ଭୁବନେଶ୍ଵର, ୧୦/୦୨ : ଦୁଇ ଦିନ ହେଲା  ଅନୁଗୁଳ ସହର ଓ ଉପକଣ୍ଠରେ ଏକ ପାଗଳା କୁକୁର ଆତଙ୍କ ଖେଳାଇଥିଲା । ସୁସୁଡ଼ାରୁ ନେଇ  କଲେଜ ଛକ, ହୁଲୁରିସିଂହାରୁ ରାଣୀଗୋଡ଼ା ଯାଏଁ  ଯାହାକୁ ପାଇଲା ଗୋଡ଼ାଇ କାମୁଡ଼ିଲା । କାହାକୁ ହାତରୁ ତ କାହାକୁ ଗୋଡ଼ରୁ ଝୁଣି ପକାଇଥିଲା । ଶନିବାର ସନ୍ଧ୍ୟାରେ ୨ ଜଣ ଓ ରବିବାର ସକାଳୁ ଅପରାହ୍ଣ ଯାଏଁ ବୁଲି ବୁଲି ୨୫ ଜଣଙ୍କୁ କାମୁଡ଼ି  ଲହୁଲୁହାଣ କରିଥିଲା । ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।  ସକାଳୁ ସକାଳୁ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଥିଲା । ଶେଷରେ  ରାଣୀଗୋଡ଼ାଠାରେ ଉତ୍ୟକ୍ତ ଲୋକ ପାଗଳା କୁକୁରକୁ ପିଟି ମାରି ଦେଇଥିବା ଜଣାପଡିଛି । 

ଏହି ଖବରଟିକୁ ପଢନ୍ତୁ-ନିଶା ମହାରଣାଙ୍କ ଆଇଟମ୍‌ ଡ୍ୟାନ୍ସରୁ ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର: ଛୁରାମାଡ଼ରେ ଦୁଇ ଆହତ, ଅପେରା ବନ୍ଦ

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଏକ କୁକୁର ପାଗଳ ହୋଇଯାଇଥିଲା। ଲୋକଙ୍କୁ  କାମୁଡ଼ିବାକୁ ଗୋଡ଼ାଇଥିଲା । ସନ୍ଧ୍ୟାରେ ହୁଲୁରିସିଂହାରେ କୁକୁର କାମୁଡ଼ାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଉଭୟ ମେଡିକାଲ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ରବିବାର ସକାଳୁ ପାଗଳା କୁକୁରଟି ପ୍ରଥମେ ସୁସୁଡାରେ ଆତଙ୍କ ସୃଷ୍ଟି କରିଥିଲା । ସାମ୍ନାରେ ଯାହାକୁ ପାଇଲା ଗୋଡ଼ାଇଥିଲା ।  ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଥିଲା । ପରେ ହାଟ ଛକ, କଲେଜ ଛକ,  ହୁଲୁରସିଂହାର ମୋଟ୍‌ ୨୨ ଜଣଙ୍କୁ କାମୁଡି ଥିଲା ।  ଅପରାହ୍ଣରେ ରାଣୀଗୋଡ଼ାରେ ପହଞ୍ଚି ୩ ଜଣଙ୍କୁ ଝୁଣି ରକ୍ତାକ୍ତ କରିଥିଲା । ସମସ୍ତ ଆହତ ମେଡିକାଲ୍‌ରେ ଚିକିତ୍ସିତ ହେବା ସହିତ  ଆଣ୍ଟି ରାବିଜ୍‌ ଇଞ୍ଜେକସନ୍‌ ନେଇ ଘରକୁ ଫେରିଥିବା ଜଣାପଡ଼ିଛି । 

ଅନୁଗୁଳ ସହରରେ ପାଗଳା କୁକୁର ଆତଙ୍କ ନେଇ ପୁଣି ଥରେ ପୌରପାଳିକାର କୁକୁରଶାଳ ପ୍ରସଙ୍ଗ ଲୋକଲୋଚନକୁ ଆସିଛି। ବୁଲା କୁକୁରଙ୍କ ବଂଶ ବୃଦ୍ଧିରେ ରୋକ୍‌ ଲଗାଇବା ପାଇଁ କୁକୁର ବନ୍ଧ୍ୟାକରଣ ନିମିତ୍ତ ଅନୁଗୁଳ କଲେଜ ସାମ୍ନାରେ ସରକାରଙ୍କ ପକ୍ଷରୁ ପ୍ରାୟ ୪୦ ଲକ୍ଷ ଟଙ୍କାରେ କୁକୁରଶାଳ ନିର୍ମାଣ ହୋଇଛି ।  ନିର୍ମାଣକୁ ଦୁଇ ବର୍ଷ ବିତିଲାଣି । ସେହିପରି କୁକୁର ଧରିବା ପାଇଁ ପୌର କାର୍ଯ୍ୟାଳୟରେ କୁକୁରଧରା ଗାଡି ପଡ଼ିରହିଛି । ମାତ୍ର ପୌର କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ।