ନୂଆଦିଲ୍ଲୀ: ଭାରତ ଲଦାଖର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଦୌଲତ ବେଗ ଓଲ୍ଡି (ଡିବିଓ) ଅଞ୍ଚଳକୁ ଏକ ୧୩୦ କିଲୋମିଟର ବିକଳ୍ପ ରାସ୍ତା ନିର୍ମାଣ କରୁଛି। ଏହା ୨୦୨୬ ଅକ୍ଟୋବର-ନଭେମ୍ବର ସୁଦ୍ଧା ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି। ରାସ୍ତାଟି ସାସୋମା-ସାସେର ଲା-ସାସେର ବ୍ରାଙ୍ଗସା-ଗାପଶାନ-ଡିବିଓ ଆଦି ଅଞ୍ଚଳରେ ବିସ୍ତୃତ ଭାବେ ବିସ୍ତାର କରାଯାଇଛି। ଡିବିଓରେ ୧୬,୬୧୪ ଫୁଟ ଉଚ୍ଚତାରେ ଏକ ଅତ୍ୟାଧୁନିକ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ରହିଛି, ଯାହା ଚୀନ ଅଧିକୃତ ଅକ୍ସାଇ ଚିନ୍ ନିକଟରେ ଅବସ୍ଥିତ। ଏଣୁ ଏହି ନିର୍ମାଣ ଭାରତ ପାଇଁ ସାମରିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି।
ଏହି ରାସ୍ତା ଭାରତୀୟ ସେନା ପାଇଁ ଚୀନ୍ ସୈନ୍ୟ ଛାଉଣୀର ନଜରରୁ ମୁକ୍ତ ଥିବା ଏକ ସୁରକ୍ଷିତ ଓ ଦ୍ରୁତ ବିକଳ୍ପ ରାସ୍ତା ଭାବେ କାମ କରିବ। ବର୍ତ୍ତମାନର ଦାରବୁକ-ଶ୍ୟୋକ-ଡିବିଓ ରାସ୍ତା ଚୀନ୍ ନଜରରେ ରହିଛି। ୨୦୨୦ରେ ଗଲୱାନ ଉପତ୍ୟକା ଉଭୟ ଦେଶର ସୌନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହା ଲେହରୁ ଡିବିଓ ଅଞ୍ଚଳକୁ ଦୂରତ୍ୱ ୭୯ କିଲୋମିଟର ହ୍ରାସ କରିବ ଯାହା ଯାତ୍ରା ସମୟକୁ ଦୁଇ ଦିନରୁ ୧୧-୧୨ ଘଣ୍ଟାକୁ କମାଇବ ବୋଲି ଅନୁମାନ କରାଯାଉଛି। ଏହା ସୈନ୍ୟ ଓ ଲଜିଷ୍ଟିକ୍ସ ଚଳାଚଳକୁ ସହଜ କରିବା ସହ ସମସ୍ତ ସାମରିକ କାର୍ଯ୍ୟକଳାପକୁ ସୁରକ୍ଷିତ ରଖିବ।
ବର୍ଡର ରୋଡସ ଅର୍ଗାନାଇଜେସନ(ବିଆରଓ) ସାସୋମାରୁ ସାସେର ବ୍ରାଙ୍ଗସା ପର୍ଯ୍ୟନ୍ତ ସଂଯୋଗ ଓ ବ୍ଲାକ୍-ଟପିଂ କାର୍ଯ୍ୟ ଶେଷ କରିସାରିଛି। ମୁର୍ଗୋ ଓ ଗାପଶାନ ଆଡ଼କୁ ୬୦-୭୦% କାର୍ଯ୍ୟ ସମାପ୍ତ ହେବା ସହ ଜୋରସୋରରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଭାରି ସାମରିକ ସାମଗ୍ରୀ ଯଥା ବୋଫୋର୍ସ କାମାଣ ପରୀକ୍ଷଣ ପାଇଁ ଏହି ରାସ୍ତା ଦେଇ ସଫଳତାର ସହିତ ପରିବହନ କରାଯାଇ ସାରିଛି। ସାସେର ଲାରେ ୧୭,୬୬୦ ଫୁଟ ଉଚ୍ଚତାରେ ୭ କିଲୋମିଟର ଲମ୍ବା ଟନେଲର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଯାହାଦ୍ୱାରା ବର୍ଷର ଯେକୌଣସି ସମୟରେ ଓ ଯେକୌଣସି ପାଗରେ ଏହି ରାସ୍ତା ଦେଇ ସୀମା ନିକଟରେ ପହଞ୍ଚି ହେବ। ରାସ୍ତାଟି କରାକୋରମ ପାସ୍ ନିକଟରେ ଏବଂ ସବ-ସେକ୍ଟର ନର୍ଥରେ ଅବସ୍ଥିତ, ଯାହା ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ବିଶେଷ ଭାବେ ଗୁରୁତ୍ଵପୂର୍ଣ୍ଣ ରହିଛି।
୨୦୨୦ ଗାଲୱାନ ସଂଘର୍ଷ ଓ ଡେପସାଙ୍ଗ ପ୍ଲେନ୍ସରୁ ସୈନ୍ୟ ପ୍ରତ୍ୟାହାର ପରେ ଏହି ରାସ୍ତାର ଆବଶ୍ୟକତା ବୃଦ୍ଧି ପାଇଛି। ଡିଏସଡିବିଓ ରାସ୍ତା ଏଲଏସି ନିକଟତର ହେତୁ ଚୀନ୍ ସୈନ୍ୟଙ୍କ ନଜର ଏହା ଉପରେ ରହୁଛି। ଯାହା ଭାରତୀୟ ସୈନ୍ୟ ଓ ସାମଗ୍ରୀ ଚଳାଚଳ ପାଇଁ ବିପଦଜନକ ପରିବେଶ ସୃଷ୍ଟି କରିଛି। ଏହି ନିର୍ମାଣଧିନ ରାସ୍ତା ସମସ୍ତ ଅସୁବିଧା ଦୂର କରି ଭାରତର ସାମରିକ କ୍ଷମତାକୁ ଅଦିକ ମଜବୁତ କରିବ ବୋୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।