ଭୁବନେଶ୍ବର ୧୨।୬: ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହକୁ ନେଇ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି । ପ୍ରତାରଣାର ଅନେକ ସ୍ଲୋଗାନ ଦେଇ ପିସିସି ମୁଖିଆ ଭକ୍ତ ଚରଣ ଦାସ କହିଥିଲେ, ବିଜେପି ସରକାର ପ୍ରତିଶ୍ରୁତି ପାଳନ ବଦଳରେ ପ୍ରତାରଣା ଅଧିକ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ୨୩ଟି ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ। ନିର୍ବାଚନ ବେଳେ ଲୋକଙ୍କୁ ପ୍ରତିଶ୍ରୁତି ମିଳିଥିଲା ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବେ । ଚାବି ତାମିଲନାଡୁର ଆଣିବେ । ହେଲେ ଚାବି କୋଉଠୁ ଆଣିଲେ ତାହା ଜଣାନାହିଁ । ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ବଦଳରେ ବର୍ଷକୁ ୧୦ହଜାର ଟଙ୍କା ଦେଇ ପ୍ରତାରଣା କରିଛନ୍ତି । ସେହିପରି ରାଜ୍ୟରେ ମଦର ବଢିପାଣି ବୋଲି କହିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।
ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ, ବିଜେପି ସରକାର ଏହି ଏକ ବର୍ଷ ଭିତରେ କ’ଣ ପ୍ରତାରଣା କରିଛି ତାହାର ହିସାବ ଦିଅନ୍ତୁ । ସେପଟେ ପୂର୍ବତନ ପିସିସି ସଭାପତି ତଥା ଚିଠା କମିଟି ଅଧକ୍ଷ ପ୍ରସାଦ ହରିଚନ୍ଦନ କହିଥିଲେ, ମୋଦି ଗ୍ୟାରେଣ୍ଟି ମିଛ ଖାଣ୍ଟି । ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବନ୍ଧିବେ ବୋଲି କହିଥିଲେ। ହେଲେ ଶାସନକୁ ଆସିବା ପରେ ସେହିଭଳି ଅଫିସରଙ୍କୁ ବାନ୍ଧିବା ବଦଳରେ ପ୍ରମୋସନ ଦେଇ ଦିଲ୍ଲୀ ପଠାଇଲେ । ଏ ସରକାର ପିସି ସରକାର । ଖଣି ଦୁର୍ନୀତି କଥା ମଧ୍ୟ କଂଗ୍ରେସ ଉଠାଇଥିଲା । ହେଲେ ଏବେ ଧର୍ମଶାଳାରୁ ଧର୍ମଗଡ ପର୍ଯ୍ୟନ୍ତ ବାଲି ମୋରମ ତସ୍କରି ବଢ଼ିଚାଲିଛି । ଏହା ପଛରେ ସରକାରଙ୍କ ହାତ ରହିଛି । ଯାହାର ପ୍ରମାଣ ବାଲେଶ୍ଵରରେ ମାଇନିଂ ଅଧିକାରୀଙ୍କୁ ମାଡ଼ ବୋଲି ପ୍ରସାଦ ହରିଚନ୍ଦନ କହିଥିଲେ ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ନବମରୁ ଲାପଟପ୍ ଦେବେ, ହେଲେ ଦେଇ ନାହାନ୍ତି। ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦରମା ବଢ଼ାଇବେ କହି ବଢ଼ାଇ ନାହାନ୍ତି। ଚିଟ୍ଫଣ୍ଡ ଟଙ୍କା ଦେଲେନି । ପେସା ଆଇନ ଲାଗୁ କରିବେ କହି, ସେ କଥା କଲେନି । ୩୧ଶହ ର ଲାଭ ଚାଷୀ ପାଖକୁ ନଯାଇ ଅଧିକାରୀଙ୍କ ନିକଟକୁ ଯାଉଛି । ସରକାର ସମ୍ପୂର୍ଣ ବିଫଳ ବୋଲି ନିରଞ୍ଜନ ପଟ୍ଟାନାୟକ କହିଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସଂସଦ ଅନନ୍ତ ପ୍ରସାଦ ସେଠି, ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି, ଚିଠା କମିଟି ସଦସ୍ୟ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।