କଟକ,୧୭/୧୧: କୋଟିଏରୁ ଅଧିକ ଖର୍ଚ୍ଚ କରାଯାଇ ବାଲିଯାତ୍ରା ପଡ଼ିଆରେ ମୋରମ୍ ପଡ଼ିଲା । ଦିନକୁ ପାଖାପାଖି ୫ ଲକ୍ଷ ଖର୍ଚ୍ଚରେ ପଡ଼ିଆରେ ଧୂଳି ନଉଡ଼ିବାକୁ କେମିକାଲ୍ ସ୍ପ୍ରେ ବି ହେଉଛି । କିନ୍ତୁ ଏଥର ବାଲିଯାତ୍ରାରେ ଅଣନିଶ୍ୱାସୀ କରୁଛି ଧୂଳି । ବାଲିଯାତ୍ରା ଆରମ୍ଭ ହେବାର ଦୁଇଦିନ ନ ବିତୁଣୁ ଲାଲ୍ ଧୂଳି ବେଶ ପୋଷାକର ରଙ୍ଗ ବଦଳେଇ ଦେଉଛି । ଦୁର୍ବଳତା ଘୋଡ଼ାଇବାକୁ ଦିନ ତମାମ୍ ଯେତେ ପାଣି ପକେଇଲେ ବି କିଛି ଲାଭ ହେଉନି । ସ୍ଥିତି ଏମିତି ହେଉଛି ଯେ, ଅତ୍ୟଧିକ ପାଣି ପଡ଼ିବା ଯୋଗୁଁ ଦିନଯାକ ବାଲିଯାତ୍ରା ପଡ଼ିଆରେ ଠା’ ଠା’ କାଦୁଅ ଜମି ରହୁଛି । ଯେଉଁଠି ପାଣି ଶୁଖିଯାଉଛି, ସେଠୁ ଧୂଆଁ ଭଳି ଧୂଳିର ପାଉଡର୍ ଉଠୁଛି, ଉଡୁଛି ।
ବାଲିଯାତ୍ରାରେ ଧୂଳି ଉଡ଼ିବା ନୂଆ କଥା ନୁହେଁ । କିନ୍ତୁ ୨୦୧୯ ପରଠାରୁ ବାଲିଯାତ୍ରାରେ ଆଖିକୁ ଦିଶିଲା ଭଳି ଧୂଳି ଉଡୁନଥିଲା। ବାଲିଯାତ୍ରାକୁ ଧୂଳିମୁକ୍ତ ବା ‘ଡଷ୍ଟ୍ ଫ୍ରି’ କରିବାକୁ ପ୍ରଶାସନ ଜୋର୍ ଦେଉଥିଲା । ସେଥିପାଇଁ ବାଲିଯାତ୍ରାର ଢେର ପୂର୍ବରୁ କାମ ହୁଏ । ମୋରମ୍ ପଡ଼ିବାଠାରୁ ଆରମ୍ଭ କରି କେମିକାଲ୍ ସ୍ପ୍ରେ କରାଯାଏ । ସବୁକିଛିର ପରୀକ୍ଷଣ ପ୍ରଶାସନିକ ଅଧିକାରୀମାନେ କରିଥାନ୍ତି । କିନ୍ତୁ ଏଥର ସେଭଳି କୌଣସି ତତ୍ପରତା ପ୍ରଶାସନ ଆଡୁ ନଜର ନଆସିବାରୁ ସ୍ଥିତି ଠିକାଦାରମାନଙ୍କୁ ସୁହାଇଛି । ମୋରମ୍ର ମାନ ସନ୍ଦେହଜନକ ହେବା ସାଙ୍ଗକୁ କେମିକାଲ୍ର ସମୟୋପଯୋଗୀ ସ୍ପ୍ରେ’ କରାନଯିବା ଯୋଗୁଁ ଏଥର ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଛି । ଆଗକୁ ବାଲିଯାତ୍ରା ଆହୁରି ୬ ଦିନ ବାକି ଥିବାବେଳେ ଧୂଳି ଅଣନିଶ୍ୱାସୀ କଲାଣି ।
୮ ଦିନର ବାଲିଯାତ୍ରା ଲାଗି ପ୍ରାୟ ତିନି ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁ କାମର ଟିକିନିକି ସମୀକ୍ଷା କରାଯାଏ । ବିଭିନ୍ନ ଲାଇନ୍ ବିଭାଗ ସହ ସମନ୍ୱୟ ରଖି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବାଲିଯାତ୍ରା ପରିଚାଳନା କରିଥାନ୍ତି । ପୂର୍ତ୍ତ ବିଭାଗ ତରଫରୁ ବାଲିଯାତ୍ରାରେ ଦୁଇ ମାସ ପୂର୍ବରୁ ରାସ୍ତା କାମ କରାଯାଇଥାଏ । ବାଲିଯାତ୍ରା ପଡ଼ିଆରେ ମୋରମ୍ ପଡ଼ି ରାସ୍ତାର ନବୀକରଣ ହୋଇଥାଏ ।
ଚଳିତ ବର୍ଷ ବାଲିଯାତ୍ରା ରାସ୍ତା କାମ ପାଇଁ ପ୍ରାୟ ୧ କୋଟି ୨୦ ଲକ୍ଷ ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରାଯାଇଛି । କିନ୍ତୁ ରାସ୍ତାର ସ୍ଥିତି ଦେଖି ମୋରମ୍ର ମାନକୁ ନେଇ ପ୍ରଶ୍ନ ଉଠିଲାଣି । ସାଧାରଣତଃ ମୋରମ୍ ତିନି ପ୍ରକାରର ଥାଏ । ସେଥିରୁ ସବୁଠାରୁ କମ୍ ମୂଲ୍ୟ ମୋରମ୍ଟି ସମ୍ପୂର୍ଣ୍ଣ ଧୂସର ବା ପାଉଡର୍ ଭଳି । ତେବେ ଏଥର ବାଲିଯାତ୍ରାରେ ଏଭଳି ଶସ୍ତା ପାଉଡର୍ ମୋରମ୍ ବ୍ୟବହାର କରାଯାଇଥିବା ଆଶଙ୍କା କରାଯାଉଛି । କାରଣ ଏଥିରେ ସାମାନ୍ୟ ପାଣି ପଡ଼ିଲେ ବି କାଦୁଅ ହୋଇଯାଉଛି । ସେହିପରି ପାଣି ଶୁଖିଲେ ପାଉଡର୍ ହୋଇ ଲୋକଙ୍କୁ ଅଣନିଶ୍ୱାସୀ କରିଦେଉଛି ।
ଅନ୍ୟପକ୍ଷରେ ପଡିଆରେ ଧୂଳି ନ ଉଡ଼ିବାକୁ କେମିକାଲ୍ ସ୍ପ୍ରେ କରାଯିବା ପାଇଁ ଏବର୍ଷ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ଟେଣ୍ଡର କରାଯାଇଛି । ଦିନକୁ ହାରାହାରି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଦୁଇ ଦିନରେ କେମିକାଲ୍ ସ୍ପ୍ରେ’ର ପ୍ରକୃତ କାର୍ଯ୍ୟକାରିତା ଆଖିକୁ ଦିଶିଲାଣି । କେମିକାଲ୍ ସ୍ପ୍ରେ ଆଦୌ କାମ ଦେଉନଥିବା ଦେଖିବାକୁ ମିଳୁଛି । ଏହା ପ୍ରଥମଥର ନୁହେଁ, ପୂର୍ବରୁ ବାରମ୍ବାର କେମିକାଲ୍ ସ୍ପ୍ରେ’କୁ ନେଇ ଏଭଳି ବିବାଦ ସାମ୍ନାକୁ ଆସିଥିବା ବେଳେ ଏହାର ପ୍ରକୃତ ବ୍ୟାବହାରିକ ଶୈଳୀ, ଉପକାରିତା ଓ ଉପଲବ୍ଧି ଏଯାଏ ସ୍ପଷ୍ଟ ହୋଇନାହିଁ ।