ବିନିକା, ୧୯/୧୧ : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୋହୂ ଅଞ୍ଜଳି ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘୀକୁଣ୍ଡି ଗ୍ରାମର ସୁବିଧା ମହାକୁରଙ୍କ ଝିଅ ଅଞ୍ଜଳି ପ୍ରଧାନ ଗତ ୬ ମାସ ତଳେ ବିନିକା ଥାନା ଚରଦା ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ। ବାହାଘର ପରେ ଅଞ୍ଜଳିଙ୍କୁ ବାରମ୍ବାର ଟଙ୍କା ଓ ସୁନା ପାଇଁ ଯୌତୁକ ନିର୍ଯାତନା ଦିଆଯାଉଥିଲା। ଗତ ୧୩ ତାରିଖରେ ଅଞ୍ଜଳିଙ୍କୁ କୌଣସି କାରଣରୁ ପ୍ରଥମେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହିଦିନ ଠାରୁ ଅଞ୍ଜଳିଙ୍କ ଚିକିତ୍ସା ଜାରି ରହିଥିଲା। ଆଜି (ମଙ୍ଗଳବାର) ଚିକିତ୍ସାଧିନ ଅବସ୍ଥାରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି। ଅଞ୍ଜଳିଙ୍କ ମା ସୁବିଧା ମହାକୁର ଝିଅକୁ ଯୌତୁକ ପାଇଁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।