ନୂଆଦିଲ୍ଲୀ,୦୭/୦୫: ଭାରତ କେବେ ବି ନିଜ ସୁରକ୍ଷା, ନାଗରିକଙ୍କ ସୁରକ୍ଷା ପାଇଁ ସାଲିସ କରିନାହିଁ, ନଇଁ ନାହିଁ । ଭାରତର ଏହି ବେସାଲିସ ଆଭିମୁଖ୍ୟର କଥା ଉଲ୍ଲେଖ କରି ଅପରେସନ ସିନ୍ଦୂରକୁ ସମର୍ଥନ କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ସମସ୍ତ ବିରୋଧୀ ଦଳ ମଧ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦେଇଛନ୍ତି ସମର୍ଥନ ଏବଂ ଭାରତ ଗର୍ବିତ ବୋଲି ଦୃଢତାର ସହ କହିଛନ୍ତି ।
ପହଲଗାମ ଆକ୍ରମଣର ପ୍ରତିଶୋଧ ଅପରେସନ ସିନ୍ଦୂର । ରାତି ଅଧରେ ବେଶ୍ ସଫଳତା ଏବଂ ଟାର୍ଗେଟ ଭିତ୍ତିକ କ୍ଷେପଣାସ୍ତ୍ର ଆକ୍ରମଣ କରି ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ତିନି ଅତଙ୍କବାଦୀ ସଂଗଠନର ୯ଟି ଠିକଣା ଉପରେ କରିଛି ଆକ୍ରମଣ । ଜୈଶ- ଇ- ମହମ୍ମଦ, ଲସ୍କର-ଇ-ତଇବା ଏବଂ ହିଜ୍ବୁଲ ମୁଜାହିଦ୍ଦିନର ଆଡ୍ଡା- କାର୍ଯ୍ୟାଳୟ ହୋଇଛି ଧ୍ୱଂସ । ମୃତ୍ୟୁସଂଖ୍ୟା ଅସ୍ପଷ୍ଟ ହେଲେବି ଶତାଧିକ ନିଶ୍ଚିତ ।
ଭାରତୀୟ ସେନାର ଏହି ସଫଳ ଆକ୍ରମଣରେ ଆଶ୍ୱସ୍ତି ସହ ଖୁସି ଜାହିର କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି । ସେ X ଆକାଉଣ୍ଟରେ ଲେଖିଛନ୍ତି, “ସେନାବାହିନୀ ପାଇଁ ଗର୍ବିତ- ଜୟହିନ୍ଦ୍ “।
ସେ ଆହୁରି ଲେଖିଛନ୍ତି, “ପାକିସ୍ତାନ ଏବଂ ପିଓକେରୁ ସମସ୍ତ ପ୍ରକାର ଆତଙ୍କବାଦୀଙ୍କୁ ନିପାତ ଏବଂ ନିଶ୍ଚିହ୍ନ କରିବା ହେଉଛି ଭାରତର ଏକ ଦୃଢ, ଅପରିବର୍ତ୍ତୀତ ଜାତୀୟ ନୀତି । ଆମେ ଆମ ସୁରକ୍ଷା ବାହିନୀ ପାଇଁ ବହୁତ ଗର୍ବିତ, ଯେଉଁମାନେ ପାକିସ୍ତାନ ଏବଂ ପିଓକେର ଆତଙ୍କୀ ଶିବିର ଉପରେ କରିଛନ୍ତି ସଫଳ ଆକ୍ରମଣ । ପହଲଗାମ ହମଲା ପରଠୁ କଂଗ୍ରେସ ସବୁ ସମୟରେ ଭାରତୀୟ ସେନା ଏବଂ ସରକାର ପଛରେ ଛିଡ଼ା ହୋଇଛି ଏବଂ ସମର୍ଥନ ଦେଇଛି । ସରକାର ସୀମାପାର ଆତଙ୍କବାଦର ମୂଳୋତ୍ପାଟନ କରନ୍ତୁ । “ ଜାତୀୟ ସୁରକ୍ଷା ଆମର ପ୍ରଥମ ଏବଂ ପ୍ରଧାନ ଲକ୍ଷ୍ୟ ବୋଲି କହିଥିବା କଂଗ୍ରେସ ସଭାପତି ଖଡଗେଙ୍କ ବକ୍ତବ୍ୟକୁ ସମାନ ସ୍ୱରରେ ଦୋହରାଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ପ୍ରସାଦ ଯାଦବ । ଦେଶ କେବେବି ଆତଙ୍କବାଦକୁ ସମର୍ଥନ କରେ ନାହିଁ ବୋଲି କହିବା ବେଳେ ଶ୍ରୀ ଯାଦବ କହିଛନ୍ତି, “ପରାକ୍ରମ ବିଜୟେତେ ।“ ଭାରତୀୟ ସେନା ସର୍ବଦା ଭାରତ ମାତାର ସୁରକ୍ଷା କରି ଆସିଛି । ସେମାନଙ୍କ ପାଇଁ ଆମେ ଗର୍ବିତ । ଆମେ ଭାରତୀୟମାନେ ସତ୍ୟ, ଶାନ୍ତି ଏବଂ ଅହିଂସାରେ ବିଶ୍ୱାସ କରୁ । କାହାରି ଅନିଷ୍ଟ କରୁନା । କିନ୍ତୁ ଭାରତ ବିରୋଧୀ ହିଂସା, ଆତଙ୍କକୁ କିପରି ଏକତାର ସହ ମୁକାବିଲା କରାଯାଏ ତାହା ବୁଝନ୍ତି, କରନ୍ତି ସବୁ ଭାରତୀୟ । ୧୪୦ କୋଟି ଭାରତୀୟ ଆମ ସେନା ସହ ଅଛନ୍ତି ବୋଲି କହିଛନ୍ତି ଏସପି ସୁପ୍ରିମୋ ଅଖିଳେଶ ।
ଅଲ ଇଣ୍ଡିଆ ମଜଲିସ୍ -ଇ-ଇତେହାଦୁଲ ମୁସଲିମି (AIMIM) ନେତା ଅସାଦୁଦ୍ଦିନ୍ ଓୱିସି ମଧ୍ୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ୱାଗତ କରିଛନ୍ତି । “ମୁଁ ପାକିସ୍ତାନର ଆତଙ୍କୀ ଶିବିର ଉପରେ ଆମ ପ୍ରତିରକ୍ଷା ବାହିନୀର ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ୱାଗତ କରୁଛି । ଏହା ଆତଙ୍କବାଦର ପ୍ରତ୍ସାହକ ପାକିସ୍ତାନକୁ ଉଚିତ ଶିକ୍ଷା ଦେବ । ଯେପରିକି ପହଲଗାମ ଭଳି ଘଟଣା ଆଉ କେବେବି ଘଟିବ ନାହିଁ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ସବୁକୁ ନିଶ୍ଚିତ ନିଶ୍ଚିହ୍ନ କରାଯିବା ଦରକାର ।“ ଏହା କହି ‘ଜୟ ହିନ୍ଦ୍’ରେ ମତ ସାରିଛନ୍ତି ଓୱିସି ।
ସୂଚନାଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଆକ୍ରମଣ ପରେ ବିବୃତ୍ତିରେ କହିଛି ଯେ, ଏପ୍ରିଲ ୨୨ ପହଲଗାମ ଆକ୍ରମଣର ପ୍ରତିଜବାବ ଦିଆଯାଇଛି । ୨୫ ଭାରତୀୟ ଓ ଜଣେ ନେପାଳୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଭାରତୀୟ ବୟୁସେନା କରିଛି “ଅପରେସନ ସିନ୍ଦୂର ।“