ପ୍ରମୂଖ ଖବର
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି

Published By : Prameya | February 27, 2025 7:30 AM

ଭୁବନେଶ୍ୱର,୨୭/୦୨:  ବର୍ଷର ୮ ମାସ ଗରମ ପ୍ରକୋପ  ଯାଉନି । ଶୀତରେ ଛାଡ଼ୁନି ତାତି ।  ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର  ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ  ବଢ଼ି ସାରିଛି । ଆଇପିସିସିର  ଭୟାନକ ଆକଳନ ଅନୁସାରେ  ୨୦୫୦ ମସିହା ବେଳକୁ ବିଶ୍ୱର  ହାରାହାରି ତାପମାତ୍ରା ୨ ଡିଗ୍ରୀ  ସେଲସିୟସ୍‌ ବଢ଼ିପାରେ । 

ଏହି ଆକଳନ ଯଦି ସତ ହୁଏ, ଓଡ଼ିଶାରେ ସେତେବେଳକୁ ଭୟାନକ  ଗ୍ରୀଷ୍ମ ପ୍ରବାହ ଚାଲିବ । ବର୍ଷକୁ ଗ୍ରୀଷ୍ମ  ପ୍ରବାହ ଦିନ ସଂଖା ୭ ଗୁଣା ବଢ଼ି  ୮୦ ଛୁଇଁବ । ପୂର୍ବରୁ ହାରାହାରି ଗ୍ରୀଷ୍ମ  ପ୍ରବାହ ଦିନ ସଂଖ୍ୟା ୧୧ ରହୁଥିଲା । ୨୦୨୩ରେ କିନ୍ତୁ ଗ୍ରୀଷ୍ମ ପ୍ରବାହ  ଦିନ ସଂଖ୍ୟା ଦୁଇ ଗୁଣା ବଢ଼ି ୨୨  ହୋଇଥିଲା । ୨୦୨୪ରେ ଏମିତି ସ୍ଥିତି  ୩୭ ଦିନ ଥିଲା । ୨୦୫୦ ବେଳକୁ  ୮୦ ଦିନ ହୋଇପାରେ ବୋଲି  ଆଶଙ୍କା ପ୍ରକଟ କରିଛନ୍ତି ଭାରତୀୟ  ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ  ଉମାଶଙ୍କର ଦାସ । 

ସ୍ୱାଭାବିକ୍‌ ତାପମାତ୍ରା ଠାରୁ ୪ରୁ  ୬ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିଲେ  କିମ୍ବା ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ  ଟପିଲେ ଏହାକୁ ହିଟ୍‌ ୱେଭ୍‌ କିମ୍ବା  ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଏ । ଏହାର ଅର୍ଥ ହେଉଛି ବର୍ଷକୁ ୮୦  ଦିନ କଲବଲ କଲା ଭଳି ଅସ୍ୱାଭାବିକ ଗରମ ଓ ଗୁଳୁଗୁଳି ଅନୁଭୂତ  ହେବ । ୧୯୯୧ ମସିହାରେ ବାର୍ଷିକ ହାରାହାରି ଦିନ  ତାପମାତ୍ରା ୩୨.୧ କିମ୍ବା ୩୨.୨ ଡିଗ୍ରୀ ସେଲସିୟସ୍‌  ପାଖାପାଖି ରହୁଥିଲା । ୧୯୯୫, ୧୯୯୬ରେ ୩୨  ଡିଗ୍ରୀରୁ ବି କମ୍‌ ଥିଲା ହାରାହାରି ବାର୍ଷିକ ଦିନ  ତାପମାତ୍ରା । ଏମିତିକି ଭୟଙ୍କର ଗ୍ରୀଷ୍ମ ପ୍ରବାହର ବର୍ଷ  ୧୯୯୮ରେ ବି ବର୍ଷର ହାରାହାରି ଦିନ ତାପମାତ୍ରା ୩୨  ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିନଥିଲା । 

ମାତ୍ର ୨୦୦୯ରେ ଭୟଙ୍କର ଓ ଅସ୍ୱାଭାବିକ ହାରରେ  ବଢ଼ିଲା ଦିନ ତାପମାତ୍ରା । ରାଜ୍ୟର ସର୍ବୋଚ୍ଚ ହାରାହାରି  ବାର୍ଷିକ ତାପମାତ୍ରା ୩୩.୨ ଡିଗ୍ରୀରେ ପହଞ୍ଚିଥିଲା ।  ଏହାପରଠାରୁ ପ୍ରାୟତଃ ବାର୍ଷିକ ହାରାହାରି ସର୍ବାଧିକ  ତାପମାତ୍ରା ୩୨ ଡିଗ୍ରୀ ଉପରେ ରହି ଆସୁଥିଲା ।  

୨୦୧୬ ଥିଲା ଅନ୍ୟତମ ଉତ୍ତପ୍ତ ବର୍ଷ । ୨୦୨୩ରେ  ପୁଣି ଭୟଙ୍କର ଭାବେ ଦିନ ତାପମାତ୍ରା ବଢ଼ିଥିଲା ।  ୨୦୨୩ରେ ଅସ୍ୱାଭାବିକ ଭାବେ ବଢ଼ିଲା ତାପମାତ୍ରା ।  ସର୍ବୋଚ୍ଚ ହାରାହାରି ବାର୍ଷିକ ତାପମାତ୍ରା ୩୩.୨ ଡିଗ୍ରୀ  ଛୁଇଁଥିଲା । ୨୦୨୩ର ତାତି ରେକର୍ଡ ଭାଙ୍ଗିଥିଲା ୨୦୨୪ । 

ଗତ ଦେଢ଼ ଦଶନ୍ଧି ହେଲାଣି ଭୟଙ୍କର ହାରରେ  ତାତୁଛି ଓଡ଼ିଶା । ବର୍ଷର ହାରାହାରି ଦିନ ତାପମାତ୍ରା  ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୨୨, ୨୦୨୩ ଓ  ୨୦୨୪ର ତଥ୍ୟ କହୁଛି, ପ୍ରତିବର୍ଷ ଗରମର ପ୍ରକୋପ  ପୂର୍ବଠାରୁ ଆହୁରି ଦ୍ରୁତ ଗତିରେ ବଢ଼ୁଛି । ୨୦୨୪ ଏପ୍ରିଲ  ମାସରେ କ୍ରମାଗତ ଭାବେ ୧୬ ଦିନ ଭୁବନେଶ୍ୱରର  ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା ।  ଚିନ୍ତାର ବିଷୟ ହେଲା, ଏହି ଧାରାରେ ସବୁଠାରୁ କମ୍‌  ତାପମାତ୍ରା ଥିଲା ୪୦.୬ ଡିଗ୍ରୀ । ବାକି ୧୫ ଦିନ ପାରଦ  ୪୧ ଡିଗ୍ରୀ ଉପରେ ଥିଲା ।  

ଗରମ ଏତେ ବଢ଼ିଗଲାଣି ଯେ ୨୦୨୪ରେ  ଜାନୁଆରୀରୁ ହିଁ ତାତି ଅନୁଭୂତ ହୋଇଥିଲା । ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅସ୍ୱାଭାବିକ ଗରମ ଅନୁଭୂତ ହୋଇଥିଲା । ଖାଲି ସେତିକି ନୁହେଁ, ବର୍ତ୍ତମାନ ସ୍ଥିତି ଏମିତି ହେଲାଣି  ଯେ ବର୍ଷା ଓ ଶୀତ ଋତୁରେ ବି ଏସି ବ୍ୟବହାର କରିବାକୁ ପଡ଼ୁଛି । ଋତୁ ଚକ୍ର ଭିତରୁ ଶରତ, ହେମନ୍ତ ଓ ବସନ୍ତକୁ  ହଜେଇ ଦେଲାଣି ଅସ୍ୱାଭାବିକ ଗ୍ରୀଷ୍ମର ଅବଧି । ଶୀତ  ଅବଧି ୮/୧୦ ଦିନକୁ ଖସି ଯାଇଥିବାବେଳେ ବର୍ଷା  କେବେ କେଞ୍ଚାଏ ଆଉ କେବେ ମେଞ୍ଚାଏ । ବର୍ଷା  ଯେତିକି ହେବା କଥା ହେଉଛି ସତ, ମାତ୍ର ଏହାର ଅବଧି  କମିଛି। କମ୍‌ ସମୟ ଭିତରେ ଅଧିକ ବର୍ଷା ହେଉଛି ।  ବାକି ସମୟରେ ବର୍ଷା ଋତୁରେ ଖରାର ରାଜୁତି ଚାଲୁଛି ।  

ପାଣିପାଗ ବୈଜ୍ଞାନିକ ଶ୍ରୀ ଦାସଙ୍କ କହିବାନୁସାରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି । ତେଣୁ  ଓଡ଼ିଶାରେ ବି ତାପମାତ୍ରା ବଢ଼ୁଛି । ମାତ୍ର ଆମର ପରିବର୍ତ୍ତିତ ପରିବେଶ ଗରମର ଅହେତୁକ ବୃଦ୍ଧି ପାଇଁ ଅନୁକୂଳ ହେଉଛି । ଗତ ଦୁଇ ଦଶନ୍ଧି ଭିତରେ ଭୁବନେଶ୍ୱର ସମେତ ଅଧିକାଂଶ ଅଞ୍ଚଳରେ ଜମିର କିସମ ଦ୍ରୁତ ହାରରେ ବଦଳିଛି । ଚାଷ ଓ ଜଙ୍ଗଲ ଜମି ଉପରେ କୋଠାବାଡ଼ି ଓ କଂକ୍ରିଟ ଭିତ୍ତିଭୂମି ଛିଡ଼ା ହେଲାଣି।  ଜଳାଶୟ, ଜଳ ଉତ୍ସ, ଆର୍ଦ୍ରଭୂମିକୁ ପୋତି କଂକ୍ରିଟ ମୁଣ୍ଡ  ଟେକିଛି । ନଦୀ, ନାଳ ଶୁଖିବା ସହ କଂକ୍ରିଟକରଣ  ଯୋଗୁ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ପାଉଛି ।  

ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ଥିବାବେଳେ ଆସନ୍ତା ଦୁଇଦିନ ଭିତରେ ଦିନ ତାପମାତ୍ରା ୨ରୁ  ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ବୁଧବାର  ରାଜ୍ୟର ୧୩ଟି ସ୍ଥାନରେ ଦିନ ତାପମାତ୍ରା ୩୪  ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିଥିଲା । ବୌଦ୍ଧରେ  ସର୍ବାଧିକ ୩୬.୮, ଝାରସୁଗୁଡ଼ା ୩୫.୪, ସମ୍ବଲପୁର  ୩୫.୩, ଟିଟିଲାଗଡ଼ ୩୫ ଡିଗ୍ରୀ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.