ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ବଢ଼ିଛି । ହେଲେ ଓଟିଟି ପ୍ଲାଟଫର୍ମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ ହୁଏ । ଏଥିରେ ପ୍ରସାରିତ ହେଉଥିବା ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠେ । ଏସବୁ ଭିତରେ, ଏବେ ସରକାର ଓଟିଟି ପ୍ଲାଟଫର୍ମ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଏହାକୁ ନେଇ ମଙ୍ଗଳବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଓଟିଟି ପ୍ଲାଟଫର୍ମ ପାଇଁ ଏକ ନୂଆ ଚେତାବନୀ ଜାରି ହୋଇଛି। ଚେତାବନୀରେ କୁହାଯାଇଛି ଯେ, ସେମାନେ ଏଭଳି ସାମଗ୍ରୀର ଷ୍ଟ୍ରିମିଂକୁ ନେଇ ସତର୍କ ରୁହନ୍ତୁ, ଯାହା କୌଣସି ନିଶା ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରୁଛି । ବିଶେଷ କରି ଯଦି କୌଣସି ବୈଧାନିକ ଚେତାବନୀ (ଡିସ୍କ୍ଳେମର) ବିନା ମୁଖ୍ୟ ଅଭିନେତା କିମ୍ବା ଅନ୍ୟ ପାର୍ଶ୍ବ କଳାକାରଙ୍କ ଦ୍ବାରା ନିଶା ସେବନକୁ ପ୍ରୋତ୍ସାହିତ କରାଯାଉଛି ତେବେ ଏହା ସଂଘାତିକ ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କିଛି ଓଟିଟି ପ୍ଲାଟଫର୍ମ କଣ୍ଟେଣ୍ଟ ମାଧ୍ୟମରେ ନିଶା ଦ୍ରବ୍ୟଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି। ଯାହା ଦର୍ଶକ ବିଶେଷ କରି ଯୁବକଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ। ପ୍ଲାଟଫର୍ମଗୁଡ଼ିକ ନିଶା ସାମଗ୍ରୀକୁ ଆକର୍ଷଣୀୟ ରୂପରେ ଚିତ୍ରିତ ନକରିବା ଦରକାର। ଯଦି କୌଣସି ନିଶା ସାମଗ୍ରୀର ବ୍ୟବହାରକୁ କୌଣସି ପ୍ରକାର ଚିତ୍ରିତ କରିବାକୁ ପଡ଼ୁଛି, ତେବେ ଏହା ପୂର୍ବରୁ ଏହାର କ୍ଷତିକାରକ ପରିଣାମ ବିଷୟରେ ଉଲ୍ଲେଖ କରିବା ଦରକାର ।
ଅଧିକ ପଢ଼ୁନ୍ତୁ: ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣ ଯୋଗୁ ବନ୍ଦ ହେବ ୧୮ଟି ଓଟିଟି ପ୍ଲାଟଫର୍ମ; କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଘୋଷଣା
ନିଶା ସାମଗ୍ରୀର ସଚେତନତା ପାଇଁ ସାର୍ବଜନିକ ସ୍ବାସ୍ଥ୍ୟକୁ ନଜରରେ ରଖି ବାର୍ତ୍ତା ଦେବାର ଆବଶ୍ୟକତା ରିଛି । ଏହାର ପ୍ରତିକୂଳ ପ୍ରଭାବ କଥା ଜଣାଇବା ଜରୁରି । ଓଟିଟି ପ୍ଲାଟଫର୍ମଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଚେତବାନୀ ଦିଆଯାଇଛି ଯେ, ସେମାନେ ସ୍ବେଚ୍ଛାକୃତ ଭାବରେ ମାର୍ଗଦର୍ଶିକାର ପାଳନ କରନ୍ତୁ । ଯଦି କେହି ନିୟମର ଉଲ୍ଲଘଂନ କରୁଛନ୍ତି ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଚେତାବନୀ ଜାରି କରିଛି ।