ନୂଆଦିଲ୍ଲୀ,୧୫/୦୪ : ଆମେରିକା ଏବଂ ଚୀନ୍ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଏ ବର୍ଷ ସୁନା ଦର ନୂଆ ରେକର୍ଡ ଛୁଇଁବ। ଅନ୍ତର୍ଜାତୀୟ ବଜାରରେ ଏହା ଆଉନ୍ସ ପିଛା ୪,୫୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଅନ୍ତର୍ଜାତୀୟ ଦର ହିସାବରେ ଭାରତରେ ଏହା ୧୦ ଗ୍ରାମକୁ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବିଦେଶୀ ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସାଚ୍ସ ଅନୁମାନ କରିଛି । ତେବେ ବାଣିଜ୍ୟ ଯୁଦ୍ଧ ତଥା ମାନ୍ଦାବସ୍ଥା ଆଶଙ୍କା ଅଧିକ ବଢ଼ିଲେ ହିଁ ସୁନା ଏହି ସ୍ତରକୁ ଯିବ । ଯଦି ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ରିସ୍କ ଚରମ ସ୍ତରରେ ନ ପହଞ୍ଚେ ତେବେ ଆଉନ୍ସ ପିଛା ସୁନା ଦର ୩,୭୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ପୂର୍ବାନୁମାନ କରିଛି ଗୋଲ୍ଡମ୍ୟାନ୍ ସାଚ୍ସ ।
୨୦୨୫ ଫେବ୍ରୁଆରୀରେ ଗୋଲ୍ଡମ୍ୟାନ୍ ସାଚ୍ସ ସୁନାକୁ ନେଇ ଏହାର ପ୍ରଥମ ଅନୁମାନ ଜାରି କରିଥିଲା । ସେତେବେଳେ ଏହା ପୂର୍ବାନୁମାନ କରିଥିଲା ଯେ,ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହି ଧାତୁ ଦର ୩,୧୦୦ ଡଲାର ଛୁଇଁବ । ୨୦୨୫ ମାର୍ଚ୍ଚରେ ଦ୍ୱିତୀୟ ଅନୁମାନରେ ଏହା ପ୍ରକାଶ କରିଥିଲା ଯେ, ଆଉନ୍ସ ପିଛା ସୁନା ଦର ୩,୩୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଚଳିତ ମାସ ଆରମ୍ଭରେ ଏହା ସୁନାର ଅନୁମାନକୁ ୩,୭୦୦ ଡଲାରକୁ ବଢ଼ାଇଥିଲା । ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ଆମେରିକାର ଟାରିଫ୍ ନୀତି ଯୋଗୁ ବାଣିଜ୍ୟ ଯୁଦ୍ଧ ବଢ଼ିବାର ଆଶଙ୍କା ରହିଛି । ଫଳରେ ଅର୍ଥନୀତିର ବେଗ ଧୀମା ହୋଇଯିବ । ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଲୋକେ ସୁନାରେ ନିବେଶ ବଢାଉଛନ୍ତି ।
ମାନ୍ଦାବସ୍ଥା ସମୟରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା କରାଯାଇଥାଏ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ବି ସୁନା ଦର ବଢୁଛି । କାରଣ ଯେତେବେଳେ ଟଙ୍କା ଦୁର୍ବଳ ହୋଇଥାଏ ସୁନା ଆମଦାନିରେ ଅଧିକ ଖର୍ଚ୍ଚ ହୋଇଥାଏ । ଏ ବର୍ଷ ଟଙ୍କା ପ୍ରାୟ ୪% ଖସିଛି, ଯାହାଫଳରେ ସୁନା ଦର ଉପରେ ଚାପ ବଢ଼ିଯାଇଛି । ଏହାସହିତ ବିବାହ ଋତୁ ପାଖେଇ ଆସିଲାଣି । ଏଭଳି ସ୍ଥିତିରେ ସୁନା ଗହଣାର ଚାହିଦା ବଢ଼ିଯାଇଛି, ଯାହାକି ଦର ବଢ଼ିବାର ଅନ୍ୟ ଏକ ପ୍ରମୁଖ କାରଣ । ପ୍ରକାଶଯୋଗ୍ୟ, ବର୍ତ୍ତମାନ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୮୭,୫୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ଦର ରହିଛି ୯୫,୫୧୦ ଟଙ୍କା ।
ଏହି ଖବରଟିକୁ ପଢନ୍ତୁ-ଭାରତୀୟ ପୁଞ୍ଜି ବଜାର ଉପରେ ଟାରିଫ୍ ଚାପ, ନିବେଶକ ହରାଇଲେଣି ୧୧ ଲକ୍ଷ କୋଟି