ବୌଦ୍ଧ,୭/୭(ଆପ୍ର): ଗତ ୨୦୨୪ ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ବିଜେପି ବିଧାୟକ ଦାଖଲ କରିଥିବା ସତ୍ୟପାଠରେ ଅନେକ ଅନିୟମିତତା ଅଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ବୌଦ୍ଧ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଦୀପ ଅମାତ ସୂଚନା ଦେଇଛନ୍ତି ।
ବିଧାୟକ ସରୋଜ କୁମାର ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ନାମରେ ସର୍ବମୋଟ ୫ ଟି କେଶ ଥିବା ଉଲ୍ଲେଖ ରହିଛି। ୨୦୧୭ ମସିହା ପଂଚାୟତ ନିର୍ବାଚନ ସମୟରେ ୮ ନମ୍ବର ଜୋନର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ହନୁମାନ ବେହେରା ୨୦/୨/୨୦୧୯ ତାରିଖ ଭବାନୀପାଟଣା ଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀଙ୍କ ଆୟୋଜିତ ବିଜେପି ସଭାରେ ଯୋଗ ଦେଇଥିଲେ। ସେହିଦିନ ରାତ୍ରୀରେ ବିଜେପି ନେତା ହନୁମାନ ବେହେରାଙ୍କୁ ବର୍ତ୍ତମାନର ବୌଦ୍ଧ ବିଧାୟକଙ୍କ ନେତୃତ୍ୱରେ ଜାତିଆଣ ଆକ୍ଷେପ କରି ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସମ୍ବନ୍ଧରେ ପୁରୁଣାକଟକ ଥାନାରେ କେଶ ନମ୍ବର ୨୫/୨୦୧୯ ରେ ମାମଲା ଦରଜ ହୋଇଛି । ଏବଂ ବିଧାୟକ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ବିଧାୟକ ପ୍ରଥମେ ଥାନାରୁ ଏବଂ ପରେ ଅଦାଲତଙ୍କ ନିକଟରୁ ଜାମିନିରେ ଆସିଥିବା ବେଳେ ଏହି ମାମଲା ବୌଦ୍ଧ ଜିଲ୍ଲା ସେସନ ଜଜଙ୍କ ନିକଟରେ ବିଚାରଧିନ ଅଛି । ବିଧାୟକଙ୍କ ନାମରେ ଏଭଳି ମାମଲା ଥିବାବେଳେ ବିଧାୟକ ଏହାକୁ ଜାଣିଶୁଣି ଲୁଚେଇଛନ୍ତି । ଏବଂ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଏ ସମ୍ବନ୍ଧରେ ଉଲ୍ଲେଖ ସୁଦ୍ଧା କରିନାହାନ୍ତି l ସେହିପରି ତାଙ୍କ ନାମରେ ଦାଖଲ କରିଥିବା ସମ୍ପତ୍ତି ତାଲିକାରେ ମଧ୍ୟ ତାଳ ମେଳ ନଥିବା ପରିଲିକ୍ଷିତ ହୋଇଛି ବୋଲି ବିଜେଡ଼ି ଅଭିଯୋଗ କରିଛି। ଏ ସମ୍ବନ୍ଧରେ ବୌଦ୍ଧ ଏସଡିଜେଏମ ଙ୍କ ନିକଟରେ ପୂର୍ବତନ ବିଧାୟକ ତଥା ବୌଦ୍ଧ ଜିଲ୍ଲା ବିଜୁ ଜନତାଦଳ ସଭାପତି ପ୍ରଦୀପ କୁମାର ଅମାତ ଏକ ମାମଲା ଦରଜ କରିଛନ୍ତି ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତା ଅଶୋକ ସାହୁ, ଅବକାଶ ସାହୁ, ଆଇନଜୀବି ଅମ୍ରିତ ପ୍ରଧାନ ଉପସ୍ଥିତ ଥିଲେ।
ଏନେଇ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ପଚାରିବାରୁ ସେମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ୨୦୧୯ ମସିହାର କେସ ୨୦୨୫ ରେ ନୋଟିସ ପାଇଲି । ତେଣୁ ମୁଁ କିପରି ଜାଣିଲି ଯେ ମୋର ନାମରେ ମାମଲା ରହିଛି ବୋଲି । ଘଟଣା ଦିନ ମୁଁ ଫୁଲବାଣୀରେ ଥିଲି । ମୋର ସତ୍ୟ ପଥରେ ଦିଆ ଯାଇଥିବା ସମ୍ପତ୍ତି ତାଲିକା ଠିକ୍ ଅଛି କହିଛନ୍ତି। ଦୀର୍ଘ ୨୪ ବର୍ଷ ଧରି କ୍ଷମତାର ରହିଥିଲେ ମଧ୍ୟ ଲୋକଙ୍କ ପାଇଁ କୌଣସି କାର୍ଯ୍ୟ କରି ନାହାନ୍ତି । ବର୍ତ୍ତମାନ ସରକାର ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଜିଲ୍ଲାର ବିକାଶକୁ ରୋକିବା ପାଇଁ ସେମାନେ ଯୋଜନା ଚଳାଇଛନ୍ତି ବୋଲି ବିଧାୟକ କହିଛନ୍ତି ।