ନୂଆଦିଲ୍ଲୀ,୩।୬: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପକ୍ଷରୁ ‘ଅପରେସନ୍ ସିନ୍ଦୁର’ ଉପରେ ଦିଆଯାଇଥିବା ଟିପ୍ପଣୀକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ବିଜେପି ଏହାକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପି ପଞ୍ଜାବ ମୁଖପାତ୍ର ପ୍ରୀତପାଲ୍ ସିଂହ ବଲିୟାଭାଲ ମାନ୍ଙ୍କ ବୟାନକୁ ସମ୍ବେଦନହୀନ ଓ ଲଜ୍ଜାଜନକ ବୋଲି କହିଛନ୍ତି। ସିଏମ୍ ମାନ୍ ପ୍ରେସ୍ କନଫ୍ରେନ୍ସରେ ‘ଅପରେସନ ସିନ୍ଦୂର’ ବିଷୟରେ କହିଛନ୍ତି, କ’ଣ ଆପଣ ମୋଦିଙ୍କ ନାଁରେ ସିନ୍ଦୂର ଲଗାଇବେ ? କ’ଣ ଏହା ଏକ ରାଷ୍ଟ୍ର, ଏକ ପତି ଯୋଜନା କି ? ବିଜେପି ଏହାକୁ ଭାରତୀୟ ସେନା ଓ ବୀର ନାରୀଙ୍କ ଅପମାନ ବୋଲି କହିଛି। ଏହା ସହ ତୁରନ୍ତ ଇସ୍ତଫା ଓ କ୍ଷମାର ଦାବି କରାଯାଉଛି।
ପ୍ରୀତପାଲ ସିଂହ ବଲିୟାଭାଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସିଏମ୍ ମାନ୍ଙ୍କ ବୟାନର ଭିଡିଓ ସେୟାର କରଛି। ସେ କହିଛନ୍ତି ‘ଅପରେସନ୍ ସିନ୍ଦୂର’ ର ଉଦେଶ୍ୟ ଆତଙ୍କବାଦୀଙ୍କ ପକ୍ଷରୁ ହିନ୍ଦୁଙ୍କୁ ତାଙ୍କ ଧାର୍ମିକ ପରିଚୟ, ଯେପରିକି ସିନ୍ଦୂର ଆଧରରେ ଟାର୍ଗେଟ କରି ହତ୍ୟାର ଜାବ୍ ଦେବାର ଥିଲା। ସେ କହିଛନ୍ତି, ଏହି ଅପରେସନ୍ ଆତଙ୍କବାଦ, ବଳିଦାନ ଓ ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ଜଡିତ ଥିଲା। କିନ୍ତୁ ଏହାକୁ ନେଇ କଟାକ୍ଷ କରିବା ସେନା ଓ ପବିତ୍ର ପ୍ରତୀକର ଅପମାନ। ବିଜେପି କହିଛି, ମୁଖ୍ୟମନ୍ତ୍ରୀ ମାନ୍ଙ୍କୁ ସିନ୍ଦୂରର ମହତ୍ବ ଜଣାନାହିଁ ଓ ସେ ଏହାକୁ ହାଲକାରେ ନେଇ ଦେଶର ଭାବନାକୁ ଆଘାତ ପହଁଞ୍ଚାଇଛନ୍ତି।
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ ଭଗବନ୍ତ ମାନ୍ଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି। ସେ ଏହାକୁ ଭାରତୀୟ ସଶସ୍ତ୍ର ବଳ ଓ ଏକ ସଫଳ ସାମରିକ ଅପରେସନ୍ର ଅପମାନ ବୋଲି କହିଛନ୍ତି। ସେ କହିଛନ୍ତି, ବିରୋଧି ବାରମ୍ବାର ନିଜର ଭାରତ ବିରୋଧି ମାନସିକତାକୁ ଉଜାଗର କରିବାକୁ ଚାହେଁ। ମାନ୍ଙ୍କ ବୟାନକୁ ଭଣ୍ଡାରୀ ଲଜ୍ଜାଜନକ ବୋଲି କହିଛନ୍ତି। ସେ କହିଛନ୍ତି ଏହା ସେନାର ମନୋବଳ ଭାଙ୍ଗିଦେବ।