ପ୍ରମୁଖ ଖବର
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

କ୍ୟାଣ୍ଡିଡେଟ୍ସ ଚେସ୍‌ରେ ବାଜିମାରିଲେ ଡି ଗୁକେଶ, ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଜିତଲେ ଟାଇଟଲ

ଟରଣ୍ଟୋ,୨୩/୦୪: ସମଗ୍ର ଦେଶ ଏବେ ଆଇପିଏଲ୍‌ର ରୋମାଞ୍ଚ ଭିତରେ ବୁଡ଼ି ରହିଥିବାବେଳେ ଲୋକଲୋଚନଠୁ ଦୂରରେ ରହି ଭାରତର ଯୁବ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଦେଶ ପାଇଁ ଗୌରବ ଆଣିଛନ୍ତି । ଭାରତର ଦ୍ୱିତୀୟ ଚେସ୍‌ ଖେଳାଳି ଭାବେ ଗୁକେଶ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍‌ ଚାମ୍ପିଅନ୍‌ସିପ୍‌ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଟାଇଟଲ ଜିତିବା ସହ ସେ ଆଗାମୀ ବିଶ୍ୱ ଚାମ୍ପିଅନସିପ୍‌ ଟାଇଟଲ ମୁକାବିଲା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଶ୍ୱ ଚାମ୍ପିଅନସିପ୍‌ରେ ସେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନର ଡିଙ୍ଗ୍‌ ଲିରେନଙ୍କୁ ଭେଟିବେ । ଗୁକେଶଙ୍କ ଟାଇଟଲ୍‌ ସଫଳତାକୁ ନେଇ ସମଗ୍ର ଭାରତରେ  ଖୁସିର ଲହରୀ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ପ୍ରସିଦ୍ଧ ଖେଳାଳି ଓ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୂୟସୀ ପ୍ରଶଂସା କରିଛନ୍ତି ।  

୧୪ ରାଉଣ୍ଡ୍‌, ୩ ସପ୍ତାହ: ଚେସ୍‌ ବିସ୍ମୟ ଗୁକେଶ ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅବିଶ୍ୱସନୀୟ ଖେଳ ଜାରି ରଖି ଚାମ୍ପିଅନ୍‌ ହୋଇଥିଲେ । ସେ ସର୍ବାଧିକ ୯ ପଏଣ୍ଟ ପାଇଥିଲେ । ୧୩ ରାଉଣ୍ଡ୍‌ ଶେଷ ସୁଦ୍ଧା ୪ଜଣ ଖେଳାଳି ଟାଇଟଲ୍‌ ଦୌଡ଼ରେ ସାମିଲ ରହିଥିଲେ । ଗୁକେଶ ୮.୫ ପଏଣ୍ଟ ସହ ଏକକ ଶୀର୍ଷରେ ଥିଲେ । ଅନ୍ତିମ ରାଉଣ୍ଡରେ ଆଜି ଗୁକେଶ ଆମେରିକାର ହିକାରୁ ନାକାମୁରାଙ୍କ ବିପକ୍ଷରେ ବାଜି ଡ୍ର’ ରଖିଥିଲେ । ଗୁକେଶଙ୍କ ପଏଣ୍ଟ ୯ରେ ପହଞ୍ଚିଥିଲା ଏବଂ ନାକାମୁରା ୮.୫ ପଏଣ୍ଟ ପାଇଥିଲେ । ଏହାପରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଆନ୍‌ ନେପୋମନିଆଚି ଓ ଆମେରିକାର ଫାବିଆନୋ କାରୁଆନାଙ୍କ ମ୍ୟାଚ୍‌ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା । ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା ଏବଂ ଶେଷରେ ପଏଣ୍ଟ ଭାଗ କରିଥିଲେ । ଗୁକେଶ ଏକକ ଶୀର୍ଷରେ ରହି ଟାଇଟଲ୍‌ ହାସଲ କରିଥିଲେ । ନେପୋମନିଆଚି ଓ କାରୁଆନା ପ୍ରତ୍ୟେକ ୮.୫ ଲେଖାଏଁ ପଏଣ୍ଟ ପାଇଥିଲେ ।

ଅନ୍ୟ ମ୍ୟାଚ୍‌ରେ ଭାରତର ଆର୍‌ ପ୍ରଜ୍ଞାନନ୍ଦା ଆଜରବାଇଜନର ନିଜତ୍‌ ଆବାସୋଭଙ୍କୁ ପରାଜିତ କରିଥିଲେ ହେଁ ମୋଟ ୭ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ସେହିପରି ବିଦିତ ଗୁଜରାଠୀ ଓ ଫ୍ରାନ୍ସର ଅଲିରେଜା ଫିରୌଜା  ପଏଣ୍ଟ ଭାଗ କରିଥିଲେ । ଗୁଜରାଠୀ (୬ପଏଣ୍ଟ) ଷଷ୍ଠ ସ୍ଥାନରେ ରହିଥିଲେ ।

ଟାଇଟଲ୍‌ ଜିତିବାରେ ସର୍ବକନିଷ୍ଠ: ଗୁକେଶ କ୍ୟାଣ୍ଡିଡେଟ୍ସ ଚେସ୍‌ ଚାମ୍ପିଅନ୍‌ ହେବା ସହ ରୁଷିଆର ପ୍ରସିଦ୍ଧ ଖେଳାଳି ଗ୍ୟାରୀ କାସ୍ପାରୋଭଙ୍କ ନାମରେ ଥିବା ଦୀର୍ଘ ୪୧ବର୍ଷର ରେକର୍ଡ଼ ଭଙ୍ଗ କରିଛନ୍ତି । ମାତ୍ର ୧୭ବର୍ଷ ୧୦ମାସରେ ସେ ଟାଇଟଲ୍‌ ଜିତି ନୂଆ ରେକର୍ଡ଼ ସ୍ଥାପନ କରିଛନ୍ତି । ପୂର୍ବରୁ ୧୯୮୩/୮୪ରେ କାସ୍ପାରୋଭ ୨୦ବର୍ଷ ୧୧ମାସରେ ଏହି ଟାଇଟଲ୍‌ ଜିତିଥିଲେ ।

ବିଶ୍ୱନାଥନଙ୍କ ପରେ ଦ୍ୱିତୀୟ ଭାରତୀୟ: ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ କ୍ୟାଣ୍ଡିଡେଟ୍ସ ଚେସ୍‌ ଟାଇଟଲ ଜିତିଛନ୍ତି । ପୂର୍ବରୁ ୫ଥର ବିଶ୍ୱ ଚାମ୍ପିଅନ୍‌ ବିଶ୍ୱନାଥନ ଆନନ୍ଦ ଏହି ସଫଳତା ଲାଭ କରିଥିଲେ । ବିଶ୍ୱନାଥନଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ ଚାମ୍ପିଅନସିପ୍‌ ଖେଳିବାକୁ ଯାଉଛନ୍ତି । ଟ୍ରଫି ସହ ପାଇଲେ ୭୮.୫ଲକ୍ଷ ପୁରସ୍କାର: ଟୁର୍ଣ୍ଣାମେଣ୍ଟରେ ମୋଟ ୫୦୦,୦୦୦ ୟୁରୋ ପୁରସ୍କାର ରାଶି ରଖାଯାଇଥିଲା । ଚାମ୍ପିଅନ୍‌ ଗୁକେଶ ୮୮,୫୦୦ ୟୁରୋ (ଭାରତୀୟ ମୁଦ୍ରାରେ ୭୮.୫ଲକ୍ଷ) ପୁରସ୍କାର ପାଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.