କଟକ,୧୮/୦୮: କଟକର ଅନ୍ୟତମ ପରିଚୟ ତଥା ପ୍ରସିଦ୍ଧ ଦହିବରା ଆଳୁଦମ୍ ବ୍ୟବସାୟୀ ରଘୁନାଥ ସାସମଲଙ୍କ ଶନିବାର ପରଲୋକ ହୋଇଯାଇଛି । ତାଙ୍କ ପୂର୍ବରୁ ମଧ୍ୟ କଟକ ସହରର ବହୁ ଲୋକପ୍ରିୟ ଦହିବରା ବ୍ୟବସାୟୀଙ୍କ ମୃତ୍ୟୁ ହୋଇସାରିଲାଣି । ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ କଟକ ଦହିବରାର ପରିଚୟକୁ ପରିବ୍ୟାପ୍ତ କରିଥିବା କଟକ ସହରର ମୂଳ ତଥା ପୁରୁଣା ଦହିବରା ଆଳୁଦମ୍ ବ୍ୟବସାୟୀଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ଏଭଳି ସ୍ଥିତିରେ ଏବେ ଯାଏ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍କୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ୍) ମାନ୍ୟତା ମିଳିପାରିଲାନାହିଁ । ଏ ଦିଗରେ ପ୍ରଶାସନିକ ସ୍ତରରେ ମଧ୍ୟ ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଏମିତି ସମୟ ଆସିବ, ଯେତେବେଳେ କଟକ ସହରର ମୂଳ ଦହିବରା ଆଳୁଦମ୍ ବ୍ୟବସାୟୀଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ।
ସେତେବେଳେ କଟକ ଦହିବରା ଆଳୁଦମ୍ ଇତିହାସର ଅନାଲୋଚିତ ତଥ୍ୟ ପ୍ରଶାସନ କେଉଁଠାରୁ ପାଇବ ଏବଂ କେଉଁ ଆଧାରରେ ଜିଆଇ ପାଇଁ ଆବେଦନ କରିବ ତାକୁ ନେଇ ପ୍ରଶ୍ନ ଉଠିଛି । କଟକ ଦହିବରା ଆଳୁଦମ୍ର ନିଆରା ସ୍ୱାଦ ଓ ଏହାର ସ୍ୱତନ୍ତ୍ରତା ହେତୁ ଏହାକୁ ଜିଆଇ ମାନ୍ୟତା ଦେବା ପାଇଁ ଦାବି ଉଠିଛି । ୨୦୨୪ ଜୁଲାଇ ୩୧ରେ କଟକ-ବାରବାଟୀ ବିଧାୟିକା ସାଫିଆ ଫିରଦୋସ୍ ଓଡ଼ିଶା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ମାତ୍ର ସରକାରଙ୍କଠାରୁ ଯଥାର୍ଥ ଉତ୍ତର ମିଳିନଥିଲା । କଟକରେ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ଦହିବରା ଦିବସ ଭାବେ ପାଳନ କରାଯାଏ । କଟକ ଜିଲ୍ଲାପାଳ ଦିତ୍ତାତ୍ରେୟ ଭାଉ ସାହେବ ସିନେ୍ଧ ମଧ୍ୟ ଏହାକୁ ସାଂସ୍କୃତିକ ଐତିହ୍ୟ ଭାବେ ଗ୍ରହଣ କରି ଏହାର ପ୍ରଚାର ପାଇଁ ମିଲେଟ ଦହିବରାକୁ ପ୍ରୋତ୍ସାହନ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।
କଟକରେ ଦହିବରାର ଉତ୍ପତ୍ତି ବିଡାନାସୀରୁ ହୋଇଥିବା କୁହାଯାଏ । ୧୯୬୦ ଦଶକରେ ଦହିବରା ବାରବାଟୀ ଦୁର୍ଗ ନିକଟରେ ବିକ୍ରି ହେଉଥିଲା । ଯଦିଓ ଏହାର ଢେର୍ ପୂର୍ବରୁ କଟକ ସହରର କିଛି ପୁରୁଣା ବ୍ୟବସାୟୀ ଭାରରେ ଦହିବରା ବୋହି ବୁଲିବୁଲି ବିକ୍ରି କରୁଥିଲେ । ଏହାର ଉଦାହରଣ ସ୍ୱର୍ଗତ ରଘୁନାଥ ସାସମଲ ଓରଫ୍ ରଘୁ ମଉସା । ବର୍ତ୍ତମାନ କଟକରେ ପ୍ରାୟ ୨ ହଜାରରୁ ଅଧିକ ବ୍ୟବସାୟୀ ଦହିବରା ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି । ପ୍ରତିଦିନ କୋଟିଏ ଟଙ୍କାର ଦହିବରା ବେପାର ହେଉଛି ।
ବାବୁଲା ଦହିବରା ଆଳୁଦମ ୨୦୨୦ ଓ ୨୦୨୩ରେ ଜାତୀୟ ଷ୍ଟ୍ରିଟ ଫୁଡ୍ ଫେଷ୍ଟିଭାଲରେ ପୁରସ୍କାର ଜିତିଛି ଯାହା ଏହାର ଜାତୀୟ ଓ ଆନ୍ତର୍ଜାତୀୟ ପରିଚିତିକୁ ପ୍ରମାଣ କରେ । ଈଶ୍ୱର, ଧଡ଼ିଆ, ପୁନିଆ, ଦିଜ, ଠୁସି, ତ୍ରିନାଥ, ବାଟୁଆ, ଉତ୍ସବଭାରତୀ, ପୁନାଙ୍କ ଭଳି ଅନେକ ଲୋକପ୍ରିୟ ଦହିବରା ବ୍ୟବସାୟୀ ଗରାଖଙ୍କ ମନ ଜିତିଛନ୍ତି । ଏଥିରୁ ଅନେକଙ୍କ ମୃତ୍ୟୁ ହେଲାଣି, ଆଉ କିଛି ଏବେ ବି ବଞ୍ଚିଛନ୍ତି । ତେଣୁ ଜିଆଇ ମାନ୍ୟତା ପ୍ରୟାସ ଏବେ ଠାରୁ ଆରମ୍ଭ ହେଲେ ଆସନ୍ତା କିଛି ବର୍ଷ ଭିତରେ ଏହାର ସୁଫଳ ମିଳିବାର ସମ୍ଭାବନା ରହିଛି । ଦହିବରାକୁ ଜିଆଇ ମାନ୍ୟତା ଦ୍ୱାରା ଏହା କଟକର ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବ ଓ ଏହାର ବିଶ୍ୱବ୍ୟାପୀ ପ୍ରଚାରରେ ସହାୟକ ହେବ । ଯଦିଓ ଏହି ଦାବି ଜୋରଦାର ହେଉଛି କିନ୍ତୁ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ଜିଆଇ ମାନ୍ୟତା ଉଦ୍ୟମ ହୋଇନାହିଁ ।
ଚଳିତବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୧ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଇଥିଲା । ଏଥିପାଇଁ ସିଲଭର ସିଟି ବୋଟ୍ କ୍ଲବ୍ ଠାରେ ଏକ ବିଶେଷ ଆୟୋଜନ ଦେଖିବାକୁ ମିଳିଥିଲା । ଏହାସହ ଜିଲ୍ଲା ପ୍ରଶାସନର ୱେବ୍ସାଇଟ୍ ଲିଙ୍କ୍ରେ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ଉପରେ ଏକ ସ୍ୱତନ୍ତ୍ର ୱେବ୍ସାଇଟ୍ ଖୋଲାଯାଇଛି । ଏବେ ଦହିବରା ଆଳୁଦମ୍କୁ ଜିଆଇ ମାନ୍ୟତା ପାଇଁ ଉଦ୍ୟମ ହେବା ଜରୁରି ବୋଲି ମତ ପ୍ରକାଶ ପାଇଛି ।