ୍ତର ପାଇଁ ସେମାନଙ୍କ ପସନ୍ଦିତ ବ୍ୟାଙ୍କ ଆକାଉଣ୍ଟ ବାଛି ପାରିବେ।
ଇପିଏଫ୍ଓରେ ହେବ ବୈଳ୍ପବିକ ପରିବର୍ତ୍ତନ:
ବର୍ତ୍ତମାନ ଇପିଏଫ୍ଓ ସଦସ୍ୟମାନଙ୍କୁ କ୍ଳେମ ପ୍ରୋସେସ ଅତିକ୍ରମ କରିବାକୁ ପଡୁଛି, ଯେଉଁଥିପାଇଁ ଦୁଇ ତିନିଦିନ ସମୟ ଲାଗୁଛି। ଥରେ UPI ଇଣ୍ଟିଗ୍ରେସନ ଆରମ୍ଭ ହୋଇଗଲେ, କିଛି ଘଣ୍ଟା କିମ୍ବା କିଛି ମିନିଟ୍ ମଧ୍ୟରେ ଉଠାଣ ସମ୍ଭବ ହେବ ବୋଲି ଆଶା କରାଯାଉଛି। ଏହି ସୁବିଧା ପ୍ରୋଭିଡେଣ୍ଟ ପାଣ୍ଠି ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି, ଯେପରି ୟୁପିଆଇ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲା। ଦ୍ରୁତ ଉଠାଣ ବ୍ୟତୀତ, ଇପିଏଫ୍ଓ ପାଣ୍ଠିର ବ୍ୟବହାର ପରିସରକୁ ବିସ୍ତାର କରିଛି ବୋଲି ଡାଓ୍ବରା କହିଛନ୍ତି। କ୍ଳେମ ପ୍ରୋସେସ ଶୃଙ୍ଖଳିତ କରିବା ପାଇଁ ୧୨୦ ରୁ ଅଧିକ ଡାଟାବେସ୍ ଏକୀକୃତ ହୋଇଛି ଏବଂ ୯୫ ପ୍ରତିଶତ କ୍ଳେମ ଅଟୋମେଟିକ ହୋଇସାରିଛି। ଏହାର ଉଦ୍ଦେଶ୍ୟ ହେଉଛି ପ୍ରକ୍ରିୟାକୁ ଆହୁରି ସରଳ କରିବା, ଯାହାଦ୍ୱାରା କାଗଜପତ୍ର ଏବଂ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼େନାହିଁ।