ନାଗପୁର,୦୬/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁରୁବାର ନାଗପୁର ସ୍ଥିତ ଭିସିଏ ଷ୍ଟାଡ଼ିୟମ୍ରେ ପ୍ରଥମ ଦିନିକିଆ ଖେଳାଯିବ । ୧୯ ତାରିଖରୁ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏହି ସିରିଜ ଜରିଆରେ ଉଭୟ ଦଳ ଆଇସିସି ଟ୍ରଫି ପାଇଁ ପ୍ରସ୍ତୁତି କରିବେ । ଶ୍ରେଷ୍ଠ ଏକାଦଶ ଗଠନ ସହିତ ଏକାଧିକ ତଥା ସ୍ୱତନ୍ତ୍ର ରଣକୌଶଳ ସବୁ ଏହି ସିରିଜ ଜରିଆରେ ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତ କରାଯିବ । ଏସବୁ ବ୍ୟତୀତ ଦର୍ଶକ ଓ ସମୀକ୍ଷକଙ୍କ ନଜରରେ ରହିବେ ଉଭୟ ଦଳର ଭେଟେରାନ ଷ୍ଟାର ।
ଭାରତ ପାଇଁ ଦିନିକିଆର ଅର୍ଥ ରୋହିତ ଓ କୋହଲିଙ୍କ ଦୁର୍ଗ । ଦିନିକିଆରେ ଉଭୟ ଅପ୍ରତିଦ୍ୱନ୍ଦ୍ୱୀ । ଦିନିକିଆର ପ୍ରାୟତଃ ସବୁ ରେକର୍ଡରେ ଉଭୟଙ୍କ ନାମ ରହିଛି । ସଚିନଙ୍କ ଅବସର ପରେ ଭାରତରେ ଦିନିକିଆ କ୍ରିକେଟ୍ର ଲୋକପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ଏହି ଦୁଇ ମହାନ ବ୍ୟାଟର । ମାତ୍ର ଉଭୟଙ୍କ କ୍ୟାରିୟର ଏବେ ଅନ୍ତିମ ପର୍ଯ୍ୟାୟରେ । ଉଭୟ ରନ୍ ପାଇଁ ସଂଘର୍ଷ କରୁଛନ୍ତି । ଟି-ଟ୍ୱେଣ୍ଟିରୁ ଉଭୟ ଅବସର ନେଇ ସାରିଛନ୍ତି ଓ ଟେଷ୍ଟ କ୍ରିକେଟ୍ରେ ତାଙ୍କ ବ୍ୟାଟ୍ ଚୁପ୍ ରହିଛି । ତେଣୁକରି ସେମାନଙ୍କ ପ୍ରିୟ ଫର୍ମାଟ୍ରେ ଉଭୟ ଦର୍ଶକଙ୍କୁ ନିଜ ନିଜ ବ୍ୟାଟର ଗର୍ଜନ ଶୁଣାଇବାକୁ ଅପେକ୍ଷା କରିଛନ୍ତି ।
ଠିକ୍ ସେହିପରି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ମଧ୍ୟ ଦୁଇ ଭେଟେରାନ୍ ଜୋସ ବଟଲର ଓ ଜୋ ରୁଟ୍ । ଇଂଲଣ୍ଡ ଦଳରେ ପ୍ରତିଭାବାନ ତଥା ବିସ୍ଫୋରକ ବ୍ୟାଟରଙ୍କ ଅଭାବ ନାହିଁ । ମାତ୍ର ଦିନିକିଆ ଫର୍ମାଟ୍ରେ ସଫଳ ହେବା ସହଜ କଥା ନୁହେଁ । ସେମାନଙ୍କୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରିବାକୁ ହେଲେ ରୁଟ୍ ଓ ବଟଲରଙ୍କ ମାର୍ଗଦର୍ଶନ ଆବଶ୍ୟକ ।
ରେକର୍ଡକୁ ଅପେକ୍ଷା: ଭାରତର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା କିଛି ରେକର୍ଡ ନିକଟତର ହୋଇଛନ୍ତି । କୋହଲି ୯୪ରନ କଲେ ବିଶ୍ୱର ତୃତୀୟ ବ୍ୟାଟର ଭାବେ ଦିନିକିଆରେ ୧୪,୦୦୦ ରନ ପୂରଣ କରିବେ । କେବଳ ସଚିନ ତେନ୍ଦୁଲକର ୧୮,୪୨୬ ଓ କୁମାର ସାଙ୍ଗାକରା ୧୪,୨୩୪ ରନ୍ ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେହିପରି ରୋହିତ ଶର୍ମା ୧୩୪ ରନ କଲେ ଦିନିକିଆରେ ୧୧,୦୦୦ ରନ ପୂରଣ କରିବେ ।
ସ୍ପିନରଙ୍କୁ ସୁହାଇବ ପିଚ: ଭିସିଏ ଷ୍ଟାଡ଼ିୟମ୍ ପିଚ୍ ସ୍ପିନରଙ୍କୁ ସହାୟତା କରିବା ଏକ ପ୍ରକାର ନିଶ୍ଚିତ । ପିଚ୍କୁ ବ୍ୟାଟିଂ ପାଇଁ ଅନୁକୂଳ କରିବାକୁ କ୍ୟୁରେଟର ଯଥେଷ୍ଟ ପ୍ରୟାସ କରିଛନ୍ତି । କାରଣ ଏଠାରେ ଖେଳାଯାଇଥିବା ଶେଷ ୨ଟି ମ୍ୟାଚ୍ରେ କମ୍ ସ୍କୋର ହୋଇଥିଲା । ଅବଶ୍ୟ ଭାରତ ଉଭୟ ମ୍ୟାଚ୍ ଜିତିଥିଲା । ପାଗ ଶୁଖିଲା ଓ ତାପମାତ୍ରା ୩୦ଡିଗ୍ରୀ ମଧ୍ୟରେ ରହିବ । ରାତ୍ରିରେ କାକର ପଡ଼ୁଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ କରିବା ସଠିକ୍ ନିଷ୍ପତ୍ତି ହେବ ।
ଭାରତର ବ୍ୟାଟିଂ ବିଭାଗ ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି । କେବଳ ୱିକେଟ୍ କିପର ସ୍ଥାନକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । କେଏଲ ରାହୁଲ ୱିକେଟ୍ କିପିଙ୍ଗ କରୁଥିଲେ ହେଁ ବାମ ହାତି ବ୍ୟାଟରଙ୍କ ଅଭାବ ରହିଥିବାରୁ ପନ୍ତଙ୍କୁ ଅଗ୍ରାଧିକାର ମିଳିପାରେ । ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ସ୍ଥାନକୁ ନେଇ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ । କାରଣ ସିନିୟର ରବିନ୍ଦ୍ର ଜାଡ଼େଜାଙ୍କ ସମେତ ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଏହି ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଏକାଦଶରେ ସ୍ଥାନ ମିଳିବ ।
ଆଇସିସି ଟି-୨୦ ରାଙ୍କିଂ, ୱାଙ୍ଖେଡେରେ ଝଡ଼ ସୃଷ୍ଟି କରିଥିବା ବ୍ୟାଟରଙ୍କୁ ବଡ଼ ଉପହାର
ଇଂଲଣ୍ଡ ଏହି ମ୍ୟାଚ୍ ପାଇଁ ଏକାଦଶ ଘୋଷଣା କରିସାରିଛି । ଫାଷ୍ଟ ବୋଲର ମାର୍କ ଉଡ୍ଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ସାକିବ ମହମ୍ମଦଙ୍କୁ ଏକାଦଶକୁ ଡ଼ାକରା ମିଳିଛି । ଇଂଲଣ୍ଡ ୩ଜଣିଆ ପେସ୍ ବାହିନୀ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ସାକିବଙ୍କ ବ୍ୟତୀତ ଜୋଫ୍ରା ଆର୍ଚର ଓ ବ୍ରାଇଡନ କାର୍ସ ପେସ ବିଭାଗ ସମ୍ଭାଳିବେ ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ/ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ/ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ମହମ୍ମଦ ସାମି ।
ଇଂଲଣ୍ଡ: ବେନ ଡକେଟ୍, ଫିଲ ସଲ୍ଟ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ଜୋସ ବଟଲର (ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ସାକିବ ଅହମ୍ମଦ ।