ଭୁବନେଶ୍ୱର, ୨୮/୦୨: ସେ ଥିଲେ ‘ଦଣ୍ଡାବାଳୁଙ୍ଗା’ । ରୋମାଣ୍ଟିକ୍ ହିରୋ । ତାଙ୍କ ଅଭିନୟର ଯାଦୁ ‘ତୁଣ୍ଡବାଇଦ’ ଭଳି ଚର୍ଚ୍ଚା ହେଉଥିଲା । ‘ଅଭିମାନ’ରେ ସେ ଆସିଥିଲେ ବଡ଼ ପରଦାକୁ । ‘ବିଦ୍ୟାରାଣ’ ପକାଇ ଚାଲିଗଲେ । ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ । ଓଲିଉଡ୍ ସୁପର୍ଷ୍ଟାର୍ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଏନେଇ ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ସୂଚନା ମିଳିଛି । ନୂଆଦିଲ୍ଲୀ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ଗୁରୁବାର ବିଳମ୍ବିତ ରାତି ୧୧ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଲିଭର୍ ସିରୋସିସ୍ ଓ ନିମୋନିଆରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ଲାଗି ଗତ ୮ ତାରିଖରେ ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇ ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ଦୀର୍ଘ ୨୦ଦିନ ଧରି ଚିକିତ୍ସିତ ହେଉଥିଲେ ।
୧୯୫୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ ଉତ୍ତମ ୧୯୭୭ ମସିହାରେ ‘ଅଭିମାନ' ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତିନିବର୍ଷ ପରେ ପୁଣି ‘ପତିପତ୍ନୀ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ଆଗକୁ ମାଡ଼ି ଚାଲିଥିଲେ । ୨୦୦ରୁ ଅଧିକ ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମା ସାଙ୍ଗକୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ଏଥିପାଇଁ ଜୀବନବ୍ୟାପୀ ସେ ଯେତିକି ପ୍ରଶଂସା ସାଉଁଟିଥିଲେ, ସେତିକି ପୁରସ୍କାର ପାଇଥିଲେ । ସିନେମା ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ବେଳେ ‘ତୋ ବିନୁ ଅନ୍ୟଗତି ନାହିଁ’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ ମସିହାରେ ସେ ‘ଜୟଦେବ ପୁରସ୍କାର’ ପାଇଥିଲେ ।
କଳାଧଳାରୁ ରଙ୍ଗୀନ । ବହୁତ ଲମ୍ବା ତାଙ୍କ ସିନେ କ୍ୟାରିୟର୍ । ନାୟକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ଯେତିକି ଦିନ ରାଜ୍ କରିଛନ୍ତି, ବୋଧେ ଆଉ କାହା କଳାକାର ଜୀବନରେ ସେମିତି ଘଟିନାହିଁ । ସିନେମାର ଅଭିନୟର ସୁଯୋଗ ଯେ, ତାଙ୍କୁ ଏତେ ବଡ଼ ଷ୍ଟାର୍ କରିଦେବ ନା’ ସେ ଭାବିଥିଲେ ନା’ ଏ ଦୁନିଆ । ରୋମାଣ୍ଟିକ୍ ଷ୍ଟାର୍ରୁ ଯାତ୍ରା ଆରମ୍ଭ କରିଥିବା ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପରବର୍ତ୍ତୀ ସମୟରେ ଜଣେ ସୁପର୍ଷ୍ଟାର୍ ହୋଇ ସାରା ଓଡ଼ିଶା ଲୋକଙ୍କ ହୃଦୟ ଜିଣି ପାରିଥିଲେ । ଦୀର୍ଘ ୩ ଦଶନ୍ଧି ଧରି ରାଜ୍ କରିଥିଲେ । ୮୦ ଓ ୯୦ ଦଶକରେ ଆର୍ଥିକ ଦୁର୍ଗତିରେ ଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଉତ୍ତମ ମହାନ୍ତି ସଫଳତାର ସ୍ୱାଦ ଚଖାଉଥିଲେ । ତାଙ୍କ ମୃତ୍ୟୁ ସମୟରେ ଡାକ୍ତରଖାନାରେ ପୁଅ ବାବୁସାନ୍, ବୋହୂ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ରହିଥିଲେ । ତାଙ୍କୁ ଓଡ଼ିଶା ଅଣାଯିବା ଏବଂ ଶେଷକୃତ୍ୟ ନେଇ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ଓଡ଼ିଶାର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା…
— Mohan Charan Majhi (@MohanMOdisha) February 27, 2025
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନ୍ଙ୍କ ସହିତ ଫୋନ୍ରେ କଥା ହୋଇ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଉତ୍ତମଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା । ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି । ତାଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଥିଲେ । ବିଳମ୍ବିତ ରାତିରେ ଏହି ଦୁଃଖଦ ଖବର ପ୍ରକାଶିତ ହେବା ପରେ ଓଡ଼ିଆ ସିନେମା, ସଂସ୍କୃତି ସମେତ ବିଭିନ୍ନ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ରାମାୟଣ, ଫୁଲଚନ୍ଦନ, ସୀତା…
— Dharmendra Pradhan (@dpradhanbjp) February 27, 2025
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ସମସ୍ତେ ଉତ୍ତମଙ୍କୁ ମନେପକାଇ ଝୁରି ହେଉଛନ୍ତି । କହିବାକୁ ଗଲେ ସେ ସମସ୍ତଙ୍କ ଭାଇ ଥିଲେ । ଆଜି ତାଙ୍କ ଅବର୍ତ୍ତମାନରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ଓଲିଉଡ୍ ଭାଇ ଛେଉଣ୍ଡ ହୋଇଗଲା । ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ପୁଅ ବାବୁସାନ୍ ମହାନ୍ତି ଓଡ଼ିଶାର ଜଣେ ଆଗଧାଡ଼ିର ପ୍ରତିଷ୍ଠିତ ଅଭିନେତା । ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଯାତ୍ରାରେ ପୂରା ପରିବାରର ଅବଦାନ ଅତୁଳନୀୟ ।