ସୁବର୍ଣ୍ଣପୁର,୧୧/୧୨: ସୁବର୍ଣ୍ଣପୁର ଜିଲ୍ଲାରେ ମେଘୁଆ ପାଗ ପରେ ପୁଣି ଫେରିଛି ଶୀତ । ପାରଦ ତଳମୁହାଁ ହେଉଥିବାରୁ ଏବେ ପ୍ରବଳ ଶୀତର ଲହରୀ ଅନୁଭବ ହେଉଛି । ରାତିରେ ହାଡ ଭଙ୍ଗା ଶୀତ ଯୋଗୁଁ ଘରେ ରହିବା କଷ୍ଟକର ହେଉଥିବା ବେଳେ ସକାଳେ ଘର ବାହାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଗଛ ଲତା ଉପରେ କାକର ପଡୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ସକାଳେ ଯାନ ବାହାନ ଚଳାଇବା ମଧ୍ୟ କଷ୍ଟକର ହେଉଛି ।
ଶୀତରେ ଦେହକୁ ଗରମ କରିବା ଲାଗି ସକାଳୁ ସକାଳୁ ଲୋକେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଗରିବ ଆଦିବାସୀ ଲୋକେ ସକାଳେ କାଠ ଜାଳି ନିଆଁ ସେକୁ ଥିବା ମଧ୍ୟ ଦେଖିବାକୁ ମିଳିଛି । ଚା ଦୋକାନରେ ଏବେ ଅଧିକ ଗହଳି ଦେଖିବାକୁ ମିଳିଛି । ପ୍ରବଳ ଶୀତରେ ଲୋକେ ହାତରେ ଗରମ ଗରମ ଚା କପ୍ ଧରି ଗପସପ ହେଉଛନ୍ତି ।