ଭୁବନେଶ୍ୱର,୨୦/୦୩:  ଗୋଟିଏ ମାଈ ହାତୀ ପଛରେ ପଡ଼ିଗଲେ ୨ ଦନ୍ତା । ମାଈ ହାତୀକୁ ନିଜପ୍ରତି ଆକୃଷ୍ଟ  କରିବା ପାଇଁ ଉଭୟଙ୍କ ମଧ୍ୟରେ  ଚାଲିଲା ଛକାପଞ୍ଝା । ମାଈ ସାନ ହାତୀ  ପ୍ରତି ଆକୃଷ୍ଟ ହେବାରୁ ରାଗିଗଲା ବଡ଼ ଦନ୍ତା । ପ୍ରାୟ ଦୁଇ ଘଣ୍ଟା ଧରି  ଉଭୟଙ୍କ ମଧ୍ୟରେ ଚାଲିଲା ଘମାଘୋଟ  ଲଢ଼େଇ । ଶେଷରେ ସାନକୁ ଘାଇଲା  କରି ବଡ଼ଦନ୍ତା ମାଈକୁ ସାଥିରେ ଧରି  ପଳାଇଲା । ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଦୁଇ ଦନ୍ତାଙ୍କ ମଧ୍ୟରେ  ଏଭଳି ଘମାଘୋଟ ଲଢ଼େଇ ଆଜି  ରାଜଧାନୀ ଉପକଣ୍ଠରେ ବେଶ୍‌ ଚର୍ଚ୍ଚାର  ବିଷୟ ପାଲଟିଛି । 

ବନବିଭାଗ ପକ୍ଷରୁ ମିଳିଥିବା  ସୂଚନା ଅନୁଯାୟୀ, ଚନ୍ଦକା-ଡମପଡ଼ା  ହସ୍ତୀ ଅଭୟାରଣ୍ୟର ଗୋଲଗାଡ଼  ଜଳାଶୟ ନିକଟକୁ ଏକ ମାଈ ହାତୀ ପାଣି ପିଇବାକୁ ଆସିଥିଲା । ସେହି  ଅଞ୍ଚଳରେ ବୁଲୁଥିବା ଗୋଟିଏ ସାନ  ଦନ୍ତା ନଜରରେ ପଡ଼ିବାରୁ ସେ ତା’  ପଛରେ ପଡ଼ି ଯାଇଥିଲା । କିଛି ସମୟ  ପରେ ଏକ ବିରାଟକାୟ ଦନ୍ତା ସେଠାରେ  ପହଞ୍ଚିଥିଲା । ସେ ମଧ୍ୟ ମାଈ ହାତୀ  ପଛରେ ପଡ଼ି ଯାଇଥିଲା । ଦୁଇ ଦନ୍ତା  ମାଈ ହାତୀକୁ ଆକୃଷ୍ଟ କରିବା ପାଇଁ  ଏକ ପ୍ରକାରର ପ୍ରତିଯୋଗିତା ଲାଗିଲା ।  ତେବେ ମାଈ ହାତୀଟି ସାନ ଦନ୍ତାପ୍ରତି  ଆକୃଷ୍ଟ ହେଉଥିବା ଦେଖି ବଡ଼ଦନ୍ତା  ରକ୍ତମୁଖା ପାଲଟିଗଲା । ସଙ୍ଗେ ସଙ୍ଗେ  ସେ ସାନଦନ୍ତାକୁ ମାରି ଗୋଡ଼ାଇଲା ।  ଉଭୟଙ୍କ ମଧ୍ୟରେ ଲାଗିଗଲା  ଘମାଘୋଟ ଲଢ଼େଇ । ସାନ ଦନ୍ତାର  ଗୋଟିଏ ଦାନ୍ତା ଫାଟି ଅଧା ଓହଳି  ପଡ଼ିଲା । ତଥାପି ସେ ବଡ଼ଦନ୍ତା ସହ  ଲଢ଼ିଥିଲା । ଶେଷରେ ବଡ଼ ସାନକୁ ଦାନ୍ତରେ ଭୁସି ଭୁସି କ୍ଷତାକ୍ତ କରି  ପକାଇଲା । ଶେଷରେ ସାନର ଡାହାଣ ପଟ  ପେଟରେ ଦାନ୍ତ ଭୂସି ଦେଲା । ଫଳରେ ରକ୍ତାକ୍ତ ହୋଇ ପଡ଼ିଲା ସାନ ଦନ୍ତା । ହାର୍‌  ମାନି ପଛଘୁଞ୍ଚା ଦେଲା । ତା’ପରେ ବଡ଼ଦନ୍ତା ମାଈ  ହାତୀ ସହ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାଇଲା । 

କ୍ଷତାକ୍ତ ଅବସ୍ଥାରେ ସାନ ଦନ୍ତାକୁ ଆଜି ସକାଳେ  ବନବିଭାଗ ଠାବ କରିଥିଲା । ଚନ୍ଦକା ଡିଏଫ୍‌ଓ ଶରତ  ବେହେରା ଏନେଇ ଓୟୁଏଟିର ଅବସରପ୍ରାପ୍ତ  ପ୍ରଫେସର ଇନ୍ଦ୍ରମଣି ନାଥ ଓ ନନ୍ଦନକାନନ ପଶୁ  ଚିକିତ୍ସକଙ୍କୁ ଖବର ଦେଇଥିଲେ । ଶ୍ରୀ ନାଥ ଏବଂ  ନନ୍ଦନକାନନ ଟିମ୍‌ ପହଞ୍ଚି ଦନ୍ତାକୁ ପ୍ରଥମେ ଟ୍ରାଙ୍କୁଲାଇଜ  କରିଥିଲେ । ତା’ପରେ ପେଟରେ ହୋଇଥିବା କଣାର  ଅପରେସନ୍‌ କରା ଯାଇଥିଲା । ହାତୀକୁ ଆଣ୍ଟିବାୟୋଟିକ  ଓ ପେନ୍‌କିଲର ଦିଆ ଯାଇଥିଲା । ଏଥିପାଇଁ ପ୍ରାୟ ୨  ଘଣ୍ଟା ଲାଗିଥିଲା । କିଛି ସମୟ ପରେ ଦନ୍ତାଟି ସେ ସ୍ଥାନ  ଛାଡ଼ି ଅନ୍ୟତ୍ର ପଳାଇଛି । ସେପଟେ ବଡ଼ ଦନ୍ତା ଉକ୍ତ  ମାଈ ହାତୀ ସହ ଜଙ୍ଗଲରେ ବୁଲାବୁଲି କରୁଥିବା ବନ  କର୍ମଚାରୀମାନେ ଦେଖିଛନ୍ତି । ଏକ୍‌ ଫୁଲ୍‌ ଦୋ ମାଲି  ଭଳି ଗୋଟିଏ ମାଈ ହାତୀ ପାଇଁ ଦୁଇ ଦନ୍ତାଙ୍କ ମଧ୍ୟରେ  ଏଭଳି ଘମାଘୋଟ ଲଢ଼େଇକୁ ନେଇ ବନକର୍ମଚାରୀ ଓ  ଜଙ୍ଗଲ ଉପକଣ୍ଠରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।  ଡିଏଫ୍‌ଓ ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ଜଙ୍ଗଲ  ମଧ୍ୟରେ ମାଈ ହାତୀଙ୍କୁ ନେଇ ଏପରି ଦନ୍ତା ଦନ୍ତାଙ୍କ  ମଧ୍ୟରେ ଲଢ଼େଇ ହେବା ଅନେକ ନଜିର ରହିଛି।