ପ୍ରମୂଖ ଖବର

ରାଜସ୍ୱ ମାନଚିତ୍ରକୁ ଫେରିପାରିନି ମାଛକୁଣ୍ଡ ନଦୀ, ବର୍ଷେ ହେବ ପ୍ରକ୍ରିୟା ଚାଲିଛି କହି ପ୍ରଶାସନ ଚୁପ୍

Published By : Prameya | April 5, 2025 1:28 PM

ଭୁବନେଶ୍ୱର,୦୫/୦୪: ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ତାଗିଦ୍‌ ଓ ପରାମର୍ଶ ଦେବାର ଏକ ବର୍ଷ  ବିତିଯାଇଥିଲେ ସୁଦ୍ଧା କୋରାପୁଟ ଜିଲ୍ଲାର ମାଛକୁଣ୍ଡ ନଦୀ ରାଜ୍ୟର ରାଜସ୍ୱ ମାନଚିତ୍ରକୁ ଫେରିପାରିନି । ବର୍ଷେ ହେବ ପ୍ରକ୍ରିୟା ଚାଲୁଛି କହି ପ୍ରଶାସନ  କୌଣସି ଠୋସ୍‌ ପଦକ୍ଷେପ ନେଉନାହିଁ । ଫଳରେ  ରାଜ୍ୟ ମାନଚିତ୍ରରୁ ଏହି ନଦୀ ହଜିଯିବ । ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶ ନିଜ ମାନଚିତ୍ରରେ ଏହାକୁ  ସ୍ଥାନିତ କରିବ ଓ ନିଜର ବୋଲି ଦାବି କରିବ  ବୋଲି ବୁଦ୍ଧିଜୀବୀମାନେ ଚିନ୍ତାବ୍ୟକ୍ତ କରିଛନ୍ତି । 

ମାଛକୁଣ୍ଡ ନଦୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର  ସୀମା ନିର୍ଦ୍ଧାରଣ କରୁଛି । କେନ୍ଦ୍ରୀୟ ଅନୁଦାନ ଏବଂ  ଓଡ଼ିଶା ଓ ଆନ୍ଧ୍ର ସହଭାଗିତାରେ ନନ୍ଦପୁର ବ୍ଳକ  ଜଲାପୁଟଠାରେ ଜଳ ବିଦ୍ୟୁତ ଉତ୍ପାଦନ କରାଯାଉଛି ।  ଏହି ନଦୀ ଓଡ଼ିଶାରେ ପ୍ରବାହିତ ହେଉଥିବା ବେଳେ  ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମଧ୍ୟ ଆମ ରାଜ୍ୟ  ମଧ୍ୟରେ ରହିଛି । ତେବେ କିଭଳି ଭାବେ ଏହା  ରାଜ୍ୟ ରାଜସ୍ୱ ମାନଚିତ୍ରରୁ ଗାଏବ ହୋଇଯାଇଛି  ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସୂଚନା ଅନୁସାରେ ଏହି ନଦୀର ଶୋଭାପୁଟ  ଓ ସୁଡୁଗ୍‌ ଘାଟରୁ ନିୟମିତ ବାଲି ଚୋରି  ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଆନ୍ଧ୍ର ପଟୁ ବ୍ୟବସାୟୀମାନେ ବହୁ ପରିମାଣରେ ବାଲି  ଚୋରି କରି ରାଜ୍ୟର ରାଜସ୍ୱ ହାନି କରୁଥିବା  ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ  ଅଭିଯୋଗ ହୋଇଥିଲା । ଟ୍ରିବ୍ୟୁନାଲ ଏକ ମାମଲା  ରୁଜୁ କରି ଗତ ବର୍ଷ ଏପ୍ରିଲ୍‌ ୪ ତାରିଖରେ  ତଦନ୍ତ ପାଇଁ ଘଟଣାସ୍ଥଳକୁ ଏକ ପ୍ରତିନିଧି ଦଳକୁ  ପଠାଇଥିଲା । ଏହି ତଦନ୍ତକାରୀ ଦଳ ଶୋଭାପୁଟ  ଓ ସୁଡୁଗ୍‌ ଘାଟ ସହ ବିଭିନ୍ନ ଘାଟ ପରିଦର୍ଶନ  କରିବା ପରେ ବାଲି ଚୋରି ସ୍ଥାନର ମାଲିକାନା  ଉପରେ ତଥ୍ୟ ସଂଗ୍ରହ କରିଥିଲେ । ପରେ  ଆନ୍ଧ୍ରର ପେଦାବାଇଲୁ ତହସିଲ ଏବଂ ଓଡ଼ିଶାର  ନନ୍ଦପୁର ତହସିଲ କର୍ମଚାରୀଙ୍କୁ ନେଇ ଏହାର  ମାଲିକାନା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।  

ସେତେବେଳେ ଏହି ସ୍ଥାନ ନା ଓଡ଼ିଶା ନା ଆନ୍ଧ୍ର,  କାହାରି ରାଜସ୍ୱ ମାଚିତ୍ରରେ ଆସି ନ ଥିଲା । ତେବେ  ପୂର୍ବରୁ ଓ ସେହି ସମୟରେ ଓଡ଼ିଶା ପକ୍ଷରୁ ଏହି  ସ୍ଥାନ ଓ ନଦୀ ନିଜର ବୋଲି ଦାବି କରାଯାଇଥିଲା ।  ସେତେବେଳେ ତୁରନ୍ତ ସର୍ଭେ କରି ନିଜ ରାଜସ୍ୱ  ମାନଚିତ୍ରରେ ଏହାକୁ ସ୍ଥାନିତ କରିବା ପାଇଁ ଗ୍ରୀନ  ଟ୍ରିବ୍ୟୁନାଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ  ଦିଆଯାଇଥିଲା । ଏହାରି ମଧ୍ୟରେ ଗୋଟାଏ ବର୍ଷ  ବିତିଯାଇଛି। ହେଲେ ବର୍ତ୍ତମାନ ଯାଏ ଏହା ରାଜ୍ୟ  ରାଜସ୍ୱ ମାନଚିତ୍ରରେ ସ୍ଥାନିତ ହୋଇପାରିନାହିଁ ।  ଏ ସମ୍ପର୍କରେ କୋରାପୁଟ ଉପଜିଲ୍ଲାପାଳ  ପ୍ରେମଲାଲ୍‌ ହିଆଲଙ୍କୁ କହିଛନ୍ତି ଯେ ବର୍ତ୍ତମାନ  ଯାଏ ଏହା ରାଜ୍ୟ ରାଜସ୍ୱ ମାନଚିତ୍ରରେ ସ୍ଥାନିତ  ହୋଇପାରିନାହିଁ । ସ୍ଥାନିତ ପାଇଁ ପ୍ରକ୍ରିୟା ଚାଲୁ ରହିଛି।

ସମ୍ବଲପୁରରେ ରାମ ନବମୀ, ହନୁମାନ ଜୟନ୍ତୀ ପ୍ରସ୍ତୁତି: ସହରରେ ପୁଲିସର ଫ୍ଲାଗମାର୍ଚ୍ଚ, ଡ୍ରୋନ୍‌ରେ ସନ୍ଦିଗ୍ଧଙ୍କ ଉପରେ ନଜର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.