ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡ଼ୁଛି ଦିଲ୍ଲୀ । ମୈଦାନରେ ସବୁ ଦଳର ହେଭିଓ୍ବେଟ୍ ନେତା ପ୍ରଚାର କରୁଛନ୍ତି । ଏହାରି ଭିତରେ ଶନିବାର ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେଜ୍ରିଓ୍ବାଲ ବସିଥିବା ଗାଡ଼ି ଉପରକୁ ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ସମର୍ଥକମାନେ ପଥର ମାଡ଼ କରିଥିବା କୁହାଯାଉଛି । ଆପ୍ ପକ୍ଷରୁ ଅଭିଯୋଗ ହୋଇଛି ଯେ, ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରେ ପ୍ରଚାର ସମୟରେ କେଜ୍ରିଓ୍ବାଲଙ୍କ ଉପରେ ଏହି ଆକ୍ରମଣ ହୋଇଛି ।
ଅନ୍ୟପଟେ ପରବେଶ ବର୍ମା ଦାବି କରିଛନ୍ତି ଯେ, ତାଙ୍କ କସମର୍ଥକଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଛି । ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ସମର୍ଥକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି ବୋଲି ଦାବି କରିଛନ୍ତି ପରବେଶ ବର୍ମା । ଏପରିକି ସେ ଆହତ ସମର୍ଥକଙ୍କୁ ଭେଟିବାକୁ ହସ୍ପିଟାଲ ଯାଉଛନ୍ତି ବୋଲି କହିଛନ୍ତି ।
ଆପ୍ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି, ‘ପରାଜୟ ଭୟରେ ବିଜେପି ନିଜର ଗୁଣ୍ଡାମାନଙ୍କୁ ଲଗାଇ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରିଛି ।ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ଗୁଣ୍ଡା ନିର୍ବାଚନୀ ପ୍ରଚାର ସମୟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ପଥର ମାଡ଼ କରିଛନ୍ତି ଏବଂ ତାଙ୍କୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଏହି ଆକ୍ରମଣ ଲାଗି କେଜ୍ରିଓ୍ବାଲ ଭୟ କରିବେ ନାହିଁ । ଦିଲ୍ଲୀର ଜନତା ଏଥିପାଇଁ ସେମାନଙ୍କୁ ଉଚିତ ଜବାବ ଦେବେ ।’