ନୀଳଗିରି,୨୩/୦୬ : ଏକ ବଡ଼ ଧରଣର ଅପରାଧ କରିବାକୁ ଚାଲିଥିଲା ଯୋଜନା । ଖବର ପାଇ ସଠିକ ସମୟରେ ପହଞ୍ଚିଲା ନୀଳଗିରି ପୁଲିସ । ବନ୍ଧୁକ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୪ ଅପରାଧୀ ଫେରାର ହୋଇଯାଇଛନ୍ତି ।
ସୂଚନାରୁ ପ୍ରକାଶ, ନୀଳଗିରି ଥାନା ଅଧୀନ ଔପଦା ବ୍ଲକ ପଞ୍ଚଲିଙ୍ଗେଶ୍ୱର କଲେଜ ସାମ୍ନା ପଡ଼ିଆରେ ୪ ଜଣ ଯୁବକ ରବିବାର ଦ୍ୱିପ୍ରହରରେ ବସିଥିଲେ । ତାଙ୍କ ପାଖରେ ବନ୍ଧୁକ ଓ ଗୋଳାବାରୁଦ ମଧ୍ୟ ଥିଲା । କିଛି ବଡ଼ ଧରଣର ଅପରାଧ ପାଇଁ ଚାଲିଥିଲା ବ୍ଲୁ-ପ୍ରିଣ୍ଟ । ବିଶେଷ ସୂତ୍ରରୁ ଖବର ପାଇଥିଲା ନୀଳଗିରି ପୁଲିସ । ଏସଡିପିଓ ପ୍ରମୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ଏକ ଟିମ୍ ନେଇ ଅଚାନକ ଚଢ଼ଉ କରିଥିଲେ । ହେଲେ ୪ଜଣ ଯୁବକ ବନ୍ଧୁକର ଗୁଳିଗୁଡ଼ିକ ଧରିଥିବା ବେଳେ ତାହାକୁ ନେଇ ପାହାଡ଼ ଆଡ଼କୁ ଦୌଡ଼ି ପଳାଇଥିଲେ । ହେଲେ ପଡ଼ିଆରେ ବନ୍ଧୁକ ଛାଡ଼ି ଦେଇଯାଇଥିଲେ । ଆଇଆଇସି ଅପରାଧୀମାନଙ୍କର ପିଛା କରିଥିଲେ ମଧ୍ୟ ସେମାନେ ଦେବଗିରି ପାହାଡ଼ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଏନେଇ ନୀଳଗିରି ଥାନାରେ ୨୫ ଆର୍ମସ ଆକ୍ଟରେ ୨୩୧ ନଂ ମାମଲା ୪ ଜଣ ଅଜଣା ଯୁବକଙ୍କ ନାମରେ ରୁଜୁ ହୋଇଛି । ତେବେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ହନୁମାନ ପଇସା ଠାରୁ ଆରମ୍ଭ କରି ହାତୀଦାନ୍ତ ବେପାରୀମାନେ ସକ୍ରିୟ ହେବା ସହିତ ଛିନ୍ତାଇ, ଡକାୟତି, ନିଶା ବେପାରୀଙ୍କ ଚରାଭୂଇଁ ପାଲଟିଥିବା ବେଳେ ରବିବାର ପୁଣି ବନ୍ଧୁକ ଜବତ ଓ ଅପରାଧୀ ଫେରାର ଘଟଣା ଏକ ବଡ଼ ଧରଣର ଅପରାଧକୁ ନୀଳଗିରି ପାଲିସ ପଣ୍ଡ କରିଥିବା ଜଣାପଡ଼ିଛି । ତେବେ ଏହି ମାମଲାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ କରୁଥିବା ଜଣାପଡିଛି ।