ଭୁବନେଶ୍ଵର, ୧୭/୦୨ : ଯେଉଁଠି ଅଭିଯୋଗ ସେଇଠି ଭଦ୍ରକ ଜିଲ୍ଲାପାଳ। ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ସମୟାନୁବର୍ତ୍ତୀ ହେବା ପାଇଁ ନିର୍ଦ୍ଦେଶ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହାପରେ କଟନୀ ଛଟନୀ ଅଭିଯୋଗ ଶୁଣି ହାପ୍ ପ୍ୟାଣ୍ଟ୍ ଓ ଟି ସାର୍ଟ ପିନ୍ଧି ମଣ୍ଡିରେ ଅଚାନକ ଚଢାଉ କରି ପ୍ରଶଂସା ସାଉଁଟିଥିଲେ। ଆଉ ଏବେ ଡାକ୍ତରଖାନାରେ ଡାକ୍ତର ନଥିବା ଅଭିଯୋଗ ଶୁଣି ଜିଲ୍ଲାପାଳ ରାତି ଅଧରେ ସରପ୍ରାଇଜ୍ ଭିଜିଟ୍ କରିଛନ୍ତି। ଦାୟିତ୍ଵରେ ଅବହେଳା ପାଇଁ ଡ୍ୟୁଟିରେ ଥିବା ଡାକ୍ତରଙ୍କ ଉପରେ ଆକ୍ସନ ହୋଇପାରେ ବୋଲି ସୂଚନା ମିଳିଛି।
ଏହି ଖବରଟିକୁ ପଢନ୍ତୁ-ହାପ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ମଣ୍ଡିରେ ଜିଲ୍ଲାପାଳ, ଅନିୟମିତତା ଦେଖିବାରୁ ଅଧିକାରୀଙ୍କୁ ସୋ କଜ୍ ନୋଟିସ୍
ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ମାତୃ ଓ ଶିଶୁ ମଙ୍ଗଳ ୟୁନିଟ୍ ବା ନୂଆ ଡିଏଚଏଚ୍ରେ ଗାଇନିଂ ଓ ପେଡ୍ରିଆଟିକ୍ ବିଭାଗ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ସହର ଠାରୁ ଅନତି ଦୂର ଗେଲପୁର୍ ଠାରେ ହୋଇଥିବାରୁ ଅଧିକାଂଶ ସମୟରେ ଡାକ୍ତର ଆସୁନଥିବା ଅଭିଯୋଗ ହେଉଛି। ରାତି ସମୟରେ ଶିଶୁଙ୍କୁ ଆମ୍ବୁଲାନ୍ସ ରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ପରେ ପୁଣି ସେଠାକୁ ନିଆଯାଉଛି। ଏମିତି ସ୍ଥିତିରେ ଗତକାଲି ରବିବାର ରାତିରେ ମେଡ଼ିକାଲରେ ଶିଶୁ ବିଭାଗ ଡକ୍ଟର ନଥିବା ନେଇ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ସୂଚନା ମିଳିଥିଲା । ଜିଲ୍ଲାପାଳ ବିଳମ୍ବିତ ରାତିରେ ଅଚାନକ ଗୋଲପୁର ସ୍ଥିତ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ଦାୟିତ୍ୱରେ ଥିବା ଡାକ୍ତର ଉପସ୍ଥିତ ନଥିବା ଜାଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ କଥା ହୋଇଥିଲେ । ଏହି ଘଟଣା ପରେ ସମ୍ପୃକ୍ତ ଡାକ୍ତରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି ।
ଏହି ଖବରଟିକୁ ପଢନ୍ତୁ-କଠୋର ହେଲେ ଭଦ୍ରକ ଜିଲ୍ଲାପାଳ, ସରକାରୀ କର୍ମଚାରୀ ପାଇଁ ଜାରି କଲେ ଚେତାବନୀ