ନୂଆଦିଲ୍ଲୀ ୦୭/୦୫: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଇତିମଧ୍ୟରେ ୭୫ ବର୍ଷୀୟ ଅବସରପ୍ରାପ୍ତ କ୍ୟାପ୍ଟେନ୍‌ ଅମରଜିତ କୁମାର କହିଛନ୍ତି, ପୁଣି ଥରେ ଦେଶ ସେବା ପାଇଁ ସେ ପ୍ରସ୍ତୁତ । ଜଣେ ସୈନ୍ୟକୁ ଯୁଦ୍ଧଠୁ ଅଲଗା କରାଯାଇ ପାରିବ ନାହିଁ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ କ୍ୟାପ୍ଟେନ୍‌ ଅମରଜିତ କୁମାର ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଚିଠି ଲେଖି ସ୍ୱେଚ୍ଛାକୃତ ଭାବେ ପୁନଃ ସୈନ୍ୟବାହିନୀରେ ସାମିଲ ହେବାର ଇଚ୍ଛା ପ୍ରକାଶ କରିଛନ୍ତି । 

୧୯୭୧ ମସିହା ଭାରତ-ପାକ୍‌ ଯୁଦ୍ଧରେ ସାମିଲ ହୋଇଥିବା ଅବସରପ୍ରାପ୍ତ କ୍ୟାପ୍ଟେନ୍‌ କୁମାର ଚିଠିରେ ଲେଖିଛନ୍ତି, ସେ ଦେଶର ଯେକୌଣସି ସ୍ଥାନରେ ପୋଷ୍ଟିଂ ପାଇଁ ପ୍ରସ୍ତୁତ । ସୈନ୍ୟସେବା ଅବଧିରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ନିଜର ଭାଗୀଦାରୀକୁ ମନେପକାଇ ସେ କହିଛନ୍ତି, ସେହି ଯୁଦ୍ଧ ସେତେବେଳର ଅନ୍ୟତମ ନିର୍ଣ୍ଣାୟକ ଯୁଦ୍ଧ ଥିଲା । କ୍ୟାପ୍ଟେନ୍‌ ଚିଠିରେ ଲେଖିଛନ୍ତି, ମୁଁ ଭାରତୀୟ ସୈନ୍ୟବାହିନୀର ଗୌରବଶାଳୀ ପରମ୍ପରାର ଅଂଶ ହୋଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେକରୁଛି । 

ବର୍ତ୍ତମାନ ସ୍ଥିତିରେ ଏହି ଯୁଦ୍ଧ ନିର୍ଣ୍ଣାୟକ ହୋଇପାରେ । ସୈନ୍ୟବାହିନୀକୁ ଅନୁଭବୀ ଓ ପ୍ରଶିକ୍ଷିତ ଜନଶକ୍ତିର ଆବଶ୍ୟକତା ହୋଇପାରେ । ତେଣୁ ମୁଁ ଆଗକୁ ଯିବାକୁ ପ୍ରସ୍ତୁତ । କ୍ୟାପ୍ଟେନ୍‌ କୁମାର କହିଛନ୍ତି, ବୟସ ୭୫ ଛୁଇଁଥିଲେ ମଧ୍ୟ ଆଜି ବି ଶାରୀରିକ ରୂପେ ଫିଟ୍‌ ଓ ମାନସିକ ରୂପେ ସେ ସକ୍ରିୟ ଅଛନ୍ତି । ତାଙ୍କ ବ୍ୟାଚ୍‌ର ୨୪୦ ଅନ୍ୟ ପୂର୍ବ ସୈନ୍ୟ ମଧ୍ୟ ପୁଣି ଥରେ ଦେଶ ସେବା ପାଇଁ ତତ୍ପର ଅଛନ୍ତି । ସେ କହିଛନ୍ତି, ଜଣେ ପ୍ରକୃତ ସୈନିକ କେବେ ଅବସର ନିଏନାହିଁ, ଏହି ପାସନ୍‌ ଜୀବନ ସାରା ଆମ ଭିତରେ ଜୀବିତ ରହେ । 

ସେ ଆହୁରି କହିଛନ୍ତି, ସୈନ୍ୟବାହିନୀରେ ଯୋଗଦାନ ବଦଳରେ ସେ କୌଣସି ପ୍ରକାର ପାରିଶ୍ରମିକ କିମ୍ବା ଲାଭ ଚାହୁଁନାହାନ୍ତି । ତାଙ୍କ ଭଳି ସ୍ୱୟଂସେବକଙ୍କୁ ପୁଣି ଥରେ ମଉକା ଦେବାକୁ ସେ ସେନା ପ୍ରମୁଖଙ୍କୁ ଅନୁରୋଧ କରିଛନ୍ତି । ଭାରତ- ପାକ୍‌ ମଧ୍ୟରେ ସଙ୍କଟର ଏହି ଘଡ଼ିରେ ଅନେକ ପୂର୍ବତନ ସୈନିକ ମଧ୍ୟ ରାଷ୍ଟ୍ରର ଡାକରାରେ ଯୁଦ୍ଧ ପାଇଁ ଆଗେଇ ଆସିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ଦେଶର ନାଗରିକଙ୍କୁ ସୈନ୍ୟ ପ୍ରଶିକ୍ଷଣ ଦେବା ଉପରେ ଜୋର୍‌ ଦେଇ ସେ କହିଛନ୍ତି, ୧୪୦ କୋଟି ଜନସଂଖ୍ୟାବିଶିଷ୍ଟ ଦେଶରେ ଯଦି ୧୦୦ କୋଟି ଲୋକଙ୍କୁ ମୌଳିକ ସୈନ୍ୟ ପ୍ରଶିକ୍ଷଣ ଦିଆଯାଏ, ତେବେ କୌଣସି ଦେଶ ଆମ ସହ ଯୁଦ୍ଧ କରିବ ନାହିଁ ।