ଗଞ୍ଜାମ ୦୬/୧୨: ଶେଷ ହେଉଛି ବର୍ଷ ୨୦୨୪ । ଛାଡ଼ି ଯାଉଛି ଅନେକ ସୁଖଦୁଃଖ, ଭଲମନ୍ଦର ଘଟଣାପ୍ରବାହ । ବର୍ଷ ୨୦୨୪ରେ ହୋଇଥିଲା ଉଭୟ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ । ଏହି ନିର୍ବାଚନ ରାଜ୍ୟ ପାଇଁ ହୋଇଗଲା ଅସାଧାରଣ ଏବଂ କ୍ରମାଗତ ୫ ପର୍ଯ୍ୟାୟ ରାଜ୍ୟର ଶାସନ କ୍ଷମତା ହାତରେ ରଖିଥିବା ବିଜେଡି ପାଇଁ ଅପ୍ରତ୍ୟାଶିତ । ବିଜେଡି ବଡ଼ ଧରଣର ପରାଜୟ ଦେଖିଲା । ଗୁରୁତ୍ୱପୂର୍ଣ୍ଣ ହେଲା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମ, ଯାହା ବିଜେଡିର ଗଡ଼ ଭାବେ ଗଣାଯାଉଥିଲା ତାହା ହୋଇଗଲା ପଦ୍ମମୟ । ନବୀନ ପଟ୍ଟନାୟକଙ୍କ ୩ ଦଶନ୍ଧି ରାଜନୀତିରେ ଗଞ୍ଜାମ ଦେଖିଲା ଦଳର ବଡ଼ ଧରଣର ବିପର୍ଯ୍ୟୟ । ଜିଲ୍ଲାର ୧୩ ବିଧାନସଭା ଆସନରୁ ୧୧ଟି ବିଧାନସଭା ସହ ଉଭୟ ଲୋକସଭା ଆସନ ବିଜେପି ଦଖଲକୁ ଆସିଥିଲା । ବିଜେଡିର ୧୨ ପ୍ରାର୍ଥୀ ପରାଜିତ ହେଲେ, ଯେଉଁମାନଙ୍କ ଭିତରେ ଥିଲେ ବହୁ ହେଭିୱେଟ୍ । ସେପଟେ ବିଜେପିର କେନ୍ଦ୍ରୀୟ ତୁଙ୍ଗ ନେତୃତ୍ୱଙ୍କ ଫୋକସ୍ରେ ଥିଲା ଗଞ୍ଜାମ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ରାଜ୍ୟର ଦଳୀୟ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ କରିଥିଲେ ନିର୍ବାଚନ ପ୍ରଚାର । ମୋଦୀ ଗ୍ୟାରେଣ୍ଟି ଆଗରେ ଫିକା ପଡ଼ିଲା ନବୀନ ମ୍ୟାଜିକ୍ ।
ଲେଖା ଛିଡ଼ିଲା!
ନିର୍ବାଚନ ବହୁ ପୂର୍ବରୁ ଗୋପାଳପୁରର ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆରମ୍ଭ କରିଥିଲେ ଏକ ସ୍ଲୋଗାନ୍ ‘ଏଥର ଲେଖା ଛିଡ଼ିବ’ । ବାସ୍ତବରେ ବିଜେପିର ବିଜୟ ପର୍ବ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ସମସ୍ତ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେପିର ଐତିହାସିକ ବିଜୟ ହୋଇଛି । ଦୁଇଟି ବିଧାନସଭା ଆସନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଆସନ ପୋଛି ନେଇଛି ବିଜେପି । ଗଞ୍ଜାମ ଜିଲ୍ଲାର ୭ ଜଣ ବିଧାୟକ ପରାଜୟ ମୁହଁ ଦେଖିଛନ୍ତି । ଉତ୍ତରାଧିକାରୀ ସୂତ୍ରରେ ବିଜେଡି ଟିକଟ ପାଇଥିବା ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଆସନ ମଧ୍ୟରୁ ବିଜେଡି ୧୨ଟି ଆସନ ଦଖଲ କରି ଆସୁଥିବା ବିଜେଡି ଏଥର ମାତ୍ର ଗୋଟିଏ ହିଞ୍ଜିଳିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ବିଜେପି ୧୧ଟି ଆସନ ଦଖଲ କରିବା ସକ୍ଷମ ହୋଇଛି । ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ବିଜେପିର ୮ ଜଣ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇ ନୂଆ ରେକର୍ଡ କରିଛନ୍ତି । ବହୁ ବିଗ୍ ସଟ୍ ଏଥର ପାଭିଲିୟନ୍କୁ ଫେରିଥିଲେ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁଙ୍କୁ ଭୋଟର ଅଗ୍ରାହ୍ୟ କରିଥିଲେ । ଜିଲ୍ଲାର ଦୁଇଟି ଲୋକସଭା ଆସନ ମଧ୍ୟ ଅକ୍ତିଆର କରିଥିଲା ବିଜେପି ।
ଛାଇ ଗଲେ କେନ୍ଦ୍ରୀୟ ନେତା
ଦକ୍ଷିଣ ଓଡ଼ିଶା ପାଲଟିଥିଲା ସବୁ ରାଜନୈତିକ ଦଳର ହଟ୍ସ୍ପଟ୍ । ଫେବ୍ରୁଆରୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବ୍ରହ୍ମପୁର ଗସ୍ତ କରିଥିଲେ । ଏପ୍ରିଲ୍ ୨୮ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ଗସ୍ତ କରି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ମେ ୯ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସିକା ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ ବିଧାନସଭାରେ ଜନସଭା କରିଥିଲେ । ବିଜେପିର ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୧୪ରେ ବ୍ରହ୍ମପୁର ଗସ୍ତରେ ଆସି କନିଷି ଠାରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ । ସୋରଡ଼ାକୁ ମେ ୧୫ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗସ୍ତ କରିଥିଲେ । ମେ ୧୬ରେ ଫୁଲବାଣୀରେ କଂଗ୍ରେସ ସର୍ବଭାରତୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ଥିଲା । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଶାଳ ଦେବ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପ୍ରଚାର କରିଥିଲେ । ସବୁ ନେତା ମୋଦି ଗ୍ୟାରେଣ୍ଟି କଥା କହିଥିଲେ । ବିଜେଡିର ଷ୍ଟାର କ୍ୟାମ୍ପନେର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏପ୍ରିଲ ୨୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ପୁଣି ୩୦ରେ ନବୀନ ଛତ୍ରପୁରରେ ନାମାଙ୍କନ ଦାଖଲ ପୂର୍ବରୁ ତାରାରିଣୀଙ୍କ ଦର୍ଶନ କରିଥିଲେ ।
ଗଞ୍ଜାମକୁ ମିଳିଲା ୨ ମନ୍ତ୍ରୀ ପଦ
ଜୁନ୍ ୧୨ରେ ଓଡ଼ିଶାରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱରେ ଗଠିତ ରାଜ୍ୟର ପ୍ରଥମ ବିଜେପି ସରକାରରେ ୧୩ ଜଣ ମନ୍ତ୍ରୀ ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ମିଳିଥିଲା ୨ ମନ୍ତ୍ରୀ ପଦବି । ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନମମଣ୍ଡଳୀରୁ ବିଭୂତି ସ୍ଥାନ ପାଇଥିବା ବେଳେ ଆସିକା ଲୋକସଭା କ୍ଷେତ୍ରରୁ ଗୋକୁଳାନନ୍ଦଙ୍କୁ ସୁଯୋଗ ମିଳିଛି ।
ମଇଦାନରେ ଥିଲେ ୭ ହେଭିୱେଟ୍
ଗଞ୍ଜାମ ଜିଲ୍ଲାର ୭ ହାଇପ୍ରୋଫାଇଲ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ । ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ବହୁ ନେତା ଭାଗ୍ୟ ପରୀକ୍ଷା କରିଥିଲେ । ବ୍ରହ୍ମପୁର ଆସନରୁ ବିଜେଡି ପ୍ରାର୍ଥୀ ୫ ଥର ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଦିଗପହଣ୍ଡି ଆସନରୁ ବିଜେପି ପ୍ରାର୍ଥୀ ୨ ଥର ସାଂସଦ ଓଲିଉଡ୍ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର, ହିଞ୍ଜିଳି ଆସନରୁ ବିଜେଡି ପ୍ରାର୍ଥୀ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଞ୍ଜନଗର ଆସନରୁ ବିଜେଡି ପ୍ରାର୍ଥୀ ୭ ଥର ବିଧାୟକ ବିକ୍ରମ କେଶରୀ ଆରୁଖ ଓ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ୨ ଥର ବିଧାୟକ ରମେଶ ଚନ୍ଦ୍ର ଜେନା । ରାଜ୍ୟର ବରିଷ୍ଠ ନେତା ବହୁବାର ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଉତ୍ତରାଧିକାର ସୂତ୍ରରେ ଟିକଟ ପାଇଥିଲେ ମଧ୍ୟ ଦିଗପହଣ୍ଡି ଗଡ଼ ସୁରକ୍ଷିତ ରଖିବା ସକ୍ଷମ ହୋଇନଥିଲେ । ସେହିପରି ୬ ଥରର ବିଧାୟିକା ଓ ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କ ପକ୍ଷରେ ରାଜ ପରିବାରର ଲିଗାସୀ ଅକ୍ଷୁଣ୍ଣ ରଖିବା ସମ୍ଭବ ହୋଇନାହିଁ । ଏହି ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ପଟ୍ଟନାୟକ, ସିଦ୍ଧାନ୍ତ ଓ ରମେଶଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କ ରାଜନୀତି କ୍ୟାରିୟରରେ ବ୍ରେକ୍ ଲାଗିଛି ।
ବିଧାନସଭାରେ ୯ ନୂଆ ମୁହଁ ,ଦୁଇ ସାଂସଦ ବି ପ୍ରଥମ
ଶଙ୍ଖ ଗଡ଼ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୨ଟିରେ ବିଜେଡି ପରାଜୟ ଦେଖିଲା । ୧୧ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ହିଞ୍ଜିଳିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାନଖେମୁଣ୍ଡିରେ କଂଗ୍ରେସ ନେତା ରମେଶ ଚନ୍ଦ୍ର ଜେନା ବିଜୟ ଲାଭ କରିଥିଲେ । ବିଜେପିର ୧୧ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଥର ପାଇଁ ବିଧାନସଭା ଯାଇଛନ୍ତି । ବ୍ରହ୍ମପୁରରୁ କେ.ଅନୀଲ କୁମାର, ଚିକିଟିରୁ ମନୋରଞ୍ଜନ ଦ୍ୟାନସାମନ୍ତରା, ଗୋପାଳପୁରରୁ ବିଭୂତି ଭୂଷଣ ଜେନା, ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ, ଛତ୍ରପୁରରୁ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ାରୁ ନୀଳମଣି ବିଷୋୟୀ, ଭଞ୍ଜନଗରରୁ ପ୍ରଦ୍ୟୁମ୍ନ କୁମାର ନାୟକ, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କେବଳ ବିଧାନସଭା ନୁହେଁ, ବ୍ରହ୍ମପୁର ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ମଧ୍ୟ ପ୍ରଥମ ଥର ଲୋକସଭାରେ ପ୍ରତିନିଧିତ୍ୱ କରିବେ ।
ପୂର୍ବ ସାଂସଦରୁ ବିଧାୟକ ଓ ପୂର୍ବ ବିଧାୟକରୁ ସାଂସଦ
ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ । ସେ ୨୦୦୯ ଓ ୨୦୧୪ରେ ଦୁଇ ଥର ବ୍ରହ୍ମପୁର ସାଂସଦ ହୋଇଥିଲେ । ବିଧାନସଭା ତାଙ୍କ ପାଇଁ ପ୍ରଥମ । ବିଜେପି ଟିକଟରେ ଲଢ଼ି ସେ ଦିଗପହଣ୍ଡି ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେହିପରି ଗୋପାଳପୁରର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହି ୨୦୦୯ରୁ ୨୦୨୪ ଯାଏଁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ଟିକଟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ଯାଇଛନ୍ତି ।
ନବୀନଙ୍କ ଭୋଟ୍ରେ ଘାଟ୍ତି
ହିଞ୍ଜଳି ଆସନରେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ନିର୍ବାଚନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ସୂତାଖିଅରେ ବିଜୟୀ ହୋଇଛନ୍ତି ନବୀନ । ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କ ଠାରୁ ମାତ୍ର ୪ ହଜାର ୬୪୯ ଭୋଟ ବ୍ୟବଧାନରେ ଜିଣିଛନ୍ତି ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଭୋଟ ପରିମାଣ ବୃଦ୍ଧି ପାଇଆସୁଥିଲା । କିନ୍ତୁ ୨୦୨୪ ନିର୍ବାଚନରେ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା । ୨୦୧୯ ନିର୍ବାଚନ ତୁଳନାରେ ସେ ୨୮,୦୮୦ କମ୍ ଭୋଟ ପାଇଛନ୍ତି । ଏହି ଘଟଣା କେବଳ ଓଡ଼ିଶା ନୁହଁ ଦେଶର ରାଜନୀତିକୁ ଚହଲାଇ ଦେଇଥିଲା । ଏହି ଆସନରୁ ନବୀନ ପଟ୍ଟନାୟକ ଲଗାତାର ୫ ଥର ନିର୍ବାଚନ ଜିଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ନବୀନ ପଟ୍ଟନାୟକ ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି । ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆସନରୁ ହାରିବା ଓ ହିଞ୍ଜିଳି ଆସନରୁ କମ୍ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ବିଷ ଓଗାଳିଲେ ଲତିକା
କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ନିର୍ବାଚନର ୪ ମାସ ପରେ କବିସୂର୍ଯ୍ୟନଗର ବିଧାନସଭା ଆସନରେ ଦଳର ପରାଜୟ ନେଇ ସିଧାସଳଖ ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଟାର୍ଗେଟ୍ କରିଥିଲେ ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନ । ବିଜେଡି ପ୍ରାର୍ଥୀ ବିଜେପି ଲୋକଙ୍କ ସହିତ ମିଶି ବେଇମାନୀ କରିଥିବା ଆକ୍ଷେପ କରିଥିଲେ । ସେଥିପାଇଁ ଆସିକା ସଂସଦୀୟ କ୍ଷେତ୍ର ସହ ସବୁ ଏମ୍ଏଲ୍ଏ ସିଟ୍ ହରାଇବାକୁ ବାଧ୍ୟ ହୋଇଛୁ ଓ ହିଞ୍ଜିଳିରେ ଭୋଟ ହାର କମିଲା ବୋଲି ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ।