ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ଗାଁ ବୁଲିବାକୁ ବାବୁ କୁନ୍ଥୁକୁନ୍ଥୁ

Published By : Rasmita Pradhan | March 26, 2025 9:09 AM

ଭୁବନେଶ୍ୱର, ୨୬/୦୩ : ମୋ ସରକାର ଲୋକଙ୍କ ସରକାର। ପ୍ରଶାସନ ଲୋକଙ୍କ ପାଖକୁ ଯିବ । ଭଲମନ୍ଦ ବୁଝିବ । ସଚିବାଳୟରୁ ଆଇଏଏସ୍‌ ଅଧିକାରୀ ଜିଲ୍ଲା ଗସ୍ତରେ ଯିବେ । ଗାଁ ବୁଲି ସେଠାରେ ରାତ୍ରିଯାପନ କରିବେ । ଜିଲ୍ଲାରେ ସରକାରୀ ଯୋଜନା କାର୍ଯ୍ୟକାରିତାକୁ ପାଖରୁ ଦେଖିବେ । ବିକାଶମୂଳକ କାମର ସମୀକ୍ଷା କରି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବେ । ଏମିତି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଡ଼ମ୍ବନା ଯେ ମୁଖ୍ୟମନ୍ତ୍ରୀଙ୍କ ଏ ନିଷ୍ପତ୍ତିକୁ ମଧ୍ୟ ବହୁ ଆଇଏଏସ୍‌ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି । ନିର୍ଦ୍ଦେଶ ଜାରିର ୮ ମାସ ମଧ୍ୟରେ ୮ ଜଣ ବାବୁ ଦିନଟିଏ ମଧ୍ୟ ଜିଲ୍ଲାଗସ୍ତ କରିନାହାନ୍ତି ।  

ସରକାର ନିର୍ଦ୍ଦେଶ ଦେଲେ । ଆଇଏଏସ୍‌ ବାବୁଙ୍କ ଭିତରେ ଜିଲ୍ଲା ବାଣ୍ଟିଲେ। ପ୍ରତି ମାସରେ ଦୁଇ ତିନି ଦିନ ନଶ୍ଚିତ ଜିଲ୍ଲା ଗସ୍ତରେ ଯାଇ ଗାଁକୁ ଯିବେ । ବିକାଶମୂଳକ କାମ ସହ ସରକାରୀ ଯୋଜନାର ତଦାରଖ କରିବେ । ମାତ୍ର ଅଧିକାଂଶ ଜିଲ୍ଲାକୁ ବାବୁମାନେ ଆଦୌ ଯାଇନାହାନ୍ତି । କିଛି ଜିଲ୍ଲାକୁ ଗତ ୮ ମାସ ମଧ୍ୟରେ କିଏ ଥରେ ଯାଇଛନ୍ତି । କିଏ ଦିନକ ପାଇଁ ତ ଆଉ କିଏ ଓଳିଏରେ କାମ ସାରି ଦେଇଛନ୍ତି । ଯିଏ ବି ଗସ୍ତ କରିଛନ୍ତି କୁନ୍ଥକୁନ୍ଥ ହୋଇ । ଆଗ୍ରହ ନାହିଁ କି ଆନ୍ତରିକତା ।  ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ, ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ, ସୁରେନ୍ଦ୍ର କୁମାର, ବିଶାଳ ଦେବ, ସଞ୍ଜୟ ସିଂ, ରାଜେଶ ପ୍ରଭାକର ପାଟିଲ, ବିଜୟକେତନ ଉପାଧ୍ୟାୟ, ଡି.ପ୍ରଶାନ୍ତ ରେଡ୍ଡୀ ଓ ରଶ୍ମିତା ପଣ୍ଡା କୌଣସି ଜିଲ୍ଲା ଗସ୍ତ କରିନାହାନ୍ତି ।  ବିକଶିତ ଓଡ଼ିଶା ଗଠନ କରିବାକୁ ନୂଆ ସରକାର ନକ୍ସା ପ୍ରସ୍ତୁତ କରୁଥିଲା ବେଳେ ଆମ ବାବୁମାନେ ଗାଁକୁ ଯିବାକୁ ପୂରା ଅମଙ୍ଗ । 

ନୂଆ ସରକାର ଆସିବା ପରେ ବ୍ୟବସ୍ଥାକୁ ବଦଳାଇବାକୁ ସେପ୍‌ଟେମ୍ବର ମାସରେ ସରକାରୀ ନିର୍ଦ୍ଦେଶ ବାହାରିଲା । ୩୦ ଆଇଏଏସ୍‌ ବାବୁଙ୍କୁ ଜିଲ୍ଲା ବଣ୍ଟାଗଲା । ଜିଲ୍ଲା ବୁଲିବେ ସଚିବ । ପ୍ରତି ମାସରେ ଦୁଇରୁ ତିନି ଦିନ ନିଶ୍ଚିତ ଜିଲ୍ଲାକୁ ଯିବେ । ପଞ୍ଚାୟତକୁ ଯିବେ । ଯେଉଁଠିକୁ ଚାହିଁବେ ଅଚାନକ ପରିଦର୍ଶନ କର ସତ ମିଛ ଜାଣିପାରିବେ । ଅପହଞ୍ଚ ଓ ଆଦିବାସୀ ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି ପହଞ୍ଚିଛି, ତାକୁ ଆଖିରେ ଦେଖିବେ । ସରକାରୀ ଯୋଜନାରେ ଲୋକେ ମୌଳିକ ସୁବିଧା ପାଉଛନ୍ତି ନା’ ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । ଅନାଥାଶ୍ରମ କିମ୍ବା ଆହାର କେନ୍ଦ୍ରରେ ବାବୁ ମଧ୍ୟାହ୍ନଭୋଜନ ଖାଇବେ । ଯାଞ୍ଚ କରିବେ ଖାଦ୍ୟର ଗୁଣବତ୍ତା । ପରିଷ୍କାର ପରିଚ୍ଛନ୍ନତା ଓ ସୁରକ୍ଷା ଦିଗକୁ ପରଖିବେ । କାର୍ଯ୍ୟକାରୀ ହେଉଥିବା ଯୋଜନାର ଟିକିନିଖି ସମୀକ୍ଷା ହେବ । ଅଭିଯୋଗ ଶୁଣାଣିରେ କେତେ ସମାଧାନ ହୋଇଛି ତାହାକୁ ମଧ୍ୟ ଯାଞ୍ଚ କରିବେ ସଚିବ । ଏ ନିର୍ଦ୍ଦେଶ କିନ୍ତୁ କାଟୁ କରୁନି ।  ତୃଣୂମଳସ୍ତରରେ କାର୍ଯ୍ୟକାରୀ ପ୍ରକଳ୍ପର ଗୁଣାତ୍ମକ ମାନ ସହ ଜନକଲ୍ୟାଣ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀ ପାଉଛନ୍ତି ନା ନାହିଁ ତାହାକୁ ନେଇ ସରକାର ଅନ୍ଧାରରେ । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ ଲୋକଙ୍କ ପାଖକୁ ଯିବାର ଢେର ଆବଶ୍ୟକତା ରହିଛି । 

ନିଃସନ୍ଦେହ ଯେ ଲୋକସେବା ଭବନର ବାବୁମାନେ ଜିଲ୍ଲା ଗସ୍ତରେ ଗଲେ ତାର ସୁଦୂରପ୍ରସାରୀ ପ୍ରଭାବ ଜିଲ୍ଲା ଉପରେ ପଡ଼ନ୍ତା । ଦୀର୍ଘମିଆଦି ଭାବେ ଜିଲ୍ଲାଗୁଡ଼ିକ ଏହାର ଲାଭ ଉଠାଇ ପାରନ୍ତେ । ମାତ୍ର କାଁ ଭାଁ ବାବୁ ଜିଲ୍ଲା ଗସ୍ତ କରିଛନ୍ତି । କିଏ କେବଳ ସମୀକ୍ଷା ବୈଠକ କରିଛନ୍ତି । ଆଉ କିଏ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ଗାଁଟିଏ ବୁଲି ରାଜଧାନୀ ବାହୁଡ଼ିଛନ୍ତି । ଯୋଜନା ଓ ସଂଯୋଜନା ବିଭାଗର ମାର୍ଗଦର୍ଶିକା କହୁଛି, ୧୬ ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍‌ ଆଇଏଏସ୍‌ ଅଧିକାରୀ ବୁଲିବେ । ୮ ଡିଏମ୍‌ଏଫ୍‌ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମ୍ବାଡ୍‌ସି ପାଣ୍ଠିର କିଭଳି ବିନିଯୋଗ ହୋଇଛି, ତାର ତଦାରଖ କରିବେ । ଜିଲ୍ଲାରେ ଥିବା ବନ୍ଦର, ବିମାନବନ୍ଦର, ଶିଳ୍ପପାର୍କ, ମେଡିକାଲ କଲେଜ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବେ । ବାବୁମାନେ ନୂଆ ସରକାରଙ୍କ ଏ ନିର୍ଦ୍ଦେଶକୁ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି ।  ବାବୁମାନଙ୍କ ଉଦାସୀନତା ଆଦିବାସୀବହୁଳ ଓ ଦୁର୍ଗମ ଅଞ୍ଚଳର ବିକାଶ ରାସ୍ତାରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ହାତବାନ୍ଧି ବସିଛି । ବିକଶିତ ଓଡ଼ିଶା ଗଠନ ପାଇଁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଜରୁରି।

ଏହି ଖବରଟିକୁ ପଢନ୍ତୁ-ଭୀମଟାଙ୍ଗିରେ ବ୍ୟାପୁଛି ଜଣ୍ଡିସ୍‌, ଦିନକରେ ୧୦ ଆକ୍ରାନ୍ତ ଚିହ୍ନଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.