ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ବୁଧବାର ମଧ୍ୟରାତ୍ରି ୧:୩୦ରେ 'ଅପରେସନ ସିନ୍ଦୁର' ଅଧୀନରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣ ବହାଓ୍ୱାଲପୁର, ମୁରିଦ୍କେ, ବାଘ, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଯୋଜନା ଏବଂ କାର୍ଯ୍ୟକାରୀ କରାଯାଉଥିଲା।
ପାକିସ୍ତାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବହାଓ୍ୱାଲପୁରରେ ଏୟାର ଷ୍ଟ୍ରାଇକ ପରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ୪ଟି, ଲସ୍କର-ଏ-ତୋଇବାର ୩ଟି ଏବଂ ହିଜବୁଲ ମୁଜାହିଦ୍ଦିନର ୨ଟି ଆତଙ୍କବାଦୀ ଠିକଣାକୁ ନଷ୍ଟ କରାଯାଇଛି।
ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ISPR) ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଆହମଦ ଶରୀଫ ଚୌଧୁରୀ କହିଛନ୍ତି ଯେ, ଭାରତ ପାକିସ୍ତାନ ଉପରେ ୨୪ଟି ମିସାଇଲ ନିକ୍ଷେପ କରିଛି। ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିସାରା ଉଜାଗର ରହି 'ଅପରେସନ ସିନ୍ଦୁର'କୁ ଅତି ନିକଟରୁ ନିରୀକ୍ଷଣ କରୁଥିଲେ।
ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣ ସୁନିୟନ୍ତ୍ରିତ ଏବଂ ଅଣ-ଉତ୍ତେଜକ ଥିଲା। କାରଣ ଏହି ଆକ୍ରମଣରେ କୌଣସି ପାକିସ୍ତାନୀ ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇ ନଥିଲା। ଭାରତୀୟ ସେନା ଏହାକୁ ପହଲଗାମ ଆକ୍ରମଣ ବିପକ୍ଷରେ 'ନ୍ୟାୟ ପରିବେଷିତ' ବୋଲି ଘୋଷଣା କରିଛି। ଏହାସହ ସାମାଜିକ ଗଣମାଧ୍ୟମ ଏକ୍ସରେ 'ଅପରେସନ ସିନ୍ଦୁର'ର ଏକ ଫଟୋ ସେୟାର କରିବା ସହ କ୍ୟାପସନରେ, "ଜୟ ହିନ୍ଦ!" ବୋଲି ଉଲ୍ଲେଖ କରିଛି।
ପାକିସ୍ତାନ ଏହି ଆକ୍ରମଣକୁ 'ଯୁଦ୍ଧର କାର୍ଯ୍ୟ' ବୋଲି ଅଭିହିତ କରି ପ୍ରତିଶୋଧ ନେବାକୁ ଧମକ ଦେଇଛି। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ନିୟନ୍ତ୍ରଣ ରେଖା (LoC) ନିକଟରେ ଗୁଳିବର୍ଷଣ କରିଛି। ଯେଉଁଥିରେ ଜମ୍ମୁ-କାଶ୍ମୀରର ମେନ୍ଧର ଏବଂ ବାଲାକୋଟରେ ଜଣେ ମହିଳାଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ହୋଇଛି।
ଆନ୍ତର୍ଜାତୀୟ ସମୁଦାୟ ଏହି ପରିସ୍ଥିତି ଉପରେ ନଜର ରଖିଛି। ଜାତିସଂଘ ଓ ଆମେରିକା ଉଭୟ ଦେଶକୁ ସଂଯମ ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଭାରତ ଆମେରିକା, ରୁଷିଆ, ବ୍ରିଟେନ, ସାଉଦି ଆରବ ଏବଂ ଆରବ ଏମିରେଟସ୍କୁ ଏହି ଅପରେସନ ବିଷୟରେ ଅବଗତ କରାଇଛି।