ଭୁବନେଶ୍ଵର, ୧୫/୦୨ : ବିଧାନସଭାରେ ପାଣ୍ଡିଆନ୍ ଝଡ଼। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ। ବିଧାନସଭା ଅଚଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ। ଏହାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ। ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ, କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି। କାହିଁକି ବିଜେଡି ସଦସ୍ୟ ଗୃହ ଚଲାଇ ଦେଉନାହାଁନ୍ତି।
ଜୟନାରାୟଣ କହିଛନ୍ତି ଯେ, ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଆମେ ଏମିତି କଲୁ। ଏ ଗୃହକୁ କଣ ଏବେ ପାଣ୍ଡିଆନ୍ ଚଲାଇବେ ? କେହି ଜଣେ ବାହାର ଲୋକ କହିବ ଆଉ ଏମାନେ ଗୃହ ଚଲାଇ ଦେବେନି। ପାଣ୍ଡିଆନଙ୍କ ନମ୍ବର ୱାନ ଚମଚା ହେବା ପାଇଁ ଏଠି ପ୍ରତିଯୋଗିତା ଚାଲିଛି। ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର।
ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଭୟଭୀତ ଓ ପଳାୟନ ପନ୍ଥୀ। ସେମାନେ କେବେ ବିରୋଧି ଦଳରେ ବସି ନଥିଲେ, ତେଣୁ ବିରୋଧୀ ଦଳ କାର୍ଯ୍ୟ ନିର୍ବାହ କରିପାରୁ ନାହାଁନ୍ତି। ପ୍ରଶ୍ନ ଉତ୍ତର କାଳ ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହା ରାଜ୍ୟବାସୀ ଏକ ଜାଣିବାର ମାଧ୍ୟମ। ବିରୋଧୀ ସରକାରୀ ଦଳର ଉତ୍ତର ଶୁଣିବାକୁ ସାହସ ରଖି ନାହାଁନ୍ତି। ଗତକାଲି କଂଗ୍ରେସ କଟନୀ ଛଟନି ନେଇ ଦେଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା, ହେଲେ କାହିଁକି କଂଗ୍ରେସ କି ବିଜେଡି ଆଲୋଚନାକୁ ଆସୁ ନାହାଁନ୍ତି ? ଯେଉଁ ୧୦୦ ଟଙ୍କା ବୋନସ କଥା ବିଜେଡି ସରକାର ଘୋଷଣା କରିଥିଲା, ତାହା ଦେଲା ନାହିଁ। ବିଜେପି ୩୧୦୦ ଟଙ୍କା ଦେଲା, ବିରୋଧୀଙ୍କ କୁମ୍ଭୀର କାନ୍ଦଣା ବନ୍ଦ ହେଉ। ଲୋକେ ଦେଖୁଛନ୍ତି ଯେ ସେମାନେ ବିଗତ ଦିନରେ କେମିତି ପ୍ରତାରିତ ହୋଇଛନ୍ତି। ବିଜେଡି ଓ କଂଗ୍ରେସର ଡବଲ ଷ୍ଟାଣ୍ଡାର୍ଡ। ବିଜେଡି ମୋସନ ପାଇଁ କହୁଛି, କଂଗ୍ରେସ ମୁଲତବୀ ପାଇଁ ଦାବି କରୁଛି। ପରେ ଉଭୟ ଦଳ ମିଶି ଯାଉଛନ୍ତି।
ଏହି ଖବରଟିକୁ ପଢନ୍ତୁ-E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି