ପ୍ରମୂଖ ଖବର
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯୁଦ୍ଧ ଭୂମି ଯିବାକୁ ସେନା ପ୍ରମୁଖଙ୍କୁ ଅବସରପ୍ରାପ୍ତ କ୍ୟାପ୍ଟେନ୍‌ଙ୍କ ଚିଠି, ୧୯୭୧ ଯୁଦ୍ଧରେ ଲଢ଼ିଥିଲେ ୭୫ ବର୍ଷୀୟ ଅମରଜିତ କୁମାର

Published By : Krishna Priya | May 7, 2025 9:57 AM

ନୂଆଦିଲ୍ଲୀ ୦୭/୦୫: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଇତିମଧ୍ୟରେ ୭୫ ବର୍ଷୀୟ ଅବସରପ୍ରାପ୍ତ କ୍ୟାପ୍ଟେନ୍‌ ଅମରଜିତ କୁମାର କହିଛନ୍ତି, ପୁଣି ଥରେ ଦେଶ ସେବା ପାଇଁ ସେ ପ୍ରସ୍ତୁତ । ଜଣେ ସୈନ୍ୟକୁ ଯୁଦ୍ଧଠୁ ଅଲଗା କରାଯାଇ ପାରିବ ନାହିଁ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ କ୍ୟାପ୍ଟେନ୍‌ ଅମରଜିତ କୁମାର ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଚିଠି ଲେଖି ସ୍ୱେଚ୍ଛାକୃତ ଭାବେ ପୁନଃ ସୈନ୍ୟବାହିନୀରେ ସାମିଲ ହେବାର ଇଚ୍ଛା ପ୍ରକାଶ କରିଛନ୍ତି । 

୧୯୭୧ ମସିହା ଭାରତ-ପାକ୍‌ ଯୁଦ୍ଧରେ ସାମିଲ ହୋଇଥିବା ଅବସରପ୍ରାପ୍ତ କ୍ୟାପ୍ଟେନ୍‌ କୁମାର ଚିଠିରେ ଲେଖିଛନ୍ତି, ସେ ଦେଶର ଯେକୌଣସି ସ୍ଥାନରେ ପୋଷ୍ଟିଂ ପାଇଁ ପ୍ରସ୍ତୁତ । ସୈନ୍ୟସେବା ଅବଧିରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ନିଜର ଭାଗୀଦାରୀକୁ ମନେପକାଇ ସେ କହିଛନ୍ତି, ସେହି ଯୁଦ୍ଧ ସେତେବେଳର ଅନ୍ୟତମ ନିର୍ଣ୍ଣାୟକ ଯୁଦ୍ଧ ଥିଲା । କ୍ୟାପ୍ଟେନ୍‌ ଚିଠିରେ ଲେଖିଛନ୍ତି, ମୁଁ ଭାରତୀୟ ସୈନ୍ୟବାହିନୀର ଗୌରବଶାଳୀ ପରମ୍ପରାର ଅଂଶ ହୋଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେକରୁଛି । 

ବର୍ତ୍ତମାନ ସ୍ଥିତିରେ ଏହି ଯୁଦ୍ଧ ନିର୍ଣ୍ଣାୟକ ହୋଇପାରେ । ସୈନ୍ୟବାହିନୀକୁ ଅନୁଭବୀ ଓ ପ୍ରଶିକ୍ଷିତ ଜନଶକ୍ତିର ଆବଶ୍ୟକତା ହୋଇପାରେ । ତେଣୁ ମୁଁ ଆଗକୁ ଯିବାକୁ ପ୍ରସ୍ତୁତ । କ୍ୟାପ୍ଟେନ୍‌ କୁମାର କହିଛନ୍ତି, ବୟସ ୭୫ ଛୁଇଁଥିଲେ ମଧ୍ୟ ଆଜି ବି ଶାରୀରିକ ରୂପେ ଫିଟ୍‌ ଓ ମାନସିକ ରୂପେ ସେ ସକ୍ରିୟ ଅଛନ୍ତି । ତାଙ୍କ ବ୍ୟାଚ୍‌ର ୨୪୦ ଅନ୍ୟ ପୂର୍ବ ସୈନ୍ୟ ମଧ୍ୟ ପୁଣି ଥରେ ଦେଶ ସେବା ପାଇଁ ତତ୍ପର ଅଛନ୍ତି । ସେ କହିଛନ୍ତି, ଜଣେ ପ୍ରକୃତ ସୈନିକ କେବେ ଅବସର ନିଏନାହିଁ, ଏହି ପାସନ୍‌ ଜୀବନ ସାରା ଆମ ଭିତରେ ଜୀବିତ ରହେ । 

ସେ ଆହୁରି କହିଛନ୍ତି, ସୈନ୍ୟବାହିନୀରେ ଯୋଗଦାନ ବଦଳରେ ସେ କୌଣସି ପ୍ରକାର ପାରିଶ୍ରମିକ କିମ୍ବା ଲାଭ ଚାହୁଁନାହାନ୍ତି । ତାଙ୍କ ଭଳି ସ୍ୱୟଂସେବକଙ୍କୁ ପୁଣି ଥରେ ମଉକା ଦେବାକୁ ସେ ସେନା ପ୍ରମୁଖଙ୍କୁ ଅନୁରୋଧ କରିଛନ୍ତି । ଭାରତ- ପାକ୍‌ ମଧ୍ୟରେ ସଙ୍କଟର ଏହି ଘଡ଼ିରେ ଅନେକ ପୂର୍ବତନ ସୈନିକ ମଧ୍ୟ ରାଷ୍ଟ୍ରର ଡାକରାରେ ଯୁଦ୍ଧ ପାଇଁ ଆଗେଇ ଆସିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ଦେଶର ନାଗରିକଙ୍କୁ ସୈନ୍ୟ ପ୍ରଶିକ୍ଷଣ ଦେବା ଉପରେ ଜୋର୍‌ ଦେଇ ସେ କହିଛନ୍ତି, ୧୪୦ କୋଟି ଜନସଂଖ୍ୟାବିଶିଷ୍ଟ ଦେଶରେ ଯଦି ୧୦୦ କୋଟି ଲୋକଙ୍କୁ ମୌଳିକ ସୈନ୍ୟ ପ୍ରଶିକ୍ଷଣ ଦିଆଯାଏ, ତେବେ କୌଣସି ଦେଶ ଆମ ସହ ଯୁଦ୍ଧ କରିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.