ଭୁବନେଶ୍ଵର,୨୧/୦୭: କିଟ୍ ବିଶ୍ଵ ବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି କିଟ୍ ବିଶ୍ବ ବିଦ୍ୟାଳୟକୁ ଦାୟୀ କରିଛି। କିଟ୍ ବିଶ୍ଵ ବିଦ୍ୟାଳୟରେ ବେଆଇନ ଏବଂ ବେନିୟମ କାର୍ଯ୍ୟକଳାପ ଯୋଗୁ ଛାତ୍ରୀ ଆତ୍ମହତ୍ୟାର କାରଣ ଦର୍ଶାଇଛି ୟୁଜିସି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଯୌନ ଉତ୍ପୀଡ଼ନ ଅଭିଯୋଗର ସଠିକ୍ ସମାଧାନ ନ ହେବା, ହଷ୍ଟେଲରେ ଆବଶ୍ୟକୀୟ ସୁବିଧାର ଅଭାବ, ଛାତ୍ର-ଛାତ୍ରୀଙ୍କ ଉପରେ ଶାରୀରିକ ବଳ ପ୍ରୟୋଗ କରିବାରୁ କିଟ୍ ବିଶ୍ଵ ବିଦ୍ୟାଳୟରେ ଘଟଣା ଘଟିଥିବା ୟୁଜିସି ନିଜ ରିପୋର୍ଟରେ କହିଛି।
କମିଟି ନିଜ ରିପୋର୍ଟରେ କଲେଜର ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବା ଦର୍ଶାଇଛି। ହଷ୍ଟେଲରେ ଛାତ୍ର-ଛାତ୍ରୀମାନଙ୍କୁ ଦିଆଯାଇଥିବା ସମସ୍ୟା ଅତ୍ୟନ୍ତ ନିମ୍ନମାନର। ହଷ୍ଟେଲରେ ଛୋଟ ରୁମରେ ତିନି ଜଣ ଛାତ୍ରୀଙ୍କୁ ରଖା ଯାଉଥିଲା। ବିଦେଶୀ ଛାତ୍ର-ଛାତ୍ରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୌଣସି ସୁବିଧା ପ୍ରଦାନ କରାଯାଇ ନ ଥିଲା। ଯୌନ ଉତ୍ପୀଡନ ଅଭିଯୋଗକୁ କିଟ୍ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିଲେ କିମ୍ବା ବେଆଇନ ଭାବେ ଚପାଇ ଦେବାକୁ ଉଦ୍ୟମ କରୁଥିଲେ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ କଲେଜ୍ କର୍ତ୍ତୃପକ୍ଷ ନେପାଳୀ ଛାତ୍ର-ଛାତ୍ରୀଙ୍କୁ ବଳପୂର୍ବକ କଲେଜ୍ କ୍ୟାମ୍ପସରୁ ବାହାର କରିଥିଲେ। ସେମାନଙ୍କୁ କୌଣସି ସହାୟତା ଦିଆଯାଇ ନ ଥିଲା। ଓଲଟା କଲେଜର ସୁରକ୍ଷାକର୍ମୀ ଛାତ୍ର-ଛାତ୍ରୀଙ୍କ ବିରୋଧରେ ଶାରୀରକ ବଳ ପ୍ରୟୋଗ କରିଥିଲେ। କଲେଜର ଆଭ୍ୟନ୍ତରୀଣ କମିଟି(ଆଇସିସି) ଓ କଲେଜ୍ର ବରିଷ୍ଠ ଅଧକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଅଛି ବୋଲି ୟୁଜିସି ରିପୋର୍ଟରେ ଦର୍ଶାଯାଇଛି। ତଦନ୍ତ ପ୍ରକ୍ରିୟାରେ ସ୍ଵଚ୍ଛତା ଆପଣାଯାଇ ନାହିଁ। କିଟ୍ର ଆଇସିସି କମିଟିର ସଦସ୍ୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ୟୁଜିସି ସୁପାରିଶ କରିଛି।
ସୂଚନାଯୋଗ୍ୟ, ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀ ଜଣକ ଦୁଇ ଦୁଇ ଥର କଲେଜ୍ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ। ଏହି ଆତ୍ମହତ୍ୟା ଘଟଣାକୁ ଏଡାଇ ଦିଆଯିବା ସମ୍ଭବ ଥିଲା। ଗତ ଫେବୃଆରୀ ୧୬ ତାରିଖରେ ନେପାଳର ଜଣେ ତୃତୀୟ ବର୍ଷର ବିଟେକ୍ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା।ସେହି ସମୟରେ ଏହି ଘଟଣା ପୂରା ରାଜ୍ୟରେ ଚହଳ ପକାଇଥିଲା। କେବଳ ରାଜ୍ୟ ନୁହେଁ ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିଲା। ନେପାଳ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ବି ଦାବି କରିଥିଲେ।