ଚେନ୍ନାଇ: ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍ କଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ରୁ ୪ ଘଣ୍ଟା ଯାଏଁ ଚାଲିବ । ବାତ୍ୟା ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିଥିବା କୁହାଯାଉଛି । ଝଟକା ପବନ ବେଳେ ବେଳେ ୯୦ କିଲୋମିଟର ଯାଏ ପହଞ୍ଚିଯାଉଛି ।
ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଚେନ୍ନାଇରେ ବିମାନ ଏବଂ ଟ୍ରେନ ସେବା ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଏୟାରପୋର୍ଟ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାଣିପାଗ ବିଭାଗ ଅନୁସାରେ, ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର, କାଞ୍ଚିପୁରମ, ବେଲ୍ଲୋର, ରାନୀପେଟ, ତିରୁପଥୁର, କୃଷ୍ଣାଗିରି, ଧର୍ମପୁରୀ, ତିରୁବନ୍ନାମଲାଇ, କଲ୍ଲାକୁରିଚି, ବିଲ୍ଲୁପୁରମ୍ ଏବଂ କୁଡ୍ଡାଲୋର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ ।
ଆଇଏମଡିର ସୂଚନା ଅନୁସାରେ, ବାତ୍ୟା ଫେଙ୍ଗଲ ସ୍ଥଳଭାବ ଛୁଇଁବା ପରେ ଏହା ମନ୍ଥର ଗତିରେ ଆଗକୁ ବଢିବ । ଯେଉଁଥିପାଇଁ ଅଧିକ ବର୍ଷାର ସମ୍ଭାବନା ରହିଛି । ବତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁଇ ଦିନ ଯାଏ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବତ୍ୟା ଫେଙ୍ଗଲକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣକୁ ଡିସେମ୍ୱର ୧ ଅପରାହ୍ଣ ୪ଟା ଯାଏ ବାତିଲ କରିଦିଆ ଯାଇଛି ।