କଟକ: ଓଡ଼ିଶାର ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେଥିମଧ୍ୟରୁ ବାରବାଟୀ-କଟକ ଆସନର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଠାରୁ ବିଜେପି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି । ରୋଗୀ ସେବା ପାଇଁ ଜଣେ ଚର୍ଚ୍ଚିତ ଡାକ୍ତର ଆଜି ଜନ ସେବା ପାଇଁ ରାଜନୀତି ମୈଦାନରେ ଲଢ଼ିବାକୁ ପ୍ରସ୍ତୁତ । ଡାକ୍ତରରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।
ସେପଟେ ଗତ କିଛି ଦିନ ହେଲା ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା । ଏହି ଆସନରୁ ନିକଟରେ ବିଜେଡି ଛାଡ଼ି ପଦ୍ମ ଧରିଥିବା ଓଲିଉଡ ଅଭିନେତା ଏବଂ ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଥିଲେ । କିନ୍ତୁ ଭର୍ତ୍ତୃହରି ମହତାବ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ତାଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିଲା । ଆଉ ଏବେ ସବୁ କଳ୍ପନାର ଅନ୍ତ ଘଟାଇ ବିଜେପି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ ବାରବାଟୀ ବିଧାନସଭା ଆସନରୁ ଟିକେଟ୍ ଦେଇଛି ।
ଏହି ଆସନରେ ବିଜେପିର ଗ୍ରାଫ ଦେଖିଲେ, ୧୯୯୫ରୁ ୨୦୦୪ ଯାଏଁ ଏହି ଆସନ ଦଳର କବଜାରେ ଥିଲା । ସମୀର ଦେ ବିଜେପି ଟିକେଟରୁ ଲଢ଼ି ୩ ଥର ବିଧାୟକ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ରେ ବିଜେଡି ଏବଂ ୨୦୧୯ରେ କଂଗ୍ରେସ ଏଠାରେ ବାଜିମାତ କରିଥିଲା । ସେହିଭଳି ୨୦୨୪ ନିର୍ବାଚନରେ ବାରବାଟୀ ଆସନରେ ବଡ଼ ଫାଇଟ୍ ଦେଖିବାକୁ ମିଳିପାରେ । କାରଣ କଂଗ୍ରେସରୁ ଏଥର ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋଶଙ୍କୁ ଟିକେଟ ମିଳିଥିବା ବେଳେ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି ।