ବିନିକା, ୧୬/୧୧: ସାରସମାଲ ଠାରେ ବାଲିଯାତ୍ରା ମହୋତ୍ସବରେ ମିନାବଜାର ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ପିଠି ଓ ମୁଣ୍ଡରେ ୬ ଥର ଆକ୍ରମଣ କରିବାରୁ ଦୋକାନୀ ଗୁରୁତର ହୋଇଛନ୍ତି । ଆକ୍ରମଣ କରି ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର ହୋଇଛି । ଗୁରୁତର ହୋଇଥିବା ଦୋକାନୀ ଜଣକ ଦିଗଶିରା ଗ୍ରାମର ସୁମନ୍ତ ମେହେର ବୋଲି ଜଣାପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଲ ଠାରେ ବାଲିଯାତ୍ରା ମହୋତ୍ସବରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଦିଗଶିରା ଗ୍ରାମର ସୁମନ୍ତ ମେହେର ରାମପୁର ସାରସମାଲ ବାଲିଯାତ୍ରା ପଡିଆର ମୀନା ବଜାରରେ ଏକ ଷ୍ଟେସନାରୀ ଦୋକାନ ଲଗାଇଥିଲେ । ସେଠାରେ କୌଣସି ସାମଗ୍ରୀ କିଣାକୁ ନେଇ କିଛି ନିଶାସକ୍ତ ବ୍ୟକ୍ତି ସହ ସାମାନ୍ୟ ବଚସା ହୋଇଥିଲା । ସେଥିରେ ରାଗି ଯାଇ ଦୁର୍ବୃତ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ସୁମନ୍ତକୁ ଆକ୍ରମଣ କରିଥିଲା । ଆକ୍ରମଣରେ ସୁମନ୍ତ ଗୁରୁତର ହୋଇଥିବା ବେଳେ ଆକ୍ରମଣକାରୀ ଭିଡ ଭିତରେ ଫେରାର ହୋଇଥିଲା । ଏହା ଦେଖି ତାଙ୍କ ସହଯୋଗୀ ମାନେ ତୁରନ୍ତ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ । ଏହା ସହ ରାମପୁର ପୋଲିସକୁ ଖବର ଦେଇଥିଲେ । ସୁମନ୍ତଙ୍କ ପିଠି ଓ ମୁଣ୍ଡର ୬ ଟି ସ୍ଥାନରେ ଗଭୀର କ୍ଷତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା କରି ଡୁଙ୍ଗୁରିପାଳି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳକୁ ଯାଇ ରାମପୁର ପୋଲିସ ତଦନ୍ତ ଚଳାଇଛି ।
ତେବେ ଯାତ୍ରାରେ ଅବ୍ୟବସ୍ଥା ନେଇ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ କରିଥିବା ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀମତୀ ପଦ୍ମାସିନୀ ମେହଏ ।ଦୁର୍ବୃତ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ଜାଣିଶୁଣି ଝଗଡା ଆରମ୍ଭ କରିବା ସହ ହଠାତ ଅତର୍କିତ ଆକ୍ରମଣ କରିଥିବା ସୁମନ୍ତ କହିଛନ୍ତି । ରାମପୁର ଅଞ୍ଚଳରେ ମାତ୍ରାଧିକ ନିଶା କାରବାର ପାଇଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।