ଭୁବନେଶ୍ୱର, ୧୭/୦୩: ନୂଆ ମୋଡ଼ ନେଉଛି ନବ ଦାସ ହତ୍ୟା ମାମଲା । ମାର୍ଚ୍ଚ ୧୧ ତାରିଖରେ ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିବା ଜଣାପଡ଼ିଛି । ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ମିନତୀ ।
ଗୋଷ୍ଠୀ ସଙ୍ଘର୍ଷରେ ଛୁରାମାଡ଼, ୮ ଆହତ
ନବ ଦାସଙ୍କ ହତ୍ୟା ଘଟଣାକୁ ୨ ବର୍ଷ ବିତିଥିବାବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ । ବିଭିନ୍ନ ମହଲରୁ ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ନବଙ୍କ ପରିବାର ଲୋକେ ମଧ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବରେ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ । ଅନ୍ୟପଟେ ପରେ ତଦନ୍ତକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ କ୍ରାଇମ୍ବ୍ରାଞ୍ଚ ସମ୍ମୁଖରେ ହାଜର ହୋଇ ଜଣାଇବାକୁ ନବଙ୍କ ପୁଅ ବିଶାଳ ଓ ଝିଅ ଦୀପାଳିଙ୍କୁ ନୋଟିସ୍ ହୋଇଥିଲା । ହେଲେ ଉଭୟ କ୍ରାଇମବ୍ରାଞ୍ଚ ନିକଟରେ ହାଜର ନହୋଇ ସମୟ ମାଗିବା ସହ ଘରେ ବୟାନ ରେକର୍ଡ କରିବାକୁ କହିଥିଲେ । ହେଲେ ଏବେ ନବଙ୍କ ପତ୍ନୀ ମିନତୀ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ ଓ ଡାକ ଯୋଗେ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି । ଯାହା ନବ ଦାସ ହତ୍ୟା ମାମାଲାକୁ ଏକ ନୂଆ ମୋଡ଼ ଦେବ ବୋଲି ଚର୍ଚ୍ଚା ହେଉଛି ।