ମୁମ୍ୱାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଶୁକ୍ରବାର ଜଳଗାଁ ବିମାନବନ୍ଦରରେ ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ତାଙ୍କ ବ୍ୟକ୍ତିଗତ ବିମାନର ପାଇଲଟଙ୍କ ଡ୍ୟୁଟି ସମୟ ଶେଷ ହୋଇଥିବା କାରଣରୁ ସେ ଉଡ଼ାଣ ଭରିବାକୁ ମନା କରି ଦେଇଥିଲେ। ସୂଚନା ଅନୁସାରେ, ଶିନ୍ଦେ ମୁକ୍ତାଇନଗରରେ ସନ୍ତ ମୁକ୍ତାଇଙ୍କ ପାଲଖୀ ଯାତ୍ରାରେ ଯୋଗ ଦେବା ପରେ ମୁମ୍ବାଇ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା।
ଶିନ୍ଦେଙ୍କ ବିମାନ ଜଳଗାଓଁରେ ଅପରାହ୍ନ ୩:୪୫ରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଅର୍ଥାତ ସନ୍ଧ୍ୟା ୬:୧୫ରେ ପହଞ୍ଚିଥିଲା। ପାଲଖୀ ଯାତ୍ରା ଶେଷ କରି ରାତି ୯:୧୫ ସମୟରେ ଜଳଗାଓଁ ବିମାନବନ୍ଦରରେ ପହଞ୍ଚିବା ପରେ ପାଇଲଟ ସ୍ପଷ୍ଟ ଭାବେ କହିଥିଲେ ଯେ ତାଙ୍କର ଡ୍ୟୁଟି ସମୟ ଶେଷ ହୋଇଛି ଏବଂ ସେ ଉଡ଼ାଣ ଭରି ପାରିବେ ନାହିଁ। ଏହାଛଡା ପାଇଲଟଙ୍କ ଶରୀର ହଠାତ୍ ଅସୁସ୍ଥ ମଧ୍ୟ ହୋଇଯାଇଥିଲା। ତେଣୁ ପାଇଲଟ ନିଜ ଅସୁସ୍ଥତା କାରଣକୁ ମଧ୍ୟ ଦର୍ଶାଇଥିଲେ।
ଏହି ଘଟଣା ପରେ ମନ୍ତ୍ରୀ ଗିରିଶ ମହାଜନ, ଗୁଲାବରାଓ ପାଟିଲ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପାଇଲଟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପ୍ରାୟ ୪୫ ମିନିଟର ଆଲୋଚନା ଓ ଏକ ଡାକ୍ତରଙ୍କ ଦ୍ୱାରା ପାଇଲଟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିମାନ ସଂସ୍ଥାର ଅନୁମତି ମିଳିଥିଲା ଏବଂ ବିମାନ ପାଖାପାଖି ରାତି ୯:୫୦ ଆଡ଼େ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।
ଏହି ବିଳମ୍ବ ସତ୍ତ୍ୱେ, ଏହି ଘଟଣା ଏକ ଜୀବନ ରକ୍ଷାକାରୀ ସୁଯୋଗ ସୃଷ୍ଟି କରିଥିଲା। ଜଳଗାଓଁରେ ଶୀତଳ ପାଟିଲ ନାମକ ଜଣେ ମହିଳା ତୁରନ୍ତ କିଡନୀ ପ୍ରତିରୋପଣ ପାଇଁ ମୁମ୍ବାଇ ଯିବାର ଥିଲା। କିନ୍ତୁ ସେ ନିଜର ନିର୍ଦ୍ଧାରିତ ବିମାନ ଛାଡ଼ି ଦେଇଥିଲେ। ମନ୍ତ୍ରୀ ଗିରିଶ ମହାଜନଙ୍କ ମାଧ୍ୟମରେ ଏହି ଖବର ଶିନ୍ଦେଙ୍କ ନିକଟରେ ପହଞ୍ଚିଥିଲା। ଶିନ୍ଦେ ତୁରନ୍ତ ଉକ୍ତ ମହିଳା ଓ ତାଙ୍କ ସ୍ତ୍ରୀଙ୍କୁ ନିଜ ବିମାନରେ ମୁମ୍ବାଇ ନେବାକୁ ଅନୁମତି ଦେଇଥିଲେ।
ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଶିନ୍ଦେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରି ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ନିଶ୍ଚିତ କରିଥିଲେ। ଶିବ ସେନା ନେତାଙ୍କ ଏହି ମାନବୀୟ କାର୍ଯ୍ୟକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। ମନ୍ତ୍ରୀ ଗୁଲାବରାଓ ପାଟିଲ ଏନେଇ ଏକ ପୋଷ୍ଟ କରି କହିଛନ୍ତି ଯେ, “ଏକନାଥ ଶିନ୍ଦେ ଆଜି ମଧ୍ୟ ନିଜର ସଂଘର୍ଷର ଦିନକୁ ଭୁଲି ନାହାନ୍ତି। ସେ ସାଧାରଣ ମଣିଷଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇଛନ୍ତି।”
ତେବେ ଦୁର୍ଭାଗ୍ୟବଶତଃ, ମହିଳାଙ୍କ ଅପରେସନ ସମ୍ପନ୍ନ ହୋଇପାରି ନଥିଲା। କାରଣ ଦାତାଙ୍କ କିଡନୀ ମହିଳାଙ୍କ ସହ ମେଳ ଖାଇ ନଥିଲା ବୋଲି ଜଣା ପଡିଛି। ତଥାପି, ଶିନ୍ଦେଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।