ୱାଶିଂଟନ/କିଏଭ,୨୭/୦୨: ଆମେରିକାକୁ ଦୁର୍ଲଭ ଖଣିଜ ପଦାର୍ଥ ଦେବା ପାଇଁ ଶେଷରେ ରାଜି ହୋଇଛି ୟୁକ୍ରେନ୍ । ଉଭୟ ଦେଶର ଅଧିକାରୀ ଏ ନେଇ ଘୋଷଣା କରିଛନ୍ତି । ଏହି ଖଣିଜ ପଦାର୍ଥ ଅସ୍ତ୍ରଶସ୍ତ୍ର ଓ ବ୍ୟାଟେରି ତିଆରିରେ ଆବଶ୍ୟକ ହୋଇଥାଏ । ତେବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏଥିପାଇଁ ଚୁକ୍ତି ସ୍ୱାକ୍ଷର ଲାଗି ଆସନ୍ତା ଶୁକ୍ରବାର ଆମେରିକା ଗସ୍ତ କରିପାରନ୍ତି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି । ଉଲ୍ଲେଖଥାଉ କି ଦୁର୍ଲଭ ଖଣିଜ ନେବା ପାଇଁ ଟ୍ରମ୍ପ୍ ୟୁକ୍ରେନ୍ ସରକାରଙ୍କ ଉପରେ ମାସେ ହେଲା ଚାପ ପକାଉଥିଲେ । ତାଙ୍କ କହିବା କଥା ହେଉଛି ୟୁକ୍ରେନ୍କୁ ଯଦି ଆମେରିକା ତରଫରୁ ସହାୟତା ନେବାର ଅଛି, ତେବେ ଏହା ନିଜର ୫୦୦ ବିଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥକୁ ଆମେରିକାକୁ ଦେବା ଆବଶ୍ୟକ । ଏମିତି କି ସେ ଜେଲେନ୍ସ୍କିଙ୍କୁ ଏଥିଲାଗି ଧମକାଇବାକୁ ବି ପଛାଇ ନ ଥିଲେ ।
କହିଥିଲେ, ୟୁକ୍ରେନ୍ ଯଦି ଏହାର ଖଣିଜ ପଦାର୍ଥ ନ ଦିଏ ତେବେ ସମସ୍ତ ସହାୟତାକୁ ବନ୍ଦ କରାଯିବ । ରିପୋର୍ଟ ମୁତାବକ, ଦୁର୍ଲଭ ଖଣିଜ ପଦାର୍ଥ ନେବା ବଦଳରେ ଆମେରିକା ୟୁକ୍ରେନ୍ର ପୁନର୍ବିକାଶ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବ । ପୂର୍ବରୁ ଏହି ଖଣିଜ ଦେବା ପାଇଁ ଜେଲେନ୍ସ୍କି ରାଜି ନ ହେବାରୁ ଟ୍ରମ୍ପ୍ ବାରମ୍ବାର ଚାପ ପକାଇଥିଲେ । ଏମିତି କି ୟୁକ୍ରେନ୍ ଯୁଦ୍ଧକୁ ନେଇ ଜାତିସଂଘରେ ସଦ୍ୟ ଅନୁଷ୍ଠିତ ସଂକଳ୍ପ ଭୋଟିଂରେ ଆମେରିକା ରୁଷ୍କୁ ସମର୍ଥନ କରିଥିଲା । ଟ୍ରମ୍ପ୍ଙ୍କ ଏହି ପଦକ୍ଷେପକୁ କିଛି ୟୁରୋପୀୟ ଦେଶ ନିନ୍ଦା କରିଥିଲେ।