ଭୁବନେଶ୍ୱର, ୨୪/୦୨: କେନ୍ଦ୍ରାପଡା ତିନିମୁହାଣି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମହିଳାଙ୍କ ଉପରେ ମାଡ଼ିଗଲା ହାଇୱା । ଘଟଣା ସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ଜଣକ ଶ୍ରଦ୍ଧାଞ୍ଜଳି ପୃଷ୍ଟି ଏବଂ ତାଙ୍କ ଘର ଟାଉନ ଥାନା ଅନ୍ତର୍ଗତ ବଣିଆ ମାଳ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ସୂଚନା ମୁତାବକ, ଶ୍ରଦ୍ଧାଞ୍ଜଳି ତାଙ୍କ ସ୍ଵାମୀ କାମାକ୍ଷା ପ୍ରସାଦ ସାହୁ ଏବଂ ୧୦ ବର୍ଷର ପୁଅ ସହ ସ୍କୁଟିରେ ଯାଉଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ସ୍ଵାମୀ କାମାକ୍ଷା ପ୍ରସାଦ ସ୍କୁଟି ଚଳାଉଥିଲେ ଏବଂ ମଝିରେ ପୁଅ ବସିଥିଲା । ତିନିମୁହାଣି ମାଛ ମାର୍କେଟ ପାଖରେ ତାଙ୍କୁ ପଛରୁ ଏକ ହାଇୱା ଧକ୍କା ଦେଇଥିଲା । କାମାକ୍ଷ ଏବଂ ତାଙ୍କ ପୁଅ ବାମ ପଟକୁ ପଡି ଯାଇଥିଲେ । କିନ୍ତୁ ଶ୍ରଦ୍ଧାଞ୍ଜଳି ଡାହାଣ ପଟକୁ ପଡି ଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ବାଲି ବୋଝେଇ ହାଇୱା ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ କ୍ଷତିପୂରଣ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।