ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ । ଲୁହ-ଲହୁର ହିସାବ ନେଲା ଭାରତ । ସିନ୍ଦୂରର ବଦଲା ନେଲା 'ଅପରେସନ ସିନ୍ଦୂର' । ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି । ଥରି ଉଠିଛି ପାକ୍ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୯୦ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଏହି ପ୍ରତିଶୋଧ ପରେ ପହଲଗାମ ଆକ୍ରମଣରେ ମୃତ ଶୁବମ ଦ୍ୱିବେଦୀଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀଙ୍କ ମୃତ୍ୟୁର ବଦଲା ନେଇଛନ୍ତି ।
ଶୁବମ ଦ୍ବିବେଦୀଙ୍କ ପତ୍ନୀ ଐଶ୍ୱନା କହିଛନ୍ତି, '' ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ସେ ମୋ ସ୍ୱାମୀଙ୍କ ମୃତ୍ୟୁର ବଦଲା ନେଇଛନ୍ତି । ମୋ ପରିବାର ତାଙ୍କ ଉପରେ ବିଶ୍ୱାସ ରଖିଥିଲା । ଯେଉଁ ପରି ଭାବେ ସେମାନେ ପାକିସ୍ତାନକୁ ଜବାବ୍ ଦେଇଛନ୍ତି ଆମ ବିଶ୍ୱାସ ପୁଣି ଥରେ ବଞ୍ଚିଛି । ଏହା ମୋ ସ୍ୱାମୀଙ୍କ ମୃତ୍ୟୁର ପ୍ରକୃତ ବଦଲା । ଆଜି ମୋ ସ୍ୱାମୀ ଯେଉଁଠି ବି ଅଛନ୍ତି ତାଙ୍କୁ ଶାନ୍ତି ମିଳିଥିବ ।''
ଭାରତୀୟ ସେନା ଆମ ଲୁହ ପୋଛିଲେ -ସେହିପରି ଶୁବମ ଦ୍ୱିବେଦୀଙ୍କ ବାପା କହିଛନ୍ତି,'' ରାତିରୁ ନ୍ୟୁଜ ଦେଖୁଛି । ମୁଁ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି । ଯିଏକି ଆମ ଦେଶବାସୀଙ୍କ ଯନ୍ତ୍ରଣାକୁ ବୁଝିଲେ । ଯେଉଁପରି ଭାବେ ସେ ଆମ ସେନା ଅଦ୍ୟମ ସାହସ ଦେଖାଇ ପାକିସ୍ତାନକୁ ଜବାବ୍ ଦେଇଛନ୍ତି ତାଙ୍କୁ ସଲାମ୍ ।''