ମଧ୍ୟବିତ୍ତ ଶ୍ରେଣୀ ଆମର ଅର୍ଥନୀତିର ମୂଳଦୁଆ ଭାବରେ ବିବେଚିତ ହୋଇଥାନ୍ତି । ଆମର ଯଦି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସକୁ ଏକାଠି ବିଚାର କରାଯାଏ, ତେବେ ମଧ୍ୟବିତ୍ତମାନେ ଆୟ ଅନୁସାରେ ସର୍ବାଧିକ ଟିକସ ଦେଉଛନ୍ତି । ପ୍ରତିଗାମୀ ବା ରିଗ୍ରେସିଭ୍ ଟିକସ ବ୍ୟବସ୍ଥା ଦ୍ୱାରା ଅଧିକରୁ ଅଧିକ ଟିକସର ବୋଝ ସହୁଛନ୍ତି ମଧ୍ୟବିତ୍ତ।ସରକାର କର୍ପୋରେଟ ଏବଂ ଧନୀଙ୍କ ସପକ୍ଷବାଦୀ ବୋଲି ଅନେକଙ୍କ ଯେଉଁ ଧାରଣା ରହିଛି, ତାହାର ପରିବର୍ତ୍ତନ ପାଇଁ ଆୟକର ବିଭାଗ ତରଫରୁ ଟିକସ ଆଦାୟ ସମ୍ପର୍କିତ କିଛି ତଥ୍ୟ ନିକଟରେ ପ୍ରକାଶ ପାଇଛି । ସେହି ତଥ୍ୟ ଅନୁସାରେ ଯେଉଁମାନଙ୍କର ବାର୍ଷିକ ଆୟ ବର୍ଷକୁ ୨୦ଲକ୍ଷ ଟଙ୍କାରୁ କମ୍ ସେମାନଙ୍କୁ ମଧ୍ୟବିତ୍ତ ଶ୍ରେଣୀ ଭାବେ ବିବେଚନା କରାଯାଏ ଏବଂ ଗତ ଦଶ ବର୍ଷରେ ସେମାନଙ୍କ ଉପରେ ଟିକସର ବୋଝ ହ୍ରାସପାଇଛି । ଅପରପକ୍ଷରେ ଯେଉଁମାନଙ୍କର ବାର୍ଷିକ ଆୟ ବର୍ଷକୁ ୫୦ଲକ୍ଷ ଟଙ୍କାରୁ ଅଧିକ ତାଙ୍କୁ ଧନୀ ବୋଲି ବିବେଚନା କରାଯାଏ ଏବଂ ସେମାନଙ୍କ ଉପରେ ଟିକସର ବୋଝ ଯଥେଷ୍ଟ ବୃଦ୍ଧିପାଇଛି । ରିଟର୍ଣ୍ଣ ଫାଇଲ୍ କରୁଥିବା ଟିକସଦାତାଙ୍କ ତଥ୍ୟକୁ ଭିତ୍ତିକରି ସରକାର ଦାବି କରିଛନ୍ତି ଯେ ବାର୍ଷିକ ୫୦ଲକ୍ଷ ଟଙ୍କାରୁ ଅଧିକ ଆୟକାରୀଙ୍କ ସଂଖ୍ୟା ୨୦୧୩-୧୪ରେ ୧.୮୫ଲକ୍ଷ ଥିଲା । ତାହା ୨୦୨୩-୨୪ରେ ୯.୩୯ଲକ୍ଷକୁ ବୃଦ୍ଧିପାଇଛି । ସେହିପରି ସେହି ଅବଧିରେ ସେମାନଙ୍କ ଟିକସ ଦେୟ ୨.୫ଲକ୍ଷ କୋଟି ଟଙ୍କାରୁ ବୃଦ୍ଧିପାଇ ୯.୬୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
ଟିକସ ବିଭାଗ କହିବା ଅନୁଯାୟୀ, ବର୍ତ୍ତମାନ ସଂଗ୍ରହ ହୋଇଥିବା ମୋଟ୍ ଆୟକରର ୭୬% ଏହି ଉଚ୍ଚ ରୋଜଗାରକାରୀଙ୍କ ଗୋଷ୍ଠୀରୁ ଆସିଛି । ବାର୍ଷିକ ୧୦ରୁ ୧୫ଲକ୍ଷ ଟଙ୍କା ଆୟ ବ୍ରାକେଟରେ ଥିବା ବ୍ୟକ୍ତିଙ୍କ ପାଇଁ ହାରାହାରି ଟିକସ ଦେୟ ୨୦୧୩-୧୪ରେ ୨.୩ଲକ୍ଷ ଟଙ୍କା ଥିଲାବେଳେ ୨୦୨୩-୨୪ରେ ୧.୧ଲକ୍ଷ ଟଙ୍କାକୁ ହ୍ରାସପାଇଛି । ସେହିପରି ୧୫ରୁ ୨୦ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ହାରାହାରି ଟିକସ ଦେୟ ସେହି ଅବଧିରେ ୪.୧ଲକ୍ଷ ଟଙ୍କାରୁ ୧.୭ଲକ୍ଷ ଟଙ୍କାକୁ ହ୍ରାସପାଇଛି । ବାସ୍ତବରେ, ଅଧିକ ଲୋକ ପ୍ରକୃତ ଆୟର ବୃଦ୍ଧି ହେତୁ ନୁହେଁ, ବରଂ ମୁଦ୍ରାସ୍ଫୀତିଜନିତ ନାମାଙ୍କନ ଆୟର ବୃଦ୍ଧି ହେତୁ ଉଚ୍ଚ ଆୟ ବର୍ଗରେ ପ୍ରବେଶ କରୁଛନ୍ତି ଏବଂ ଅଧିକ ଆୟକର ଦେଉଛନ୍ତି । ତେଣୁ ୨୦୧୩- ୧୪ ଓ ୨୦୨୩-୨୪ ମଧ୍ୟରେ ଟିକସ ବୋଝର ତୁଳନା କଲାବେଳେ ଆୟର ନାମାଙ୍କନ ବୃଦ୍ଧି ନୁହେଁ, ବାସ୍ତବ ବୃଦ୍ଧିକୁ ବିଚାର କରିବା ଉଚିତ । ଅର୍ଥାତ୍ ମୁଦ୍ରାସ୍ଫୀତିକୁ ବିଚାରକୁ ନେବା ଉଚିତ୍ । ଯଦି ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଏ କିମ୍ବା ଆୟକୁ ସୁନା ମୂଲ୍ୟ ସହିତ ତୁଳନା କରାଯାଏ, ତେବେ ଆୟ ଅନୁପାତରେ ମଧ୍ୟବିତ୍ତମାନେ ଅଧିକ ଟିକସ ଦେଉଥିବାର ଦେଖିବାକୁ ମିଳିବ ।
ଉଦାହରଣ ସ୍ୱରୂପ ୨୦୧୩-୧୪ରେ ୧୦ଗ୍ରାମ ସୁନାର ହାରାହାରି ମୂଲ୍ୟ ୨୯,୧୯୦ ଟଙ୍କା ହୋଇଥିବାବେଳେ ୨୦୨୩-୨୪ ମସିହାରେ ପ୍ରାୟ ୭୫,୨୨୦ ଟଙ୍କା ଥିଲା । କିନ୍ତୁ ୨୦୧୩-୧୪ରେ ଥିବା ଟିକସ ଛାଡ଼ ସୀମା ପରିମାଣ ଯାହା ୨ଲକ୍ଷ ଟଙ୍କା ଥିଲା ତାହା ୨୦୨୩-୨୪ରେ ମାତ୍ର ୩ଲକ୍ଷ ଟଙ୍କାକୁ ବୃଦ୍ଧିପାଇଛି । ୨୦୧୩-୧୪ରେ ୨ଲକ୍ଷ ଟଙ୍କା ଆୟକର ଛାଡ଼ ସୀମାରେ ସେତେବେଳେ ୬୮.୫୨ ଗ୍ରାମ ସୁନା ମିଳୁଥିଲାବେଳେ ୨୦୨୩-୨୪ରେ ଆୟକର ଛାଡ଼ ସୀମା ୩ଲକ୍ଷ ଟଙ୍କାରେ ମାତ୍ର ୩୯.୮୮ ଗ୍ରାମ ସୁନା ପ୍ରାପ୍ତ ହେଉଥିଲା ।
ସୁନା ମୂଲ୍ୟ ଅନୁଯାୟୀ, ଆୟକର ଛାଡ଼ ସୀମାକୁ ୩ଲକ୍ଷ ଟଙ୍କା ବଦଳରେ ୫.୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ୍ । ଯଦି ଆମେ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ (ସିଆଇଆଇ) ପ୍ରୟୋଗ କରୁ, ୨୦୧୩-୧୪ର ୨ଲକ୍ଷ ଟଙ୍କା ୨୦୨୩-୨୪ରେ ୩.୧୬ଲକ୍ଷ ଟଙ୍କା ସହିତ ସମାନ ହେବ । ମୁଦ୍ରାସ୍ଫୀତି କାରଣରୁ ଦ୍ରବ୍ୟ ଏବଂ ସମ୍ପତ୍ତିର ମୂଲ୍ୟ ବର୍ଷକୁ ବର୍ଷ ବୃଦ୍ଧି ହେଉଥିବାରୁ ଏକସମୟରେ ବାସ୍ତବ ମୂଲ୍ୟ ନିରୂପଣ କରିବାପାଇଁ ମୁଦ୍ରାସ୍ଫୀତି ସୂଚକାଙ୍କ ବ୍ୟବହୃତ ହୁଏ । ୨୦୦୧-୦୨କୁ ବେସ୍ ବା ମୂଳ ବର୍ଷ ଏବଂ ସୂଚକାଙ୍କ ମୂଲ୍ୟ ୧୦୦ ଧରାଗଲେ ୨୦୨୩-୨୪ର ମୂଲ୍ୟ ୨୨୦ ଏବଂ ୨୦୨୩- ୨୪ରେ ୩୪୮ ଅଟେ । ଅଧିକନ୍ତୁ, ନୂତନ ଟିକସ ବ୍ୟବସ୍ଥାରେ ୨୦୨୩- ୨୪ରେ କେବଳ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଥିଲାବେଳେ ପୂର୍ବର ଧାରା ୮୦(ସି), ଧାରା ୮୦(ଡି), ଧାରା ୨୪ ଜନିତ ରିହାତି ଏବଂ ଅନ୍ୟାନ୍ୟ ସାଧାରଣ ପୁରୁଣା ରିହାତି ଏବଂ ଛାଡ଼ ଉପଲବ୍ଧ ହେଉନାହିଁ । ଧାରା ୮୦(ସି) ଅନୁଯାୟୀ ଟିକସ ଛାଡ଼ ସୀମା ୨୦୧୩-୧୪ରେ ୧.୫ଲକ୍ଷ ଟଙ୍କା ଥିଲା ।
ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ଅନୁସାରେ ତାହା ୨୦୨୩-୨୪ରେ ୨.୩୭ଲକ୍ଷ ଟଙ୍କାକୁ ସଂଶୋଧିତ ହେବା ଉଚିତ । କିନ୍ତୁ ତାହା ଉଚ୍ଛେଦ ହୋଇଛି । ଏହା ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ଅଧିକ ଟିକସ ଦେବାକୁ ପଡୁଛି ଏବଂ ସଞ୍ଚୟକୁ ନିରୁତ୍ସାହିତ କରାଯାଉଛି । ଏହା ମଧ୍ୟ କୁହାଯାଇଛି ଯେ, ନୂତନ ଟିକସ ବ୍ୟବସ୍ଥା ପାଇଁ ଚୟନ କରୁଥିବା ଟିକସଦାତା ୭.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସଯୋଗ୍ୟ ବାର୍ଷିକ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । କିନ୍ତୁ ୭.୫ଲକ୍ଷ ଟଙ୍କାରୁ ଅଧିକ ଟିକସଯୋଗ୍ୟ ଆୟ ଥିବା ବ୍ୟକ୍ତିଙ୍କ ପାଇଁ ଏହି ରିହାତି ପ୍ରଯୁଜ୍ୟ ନୁହେଁ । ଯଦି ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଏ, ତେବେ ୨୦୨୩- ୨୪ର ଏହି ୭.୫ଲକ୍ଷ ଟଙ୍କା ୨୦୧୩-୨୪ର ୪.୭୪ଲକ୍ଷ ଟଙ୍କା ସହିତ ସମାନ ଅଟେ । ପୁନଶ୍ଚ, ଟିକସ କହିଲେ କେବଳ ଆୟକର ନୁହେଁ, ବରଂ ଆୟକର ସହିତ କର୍ପୋରେଟ ଟିକସ, ସମ୍ପଦ କର, ଉତ୍ତରାଧିକାରୀ କର ଆଦି ପ୍ରତ୍ୟକ୍ଷ କର ଏବଂ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି/ଅବକାରୀ ଶୁଳ୍କ, ଜିଏସ୍ଟି, ସୀମା ଶୁଳ୍କ ଆଦି ପରୋକ୍ଷ କର ରହିଛି । ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରିଲାବେଳେ ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଜିଏସ୍ଟି ସମାନ ହାରରେ ଦେଇଥାନ୍ତି । ଆୟ ଦୃଷ୍ଟିରୁ ଟିକସର ବୋଝ ଗରିବଙ୍କ ଉପରେ ବେଶୀ ପଡ଼ିଥାଏ । କମ୍ ଆୟ ଥିବା ବ୍ୟକ୍ତିମାନେ ସେମାନଙ୍କର ଆୟର ଏକ ବୃହତ ଅଂଶ ସାମଗ୍ରୀ ଏବଂ ସେବାରେ ଖର୍ଚ୍ଚ କରନ୍ତି, ତେଣୁ ସେମାନଙ୍କ ପାଇଁ ପ୍ରଭାବଶାଳୀ ଟିକସ ହାର ଅଧିକ।
ଜାନୁଆରୀ ୨୦୨୩ରେ ଅକ୍ସଫାମ ଇଣ୍ଡିଆର ସର୍ଭାଇଭାଲ୍ ଅଫ୍ ଦି ରିଚ୍: ଇଣ୍ଡିଆ ଷ୍ଟୋରୀ ରିପୋର୍ଟ ଅନୁସାରେ, ଦେଶର ମୋଟ୍ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି)ର ପ୍ରାୟ ଦୁଇ-ତୃତୀୟାଂଶ ବା ୬୪.୩% ନିମ୍ନରେ ଥିବା ୫୦% ଜନତାଙ୍କ ଠାରୁ ଆସିଥିବାବେଳେ ଏକ-ତୃତୀୟାଂଶ ବା ୩୧.୮% ମଧ୍ୟବିତ୍ତ ୪୦%ଙ୍କ ଠାରୁ ଆସିଛି । କେବଳ ୩.୯% ଶୀର୍ଷ ୧୦% ଧନୀଙ୍କ ଠାରୁ ଆସିଛି । ପୁନଶ୍ଚ ସେବା ଉପରେ ଟିକସ, ଯାହା ୨୦୧୩-୧୪ରେ ୧୨% (ଯୁକ୍ତ ୩% ସରଚାର୍ଜ) ଥିଲା, ୨୦୧୭ରେ ଜିଏସ୍ଟି ଲାଗୁ ହେବାପରେ ୧୮%କୁ ବୃଦ୍ଧିପାଇଛି । ଅର୍ଥାତ୍ ଗରିବ ଓ ମଧ୍ୟବିତ୍ତ ବେଶୀ କ୍ଷତିଗ୍ରସ୍ତ । ସେହିଭଳି ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅତ୍ୟଧିକ ଏକ୍ସାଇଜ୍ ବା ଅବକାରୀ ଟିକସ ହେତୁ ଗରିବ ଏବଂ ମଧ୍ୟବିତ୍ତମାନଙ୍କ କ୍ରୟଶକ୍ତି ହ୍ରାସପାଉଛି । ଏହି ବାବଦରେ ୨୦୧୪-୧୫ରୁ ୨୦୨୨- ୨୩ ମଧ୍ୟରେ କେନ୍ଦ୍ର ସରକାର ୩୧.୬ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଲାବେଳେ ରାଜ୍ୟମାନେ ଭୋଟ୍ ମାଧ୍ୟମରେ ୧୯.୪ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ପେଟ୍ରୋଲିୟମ ସାମଗ୍ରୀରୁ ଟିକସ ବାବଦରେ ଏବଂ ଡିଭିଡେଣ୍ଡରୁ ମୋଟ୍ ୫୧.୪ଲକ୍ଷ କୋଟି ଟଙ୍କା ସରକାର ଏହି ସମୟରେ ନେଇଛନ୍ତି ।
ପ୍ରତ୍ୟକ୍ଷ କର ମାଧ୍ୟମରେ ଟିକସର ବୋଝ ସିଧାସଳଖ କରଦାତା ଉପରେ ପଡ଼ିଥାଏ । ଏଣୁ ପ୍ରତ୍ୟକ୍ଷ କର ମାଧ୍ୟମରେ ଅଧିକ ଟିକସ ଆଦାୟ ହେଲାବେଳେ ପରୋକ୍ଷ କର ଆଦି ବାବଦରେ କମ୍ ଆଦାୟ ହେବା ଉଚିତ୍ । କାରଣ ପରୋକ୍ଷ କର ପ୍ରତିଗାମୀ ଓ ଧନୀ ଓ ଗରିବ ସମାନ ହାରରେ ଦେଇଥାନ୍ତି । ଚୂଡ଼ାନ୍ତ ମୂଲ୍ୟ ଉପଭୋକ୍ତା ପ୍ରଦାନ କରନ୍ତି । ଉନ୍ନତ ଦେଶମାନେ ଏହି କାରଣରୁ ଅଧିକ ପ୍ରତ୍ୟକ୍ଷ ଟିକସ ଏବଂ କମ୍ ପରୋକ୍ଷ ଟିକସ ସଂଗ୍ରହ କରନ୍ତି । ଭାରତରେ ପରୋକ୍ଷ କର ଉଭୟ କେନ୍ଦ୍ର ଏବଂ ରାଜ୍ୟ ମିଶି ମୋଟ୍ ଟିକସରେ ୧୯୮୦ ଦଶକରୁ କ୍ରମାଗତ ଭାବେ ହ୍ରାସ ପାଉଥିଲା, କିନ୍ତୁ ତାହା ୨୦୧୦-୧୧ରୁ ବୃଦ୍ଧି ପାଇଛି । ଅନ୍ୟପଟେ ୨୦୧୦-୧୧ରୁ ପ୍ରତ୍ୟକ୍ଷ କରର ଅଂଶ କ୍ରମାଗତ ଭାବରେ ହ୍ରାସପାଇଛି ।
୨୦୨୨-୨୩ରେ ପରୋକ୍ଷ କରଜନିତ ସମ୍ବଳ ମୋଟ୍ ଟିକସର ପ୍ରାୟ ୬୫.୮% ଥିବାବେଳେ ପ୍ରତ୍ୟକ୍ଷ କର କ୍ଷେତ୍ରରେ ୩୪.୨% । ପୁନଶ୍ଚ ଧନୀମାନଙ୍କ ପାଇଁ ଭାରତ ଏକ ଟିକସ ଆଶ୍ରୟସ୍ଥଳୀ, କାରଣ ସେମାନଙ୍କୁ ସମ୍ପଦ ଏବଂ ଉତ୍ତରାଧିକାର କର ଦେବାକୁ ପଡୁନାହିଁ । ଏହି ସରକାର ୨୦୧୫-୧୬ରେ ସମ୍ପଦ କର ଉଚ୍ଛେଦ କରି ସରଚାର୍ଜ ଧାର୍ଯ୍ୟ କରିଥିଲେ । କିନ୍ତୁ ଏବେ ୧୦କୋଟି ଟଙ୍କାରୁ ଅଧିକ ଟିକସଯୋଗ୍ୟ ଆୟ ଉପରେ ସରଚାର୍ଜ ସର୍ବାଧିକ ୩୭%ରୁ ୨୫%କୁ ହ୍ରାସ କରିଛନ୍ତି । ଆହୁରି ମଧ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରି ଧନୀମାନଙ୍କୁ ଅସାଧାରଣ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି । ସେହିପରି ସେପ୍ଟେମ୍ବର ୨୦୧୯ରେ କର୍ପୋରେଟ୍ ଟିକସ ହାର ୩୦%ରୁ ୨୨% (କିଛି କ୍ଷେତ୍ରରେ ୧୫%)କୁ ହ୍ରାସ କରାଯାଇଥିଲା । ଏକଦା କର୍ପୋରେଟ ଟିକସ ବାବଦରେ ଆୟକର ତୁଳନାରେ ଅଧିକ ସମ୍ବଳ ଆଦାୟ ହେଉଥିଲାବେଳେ ୨୦୨୨-୨୩ ପରେ ଓଲଟା ହୋଇଛି । ଏହାର ଅର୍ଥ କର୍ପୋରେଟଙ୍କୁ ଅଧିକ ରିହାତି ଦିଆଯାଉଛି ।
ଅବଶ୍ୟ ଏକ ଦେଶ ଚଳାଇବା ପାଇଁ ସମ୍ବଳ ଆବଶ୍ୟକ । ସମ୍ବଳ ସଂଗ୍ରହର ଏକ ବଡ଼ ମାଧ୍ୟମ ହେଉଛି ଟିକସ । ଏଣୁ ଜଣେ ନିଜ ଆର୍ଥିକ ଶକ୍ତି ଅନୁସାରେ ଟିକସ ଦେବା ଉଚିତ୍ । କିନ୍ତୁ ଟିକସ ବୋଝ ଦିନକୁ ଦିନ ଗରିବ ଓ ମଧ୍ୟବିତ୍ତ ଉପରେ ଅଧିକ ପଡୁଥିଲାବେଳେ ଧନୀ ଓ କର୍ପୋରେଟ ଦିନକୁ ଦିନ ନିଜ ଆୟ, ଲାଭ ଅନୁସାରେ କମ୍ ଟିକସ ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ଭୋଟ୍, ଅବକାରୀ ଶୁଳ୍କ, ଷ୍ଟାମ୍ପ ଶୁଳ୍କ, ଜମି ରେଜିଷ୍ଟ୍ରେସନ ଫିସ୍, ପ୍ରଫେସନାଲ ଟିକସ, ଜଳକର, ଖଜଣା ଆଦାୟ ମଧ୍ୟ କରୁଛନ୍ତି । ପୌର ସଂସ୍ଥା ହୋଲଡିଙ୍ଗ ଟିକସ ନେଉଛନ୍ତି ।
ସେହିପରି ବିଭିନ୍ନ ଟିକସ ବ୍ୟତୀତ କେନ୍ଦ୍ର ସରକାର ରୋଡ୍ ସେସ୍, ଟୋଲ୍ ଗେଟ୍ ଫିସ୍ ଆଦି ନେଉଛନ୍ତି । ଯେଉଁମାନେ ସଞ୍ଚୟ କରୁଛନ୍ତି, ସେମାନଙ୍କୁ ବୀମା ପ୍ରିମିୟମ, ସଞ୍ଚୟରେ ମିଳୁଥିବା ସୁଧ ଉପରେ ଟିକସ ଦେବାକୁ ପଡୁଛି । ପୁନଶ୍ଚ କମ୍ପାନୀମାନଙ୍କ ବିଜ୍ଞାପନଜନିତ ବ୍ୟୟ ଉପଭୋକ୍ତାମାନେ ଦ୍ରବ୍ୟ କିଣିଲାବେଳେ ପରୋକ୍ଷରେ ବହନ କରିଥାନ୍ତି । ବାସ୍ତବରେ, ଟିକସର ବୋଝ ତୁଳନା କଲାବେଳେ ଜଣେ କେତେ ଟିକସ ଦେଉଛି, ତାହା ବିଚାର କରାଯାଏନି ବରଂ ନିଜ ଆୟର କେତେ ପ୍ରତିଶତ ଦେଉଛି ତାହା ବିଚାର କରାଯାଏ । ପୁନଶ୍ଚ ଏକ ଟିକସ ବ୍ୟବସ୍ଥାକୁ ପ୍ରଗତିଶୀଳ ବିଚାର କରାଯାଏ, ଯେତେବେଳେ ଆୟ ଓ ସମ୍ପଦ ବୃଦ୍ଧି ଅନୁସାରେ ଜଣେ ଅଧିକ ହାରରେ ଟିକସ ଦେଇଥାଏ । ଅନ୍ୟ ଅର୍ଥରେ, ଏକ ପ୍ରଗତିଶୀଳ ଟିକସ ବ୍ୟବସ୍ଥାରେ ଆୟର ବୃଦ୍ଧି ସହିତ ଟିକସ-ଆୟ ଅନୁପାତ ବୃଦ୍ଧି ହେବା ଉଚିତ । ଏହା ଘଟୁନାହିଁ ।
ମଧ୍ୟବିତ୍ତ ଶ୍ରେଣୀ ଆମର ଅର୍ଥନୀତିର ମୂଳଦୁଆ ଭାବରେ ବିବେଚିତ ହୋଇଥାନ୍ତି । ଆମର ଯଦି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସକୁ ଏକାଠି ବିଚାର କରାଯାଏ, ତେବେ ମଧ୍ୟବିତ୍ତମାନେ ଆୟ ଅନୁସାରେ ସର୍ବାଧିକ ଟିକସ ଦେଉଛନ୍ତି । ପ୍ରତିଗାମୀ ବା ରିଗ୍ରେସିଭ୍ ଟିକସ ବ୍ୟବସ୍ଥା ଦ୍ୱାରା ଅଧିକରୁ ଅଧିକ ଟିକସର ବୋଝ ସହୁଛନ୍ତି ମଧ୍ୟବିତ୍ତ । ଧନୀ ଓ କର୍ପୋରେଟ୍ ବେଶୀ ରିହାତି ପାଉଛନ୍ତି । ଆଜିର ଉପଭୋକ୍ତାବାଦ ସମାଜରେ ମଧ୍ୟବିତ୍ତଙ୍କ ସଂଘର୍ଷକୁ ପ୍ରକୃତରେ ସରକାର ବୁଝିବାକୁ ନାରାଜ । ଅତ୍ୟଧିକ ପରୋକ୍ଷ ଟିକସ ବ୍ୟତୀତ ଆକାଶଛୁଆଁ ଦରବୃଦ୍ଧି, ନିୟନ୍ତ୍ରଣବିହୀନ ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା, ସ୍ୱଳ୍ପ ବାସ୍ତବ ମଜୁରି, ବ୍ୟୟବହୁଳ ରିଅଲିଟି, ଘରୋଇ ଋଣ ବୃଦ୍ଧି, ଜୀବନ ଶୈଳୀଜନିତ ବ୍ୟୟ ବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଜନିତ ଖର୍ଚ୍ଚର ଅହେତୁକ ବୃଦ୍ଧି ହେତୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଆଜି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ କ୍ରୟ ଶକ୍ତି ହ୍ରାସ ପାଉଛି । ତାଙ୍କ ସ୍ୱାର୍ଥ କଥା ସରକାର ଭୁଲିବା ଅନୁଚିତ୍ ।