ନୀଳଗିରି, ୨୫/୦୬: ନିର୍ବନ୍ଧ ସରିଥିଲା। ଦିନକ ପରେ ହୋଇଥାନ୍ତା ବାହାଘର। ସବୁ ପ୍ରସ୍ତୁତି ସରିଥିଲା। ହେଲେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ନୀଳଗିରି ଥାନା ଅଧିନ ଗାଙ୍ଗପୁରା ଗ୍ରାମର ହରେକୃଷ୍ଣ ମହାଳିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଜୀବନ ମରଣ ସହିତ ସଂଗ୍ରାମ କରୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ନୀଳଗିରି ଥାନା ଅଧିନ ଗାଙ୍ଗପୁରା ଗ୍ରାମର ହରେକୃଷ୍ଣ ମହାଳିକଙ୍କର ଆସନ୍ତା ଶୁକ୍ରବାର ବାହାଘର ହୋଇଥାନ୍ତା । ତେଣୁ ଆଜି ଭୋରୁ ତାଙ୍କ ପୁତୁରା ଜ୍ୟୋତିଶଙ୍କରଙ୍କ ସହିତ ଏକ କାର୍ରେ ସେରଗଡ଼କୁ ଯାଉଥିଲେ। ଉଦଳା ରାସ୍ତା ବାଲିଗୋହିରି ଠାରେ ସାମ୍ନାରୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି କାର୍କୁ ଧକ୍କା ଦେଇ କିଛିବାଟ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ହରେକୃଷ୍ଣଙ୍କର ମୃତ୍ୟ ହୋଇଥିବା ବେଳେ ହରିଶଙ୍କର ଜୀବନ ସହ ସଂଘର୍ଷ କରୁଛନ୍ତି । ସେପଟେ ଦୁର୍ଘଟଣା ଘଟିବା ସ୍ଥାନରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କର ପରିବାର ଓ ଗ୍ରାମବାସୀ ମାନେ ସେରଗଡ଼-ଝରଣାଘାଟି ରାସ୍ତା ଅବରୋଧ କରିଥିଲେ । ନୀଳଗିରି ତହସିଲଦାର, ଏସଡିପିଓ, ଥାନା ଅଧିକାରୀ ଆଇନ ଶୃଂଖଳା ପାଇଁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ନେଇ ପହଞ୍ଚିଥିଲେ। ପରେ କ୍ଷତିପୂରଣ ଓ କଠୋର କାର୍ଯ୍ୟାନୁଷ୍ଠାନ କରିବା ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।