ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ

ଭୁବନେଶ୍ୱର,୧୮/୦୬: ରାଜ୍ୟରେ ଚଳିତ ଜୁନ୍‌  ମାସରେ ନିଅଣ୍ଟିଆ ବର୍ଷା ପରିମାଣ ୪୨%ରେ ପହଞ୍ଚିଛି । ଏ  ମାସରେ ସ୍ୱାଭାବିକ ଭାବେ ୯୧.୪ ମିମି ବର୍ଷା ହେବା କଥା ।  କିନ୍ତୁ ମାତ୍ର ୩୬.୬୭ ମିମିବର୍ଷା ହୋଇଛି । ୨୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୪ ଦିନରେ  ମୌସୁମୀ ଆଗେଇବା ପାଇଁ ପାଗ ଅନୁକୂଳ ଅଛି । ୨୦ ଓ  ୨୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଜଗତ୍‌ସିଂହପୁର,  କନ୍ଧମାଳ ଓ ମାଲକାନଗିରିରେ ସ୍ୱାଭାବିକ ବର୍ଷା ହୋଇଛି ।  ସମ୍ବଲପୁରରେ ସ୍ୱାଭାବିକଠାରୁ ୪୦% ଅଧିକ ବର୍ଷା ହୋଇଥିବା  ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଦେଇଛି ।  କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ  ପଶ୍ଚିମ ମୌସୁମୀ ବାୟୁ ଏବେ କୋରାପୁଟ ଓ ମାଲକାନଗିରିକୁ  ସମ୍ପୂର୍ଣ୍ଣ ଛୁଇଁଛି । 

ଆସନ୍ତା ୪ ଦିନରେ ଏହା ଆହୁରି କିଛି ଜିଲ୍ଲା  ସ୍ପର୍ଶ କରିବ । ଏଥିପାଇଁ ପାଗ ଅନୁକୁଳ ଅଛି । ୧୮ ଓ ୧୯  ଦୁଇ ଦିନ ଘଡ଼ଘଡ଼ି ସହିତ ବର୍ଷା ହେବ । ଜୋର୍‌ରେ ପବନ ବି  ବହିବ । କିନ୍ତୁ ଗୁଳୁଗୁଳିରୁ ତ୍ରାହି ମିଳିବନି । ଉପକୂଳ ଓଡ଼ିଶାରେ  ଭୀଷଣ ଗୁଳୁଗୁଳି ହେବ । ୨୦ ଓ ୨୧ ତାରିଖ ବିଭିନ୍ନ ସ୍ଥାନରେ  ଭାରୀ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ଓ  ୧୯ରେ ବାଲେଶ୍ୱର, ଭଦ୍ରକ, ଯାଜୁପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂଗପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର,  ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର,  ବୌଦ୍ଧ ଓ କଳାହାଣ୍ଡିରେ ଘଡ଼ଘଡ଼ି ସହିତ ବର୍ଷା ହେବ । କିଛି  ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିପାରେ । ଏହି  ଦୁଇ ଦିନ ଉପକୂଳରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେବ ।  ୨୦ ଓ ୨୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରୀ ବର୍ଷା  ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର,  ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ । 

ସୋମବାର ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରବଳ ବର୍ଷା  ହୋଇଛି । ରାଜଧାନୀର କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ  ଘନ ଘନ ବଜ୍ରପାତ ହୋଇଛି । ପବନରେ ଅନେକ ସ୍ଥାନରେ  ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା । ବିଧାନସଭା  ସମ୍ମୁଖ, ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖ ଓ  ରାଜଭବନ-ଜୟଦେବ ବିହାର ରାସ୍ତାରେ ଗଛ ଡାଳ ଭାଙ୍ଗି  ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ବର୍ଷା ସତ୍ତେ୍ୱ  ରାଜଧାନୀରେ ଭୀଷଣ ଗୁଳୁଗୁଳିରେ ଲୋକେ କଲବଲ  ହୋଇଥିଲେ । କଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଆହୁରି  ବହୁ ସ୍ଥାନରେ ଆଦୌ ବର୍ଷା ହୋଇନି । ବାରିପଦାରେ ଆଜି  ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ହୋଇଥିଲା ।  ବୌଦ୍ଧରେ ୪୨, ନୂଆପଡ଼ାରେ ୪୧.୬, ଭବାନୀପାଟଣାରେ  ୪୧, ସୁନ୍ଦରଗଡ଼ରେ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.