ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିରରୁ ଏକ ବୀଭତ୍ସ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ଶୁକ୍ରବାର ରାତି ପ୍ରାୟ୯.୩୦ ସମୟରେ ଭକ୍ତମାନେ ଜଣେ ପୂଜାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ଚୁନି-ପ୍ରସାଦ ନପାଇବାରୁ ଭକ୍ତମାନେ ଉତ୍ତେଜିତ ହୋଇ ଯାଇଥିଲେ। କ୍ରୋଧରେ ଏହି ଲୋକମାନେ ପୂଜାରୀଙ୍କୁ ଏତେ ପିଟିଥିଲେ ଯେ, ତାଙ୍କର ମୃତ୍ୟୁ ହୋଇଥିଲା।
ପୋଲିସ ଘଟଣାର ସୂଚନା ପାଇବା ମାତ୍ରେ ଏକ ଦଳ ନେଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅତୁଲ ପାଣ୍ଡେଙ୍କୁ ଗିରଫ କରିଥିଲା। କାଲକାଜୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତକଙ୍କ ନାମ ୩୫ ବର୍ଷୀୟ ଯୋଗେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି। ସେ ୟୁପିର ହରଦୋଇର ବାସିନ୍ଦା। ଅଭିଯୁକ୍ତ ତାଙ୍କୁ ବାଡ଼ି ଏବଂ ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ, ତାଙ୍କୁ ତୁରନ୍ତ ଏମ୍ସର ଟ୍ରମା ସେଣ୍ଟରକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅଭିଯୁକ୍ତ କାଲକାଜୀ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ପ୍ରସାଦରେ ଚୁନି ମାଗିବାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ଏତେ ବଢ଼ିଗଲା ଯେ ଦୁର୍ବୃତ୍ତ ମାନେ ସେବାୟତଙ୍କୁ ଲାଠିରେ ନିଷ୍ଠୁର ଭାବରେ ପିଟିବା ଆରମ୍ଭ କଲେ।
ଘଟଣାକୁ ନେଇ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚିନ୍ତା ପ୍ରକାଶ କରିଛନ୍ତି। ସେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଦିଲ୍ଲୀର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି।
ପୁଲିସ ପଚରାଉଚରା ସମୟରେ ଜାଣିବାକୁ ପାଇଛି ଯେ ଯୋଗେନ୍ଦ୍ର ସିଂହ ଗତ ୧୫ ବର୍ଷ ଧରି କାଲକାଜୀ ମନ୍ଦିରର ଜଣେ ସେବାଦାର ଥିଲେ। ଦକ୍ଷିଣପୁରୀର ବାସିନ୍ଦା ୩୦ ବର୍ଷୀୟ ଅତୁଲ ପାଣ୍ଡେଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି, ଯେତେବେଳେ ପୋଲିସ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜୁଛି।