ଭୁବନେଶ୍ଵର, ୧୮/୩ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ନବଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଲା ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ନୂଆ ତଦନ୍ତ ଅଧିକାରୀ ASP ବିଜୟ ମଲ୍ଲିକ ଏବଂ DSP ଦିପ୍ତୀମୟୀ ମଲ୍ଲିକ ନବଙ୍କ ଘରେ ପହଞ୍ଚିଛନ୍ତି। ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମୀନତିଙ୍କର ବୟାନ ରେକର୍ଡ କରିଛନ୍ତି।
ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରି ସାରିଛି। ଏହି ମାମଲା ଏବେ ବିଚାରଧୀନ ଥିବାବେଳେ ୩୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେଲାଣି। ଯଦି ଏହି ମାମଲାରେ କୌଣସି ଅଧିକ ତଥ୍ୟ ମିଳେ ତେବେ ସେନେଇ ତଦନ୍ତ କରି ଆଡିସନାଲ ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ଵ ଦିଆଯାଇଥିଲା। ସେହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ନୋଟିସ ଜାରି କରିଥିଲା। ଯଦି ତାଙ୍କ ପାଖରେ କୌଣସି ନୂଆ ଆପତ୍ତି ବା ତଥ୍ୟ ଅଛି ତାହା ଜଣାଇବାକୁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ ବିଶାଳ ଏବଂ ଦୀପାଳି ସମୟ ମାଗିବା ସହ ଘରେ ବୟାନ ରେକର୍ଡ କରିବା ପାଇଁ କହିଥିଲେ। ତେଣୁ ଆଜି ଏକ ଟିମ୍ ନବଙ୍କ ସରବାହାଲ ସ୍ଥିତ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି।
ଏହି ଖବରଟିକୁ ପଢନ୍ତୁ-ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ନୂଆ ମୋଡ଼ ନେଉଛି । ସିବିଆଇ ତଦନ୍ତ ପାଇଁ ମାର୍ଚ୍ଚ ୧୧ ତାରିଖରେ ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିବା ଜଣାପଡ଼ିଛି । ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ମିନତୀ ।
ନବ ଦାସଙ୍କ ହତ୍ୟା ଘଟଣାକୁ ୨ ବର୍ଷ ବିତିଥିବାବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ । ବିଭିନ୍ନ ମହଲରୁ ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ନବଙ୍କ ପରିବାର ଲୋକେ ମଧ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବରେ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ ।