ନୂଆଦିଲ୍ଲୀ,୨୬/୦୩: ପ୍ରେମ, ପ୍ରତିଶ୍ରୁତି ଓ ସ୍ୱୀକୃତିର ଏକ ନିଆରା ପ୍ରେମ କାହାଣୀ । ପ୍ରଥମେ ପରିବାର ସମ୍ପର୍କକୁ ଗ୍ରହଣ କରି ନଥିଲେ । ହେଲେ ଧୀରେ ଧୀରେ ଭଲ ପାଇବା ମିଳିଥିଲା । ୬୪ ବର୍ଷ ତଳେ ଘରୁ ପଳାଇଥିଲେ । ପରିବାର ବିନା ସୀକୃତିରେ ବିବାହ କରିଥିଲେ । ଏବେ ପୁଣି ଆଉ ଥରେ ପୁନର୍ବିବାହ କରିଛନ୍ତି । ପରିବାର,ନାତିନାତୁଣୀଙ୍କ ଗହଣରେ ୬୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ଏକ ଦମ୍ପତ୍ତି । ୮୦ ବର୍ଷ ବୟସରେ ପରିଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ହର୍ଷ ଓ ମୃଦୁ । ଗୁଜରାଟରଗୋଟିଏ ହୃଦୟସ୍ପର୍ଶୀ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ।
ଗୁଜରାଟର ଦମ୍ପତି ହର୍ଷ ଓ ମୃଦୁ ସେମାନଙ୍କର ୬୪ତମ ବିବାହ ବାର୍ଷିକୀକୁ ଅତ୍ୟନ୍ତ ଅସାଧାରଣ ଉପାୟରେ ପାଳନ କରିଛନ୍ତି । ୮୦ ବର୍ଷ ବୟସରେ ଉଭୟ ବିବାହ କରିଛନ୍ତି, ଯାହା ଦୀର୍ଘ ୬୦ ବର୍ଷ ତଳେ ହୋଇପାରି ନ ଥିଲା । ନିଜର ସନ୍ତାନ ଓ ନାତିନାତୁଣୀ ଏବଂ ବଡ଼ ପରିବାର ଗହଣରେ ଏହି ନିଆରା ବିବାହ ଅନୁଷ୍ଠିତ ହୋଇଛି । ୧୯୬୦ ଦଶକରେ ଏହି ଦମ୍ପତିଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ସେତେବେଳେ ଭାରତରେ ଅନ୍ୟ ଜାତିରେ ବିବାହକୁ କଡ଼ା ବିରୋଧ କରାଯାଉଥିଲା । ହର୍ଷ ଜୈନ୍ୟ ଓ ମୃଦୁ ବ୍ରାହ୍ମଣ ଥିଲେ । ସ୍କୁଲରେ ଉଭୟ ପରସ୍ପରକୁ ଭେଟିଥିଲେ । ଉଭୟଙ୍କ ପ୍ରେମ କାହାଣୀ ସେଇଠୁ ଆରମ୍ଭ ହେଲା । ଚିଠି ଦିଆନିଆରେ ପ୍ରେମ ଚାଲିଲା । ମୃଦୁଙ୍କ ପରିବାର ଏ ବିଷୟରେ ଜାଣିବା ପରେ ଉଭୟଙ୍କ ପ୍ରେମକୁ କଡ଼ା ବିରୋଧ କଲେ । ଶେଷରେ ପ୍ରେମୀଯୁଗଳ ଚରମ ନିଷ୍ପତ୍ତି ନେଲେ । ପରିବାର କଥା ଗ୍ରହଣ କରିବା ପରିବର୍ତ୍ତେ ପ୍ରେମକୁ ବଞ୍ଚାଇବା ପାଇଁ ହର୍ଷ ଓ ମୃଦୁ ଘରୁ ପଳାୟନ କଲେ ।
ପରିବାର ସମର୍ଥନ ବିନା ଉଭୟ ଜୀବନର ଅନେକ ଆହ୍ୱାନର ସମ୍ମୁଖୀନ ହେଲେ । ପ୍ରେମ ଓ ସଂକଳ୍ପ ଉପରେ ସେମାନଙ୍କ ଜୀବନ ଆରମ୍ଭ ହେଲା । ସେମାନେ କେବଳ ପ୍ରେମର ଏକ ସୁନ୍ଦର ଘର ଗଢ଼ିଲେ ତାହା ନୁହେଁ ପ୍ରଥମେ ଯେଉଁ ପରିବାର ସେମାନଙ୍କୁ ଗ୍ରହଣ କରୁନଥିଲା, ଧୀରେ ଧୀରେ ସେମାନଙ୍କର ଭଲପାଇବା ମଧ୍ୟ ପାଇଲେ । ଉଭୟଙ୍କ ସନ୍ତାନ ଓ ନାତିନାତୁଣୀ ଏହି ପ୍ରେମ କାହାଣୀ ଶୁଣି ବଡ଼ ହେଲେ । ସମାଜର ଜାତିଗତ ପ୍ରାଚୀରକୁ ଭାଙ୍ଗି ଏହି ଦମ୍ପତି କିଭଳି ପ୍ରେମ ଓ ଦୃଢ଼ତାର ପରିଚୟ ଦେଲେ, ତାହା ସେମାନଙ୍କୁ ପ୍ରେରଣା ଦେଲା ।
ଉଭୟଙ୍କର ଅନନ୍ୟ ଯାତ୍ରା ଓ ସମର୍ପଣଭାବକୁ ସମ୍ମାନ ଦେବା ପାଇଁ ହର୍ଷ-ମୃଦୁଙ୍କ ନାତିନାତୁଣୀ ସେମାନଙ୍କର ୬୪ତମ ବିବାହ ବାର୍ଷିକୀ ଅବସରରେ ଏକ ସର୍ପ୍ରାଇଜ୍ ବିବାହ ଉତ୍ସବର ଆୟୋଜନ କଲେ । ହର୍ଷ ଓ ମୃଦୁ ଘରୁ ପଳାୟନ କରିବା ପରଠୁ କେବେ ପରସ୍ପରଠୁ ଅଲଗା ହୋଇନଥିଲେ । କିନ୍ତୁ ଗୋପନରେ ବିବାହ ପ୍ରସ୍ତୁତି କରିବା ଲାଗି ପ୍ରଥମ ଥର ଉଭୟଙ୍କୁ କିଛି ଦିନ ପାଇଁ ଅଲଗା ରଖାଗଲା । ଯୁବ ବୟସରେ ସେମାନେ ହରାଇଥିବା ସମସ୍ତ ବିଧି ଏହି ଉତ୍ସବରେ ପାଳିତ ହେଲା । ହୋମ ନିଆଁକୁ ସାକ୍ଷୀ ରଖି ସାଥଫେରା ନେଲେ । ଆହ୍ୱାନଭରା ଜୀବନରେ ସେମାନଙ୍କୁ ମାର୍ଗଦର୍ଶନ କରିଥିବା ସେଇ ପ୍ରେମ ଓ ପ୍ରତିଶ୍ରୁତିର ଶପଥ ନେଲେ ।